ବିପଦ ସଂକୁଳ ସ୍ଥାନ ମାନଙ୍କରେ ଜଣେ ବି ଲୋକଙ୍କୁ ଛାଡ ନାହିଁ :ମୁଖ୍ୟମନ୍ତ୍ରୀ

ବଙ୍ଗୋପସାଗରରେ ଗଠିତ ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିରୋ କାଜୁଆଲଟି ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରଭାବିତ ଅଞ୍ଚଳରେ ୩୦ଟି ସ୍ଥାନରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିଛି। ବର୍ତ୍ତମାନ ସୁଧ୍ଳା ୧୮୭୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାତ୍ୟା ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଉପସ୍ଥିତ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ପଞ୍ଚାୟତିରାଜ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କର ଜିଲ୍ଲାପାଳମାନେ ଭିଡିଓ କନ୍ଫରେନ୍ସିଂ (ଭିସି) ମାଧ୍ୟମରେ ଯୋଗଦେଇ ପରିସ୍ଥିତିର ବର୍ତ୍ତମାନର ଅପଡେଟ୍‌ ଦେଇଥିଲେ। ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୨୦୪୮ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୧,୩୯୬ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆବଶ୍ୟକହେଲେ ଆହୁରି ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ୧୮୭୧ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆହୁରି ୮୨୨ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ସମୁଦାୟ ୨୬୯୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ମଧ୍ୟ ବାତ୍ୟା ଦାନା ସମୟରେ ଆମେ ସଫଳ ଭାବରେ ଲୋକଙ୍କୁ ସ୍ଥାନାନ୍ତରିତ କରି ଜିରୋ କାଜୁଆଲ୍‌ଟି ହାସଲ କରିଥିଲୁ । ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ହେଉଛି ଆମର ଏକ ପ୍ରମୁଖ ଷ୍ଟ୍ରାଟେଜି । ତେଣୁ, ଏହି ଦିଗ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବାକୁ ସେ ପରାମର୍ଶ ଦେଇଥିଲେ।ବାତ୍ୟାପରେ ଯେପରି ବିଭିନ୍ନ ଜରୁରୀ ବ୍ୟବସ୍ଥା ତୁରନ୍ତ ପୁନଃକ୍ଷମ କରାଯାଇ ପାରିବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଇଞ୍ଜିନିୟରିଂ ବିଭାଗ ଗୁଡିକରୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପରେ ପରେ ଯେପରି ଭାଙ୍ଗିଯାଇଥିବା ଗଛ ଗୁଡିକ ଯୋଗୁ ରାସ୍ତା ଅବରୋଧ ନହୁଏ, ସେଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସମୟ ହେଉଛି ଫସଲ ଅମଳର ସମୟ । ତେଣୁ, ବାତ୍ୟା ପରେ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀ ଭାଇମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ତିନି ଦିନ ଧରି ବାତ୍ୟା ମୁକାବିଲା ସମ୍ପର୍କରେ ନିୟମିତ ସମୀକ୍ଷା କରାଯାଉଛି ଓ ପ୍ରସ୍ତୁତିକୁ ସୁଦୃଢ କରାଯାଉଛି। ପ୍ରାୟ ସମସ୍ତ ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ତେବେ, ବିଭାଗୀୟ ସଚିବ ତଥା ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତିକୁ ଠିକ୍ ଭାବେ ମନିଟରିଂ କରି ସମସ୍ତ ପଦକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକହେଲେ ଛୁଟିର ସମୟସୀମା ବଢାଯିବ। ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ଅଛନ୍ତି । ବିକଳ୍ପ ଭାବେ ସମସ୍ତ ଜରୁରୀ ସେବା ସଂସ୍ଥା ଗୁଡିକରେ ଡିଜି ସେଟ୍ ମହଜୁଦ ରଖାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପକାମୁଡା ଇଞ୍ଜେକ୍‌ସନ୍‌, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ୍ ରଖାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କୁ ନିଷେଧ କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ସଚିବ ମାନେ ବିଭାଗୀୟ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନା କରିଥିଲେ।