ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ରାଜନୈତିକ ସମୀକରଣ ବଦଳିପାରେ ଏବଂ ରାଜ୍ୟ ରାଜନୀତି ଏକ ବିଚିତ୍ର ସ୍ଥିତି ଭିତରେ ଗତି କରୁଛି। ବିଜେଡି, ବିଜେପି ଓ କଂଗ୍ରେସରେ ଅସ୍ଥିରତା ରହିଛି । କ୍ଷମତାସୀନ ଭାବୁଛି କ୍ଷମତାରେ ନାହିଁ, ବିରୋଧୀ ଭାବୁଛି ସିଏ କ୍ଷମତାସୀନ। ଏହା ଏକ ବିଚିତ୍ର ସ୍ଥିତି, ଯାହାଫଳରେ ବିକାଶ ହୋଇପାରୁନାହିଁ। ନିକଟ ଭବିଷ୍ୟତରେ କୌଣସି ନୂଆ ଦଳର ସମ୍ଭାବନା ନାହିଁ ବୋଲି ସେ ମତ ଦେଇଛନ୍ତି, କିନ୍ତୁ ସମୀକରଣ ବଦଳିବାକୁ ବେଶୀ ସମୟ ଲାଗେନାହିଁ ବୋଲି ସେ କହିଛନ୍ତି ।
ଦିଲ୍ଲୀ ଗସ୍ତ ସମୟରେ ଅନେକ ନେତାଙ୍କ ସହ ଆଲୋଚନା ହୋଇଥିବା ସ୍ୱୀକାର କରି ଶ୍ରୀ ଶତପଥୀ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ରାଜନୈତିକ ଦଳ ସମ୍ପର୍କିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଶ୍ରୀ ଶତପଥୀ କହିଛନ୍ତି, ‘‘କୌଣସି ଦଳରେ ନାହିଁ କିନ୍ତୁ ରାଜନୀତି ଭିତରେ ଅଛି। ଆମେ ଦିଲ୍ଲୀ ଯାଇଥିଲୁ। ସେଠି ଅନେକ ନେତାଙ୍କ ସହ ଆଲୋଚନା ହୋଇଛି। କୌଣସି ରାଜନୈତିକ ଦଳ ନେଇ ଆଲୋଚନା ହୋଇନାହିଁ। ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଅସ୍ଥିରତା ଓ ଅନିଶ୍ଚିତତା ଭିତରେ ଗତି କରୁଛି। ୨୪ ବର୍ଷର ଏକ ଶାସନର ପରିବର୍ତ୍ତନ ହୋଇଛି ଏବଂ ଲୋକଙ୍କର ନୂଆ ସରକାର ଉପରେ ଆଶା ବହୁତ ବଢ଼ିଛି। ସରକାର ଯଦି ଆଶା ପୂରଣ ନକରେ ତେବେ ଲୋକଙ୍କ ଭିତରେ ହତାଶା ଆସିବ। ବର୍ତ୍ତମାନର ସରକାରଙ୍କୁ ମୂଲ୍ୟାୟନ କରିବାକୁ ସମୟ ପର୍ଯ୍ୟାପ୍ତ ହୋଇନାହିଁ, ତଥାପି ଆରମ୍ଭରୁ ପଦକ୍ଷେପ ନନେଲେ ଲୋକଙ୍କ ମନରେ ପ୍ରଶ୍ନ ଉଠିବ।
ଓଡ଼ିଶାରେ ସବୁ ରାଜନୈତିକ ଦଳରେ ଅସ୍ଥିରତା ଲାଗିରହିଛି ବୋଲି ସେ କହିଛନ୍ତି। ରାଜ୍ୟର ବିକାଶ ପାଇଁ ସ୍ଥିର ଶାସନ ଓ ସ୍ପଷ୍ଟ ଆଭିମୁଖ୍ୟ ଦରକାର ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିରୋଧୀଙ୍କ ସ୍ଥିତି ମଧ୍ୟ ସ୍ପଷ୍ଟ ନାହିଁ ବୋଲି କହି ଶ୍ରୀ ଶତପଥୀ କହିଛନ୍ତି ଯେ, ବିରୋଧ କରୁଛନ୍ତି ନା ବୁଝାମଣା କରିବାକୁ ଚାହୁଁଛନ୍ତି ତାହା ବୁଝାପଡ଼ୁନାହିଁ। ଯେଉଁ ବିଜେଡିକୁ ଲୋକ ଚାହୁଁଥିଲେ, ତାହାକୁ ଭୁଲ ରାସ୍ତାରେ ନେବା ଫଳରେ ନବୀନ ପଟ୍ଟନାୟକ ଲୋକଙ୍କଠାରୁ ଦୂରେଇ ଯାଇଛନ୍ତି ବୋଲି ସେ ମତ ଦେଇଛନ୍ତି।
