ବିଜେଡି ସବୁଠି ଭୁଶୁଡି ପଡୁଛି, ନୂଆ ଦଳ ଗଠନ ସମୟ ଆସିନି : ଅମର ଶତପଥୀ

ଓଡିଶାର ରାଜନୈତିକ ପରିଦୃଶ୍ୟରେ ଏବେ ଏକ ନୂଆ ଚର୍ଚ୍ଚା ଜୋର ଧରିଛି। ବିଜେପି, ବିଜେଡି ଓ କଂଗ୍ରେସ ବାହାରେ ଏକ ନୂଆ ରାଜନୈତିକ ଦଳ କିମ୍ବା ସାମ୍ମୁଖ୍ୟର ଗଠନ ହେବ କି? ଏହି ପ୍ରଶ୍ନ ଏବେ ରାଜ୍ୟର ରାଜନୀତିକ ମହଲରେ ଘୂରି ବୁଲୁଛି। ପୂର୍ବତନ ବିଜେଡି ନେତା ଅମର ଶତପଥୀ, ପ୍ରଭାତ ତ୍ରିପାଠୀ ପ୍ରମୁଖ ବରିଷ୍ଠ ନେତାଙ୍କର ସମ୍ପ୍ରତି ଦିଲ୍ଲୀ ଗସ୍ତ ଓ କିଛି ଦିନ ତଳେ ଯାଜପୁର ଜିଲ୍ଲା ଓଳାସୁଣୀରେ ହୋଇଥିବା ବନ୍ଧୁମିଳନ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି । ଏହି ଘଟଣାକ୍ରମର ପଛରେ ଥିବା ଅସଲ ଉଦ୍ଦେଶ୍ୟ କଣ, ତାହାକୁ ନେଇ ବିଭିନ୍ନ ପ୍ରକାର ଅନୁମାନ କରାଯାଉଛି । ଅମର ଶତପଥୀଙ୍କର ବିସ୍ଫୋରକ ବୟାନ ବିଜେଡିର ଅନ୍ତର୍ଗତ ଅସନ୍ତୋଷକୁ ପ୍ରକାଶ କରୁଛି। ସେ କହିଛନ୍ତି ଯେ, ବିଜେଡି ରାଜ୍ୟର ସବୁଠି ଭୁଶୁଡି ପଡୁଛି। ବଡଚଣାରେ ବିଜେଡି ଭାଙ୍ଗିବାର ପ୍ରକ୍ରିୟା ଭୁବନେଶ୍ବରରୁ ଆରମ୍ଭ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କର୍ମୀମାନେ ଦଳ ଛାଡୁଛନ୍ତି କାରଣ ନେତୃତ୍ବ ଉପରେ ଅନାସ୍ଥା ଆସିଛି ଓ ଏଥିପାଇଁ ବିଜେଡି ନିଜେ ଦାୟୀ। ଅମରଙ୍କ କହିବାନୁସାରେ, ବଡଚଣାରେ ସେମାନେ ଦଳକୁ ସଂଗଠିତ କରି ରଖିଥିଲେ, କିନ୍ତୁ ଏବେ ସ୍ଥିତି ବଦଳିଛି।
ଦିଲ୍ଲୀ ଗସ୍ତ ସମ୍ପର୍କରେ ଅମର ଶତପଥୀ ସ୍ବୀକାର କରି କହିଛନ୍ତି ଯେ, ସେଠାରେ ରାଜନୈତିକ ଆଲୋଚନା ହୋଇଛି। ବିଭିନ୍ନ ଦଳର ନେତାମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ବିଜେଡିର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ସମ୍ପର୍କରେ ରହିଛନ୍ତି । ତେବେ ନୂଆ ଦଳ ଗଠନ ପାଇଁ ବର୍ତ୍ତମାନ ସମୟ ଆସି ନଥିବା ସେ କହିଥିବା ବେଳେ, ପ୍ରକାରାନ୍ତରେ ସମ୍ଭାବନାକୁ ପୂରାପୂରି ଖାରଜ କରି ନାହାନ୍ତି। ଆଞ୍ଚଳିକ ଦଳ ଗଠନ ଲାଗି ସମୟ ଲାଗିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ, ଏହି ଚର୍ଚ୍ଚାକୁ ନେଇ ଅନ୍ୟ ଦଳର ନେତାଙ୍କ ମଧ୍ୟରେ ବୟାନବାଜୀ ଜାରି ରହିଛି । ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ତୃତୀୟ ସାମ୍ମୁଖ୍ୟ ଦ୍ବାରା ଓଡିଶାରେ କୌଣସି ଫରକ ପଡିବ ନାହିଁ। ଏହି ନେତାମାନେ ପୂର୍ବରୁ ବି ଅନେକ ଦଳ ଗଠନ କରି ବିଫଳ ହୋଇଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି । ବିଜେପି ଦୀର୍ଘ ବର୍ଷର ସଂଘର୍ଷ ପରେ ୨୦୨୪ରେ ସରକାର ଗଠନ କରିଛି ଓ ଏମାନଙ୍କ ପାଖରେ ଧୈର୍ଯ୍ୟ ନାହିଁ ବୋଲି ସେ ଯୁକ୍ତି ଦେଇଛନ୍ତି। ବିଜେଡି ପୂର୍ବତନ ନେତାଙ୍କୁ କଟାକ୍ଷ କରି କହିଛି ଯେ, ସବୁ ଶୂନ୍ୟ ମିଶିଲେ ବି ଏକ ହୋଇପାରିବେନି ।  କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦଳର ନେତା ଯୁକ୍ତି ବାଢିଛନ୍ତି ।