ଡ୍ରାଇଭର ଆନ୍ଦୋଳନ ଜାରି, କିନ୍ତୁ କାଲିଠୁ ଗଡିବ ଘରୋଇ ବସ

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦିଆଗଲା ସୂଚନା। ପୁରୀରେ ବସିଥିବା ବସ୍ ମାଲିକ ସଂଘ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ। ଅନ୍ୟପକ୍ଷରେ ଆନ୍ଦୋଳନ ବନ୍ଦ ହେବନି କହିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଛନ୍ତି, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି। ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି। ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି ।
ଡ୍ରାଇଭର ଆନ୍ଦୋଳନ ପଛରେ ରାଜନୀତି ବୋଲି ପରିହବନ ମନ୍ତ୍ରୀଙ୍କ ବୟାନ
ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅନୁରୋଧ କରିଛନ୍ତି । ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି କଂଗ୍ରେସ ଏ ସବୁ କରୁଛି। କାହା କଥାରେ ପଡ଼ି ପଥଭ୍ରଷ୍ଟ ନହେବା ପାଇଁ ଡ୍ରାଇଭରଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । କାର୍ଯ୍ୟରେ ଯୋଗଦେବା ପାଇଁ ମନ୍ତ୍ରୀ ଡ୍ରାଇଭରମାନଙ୍କୁ ଆହ୍ବାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ,ସରକାର ଡ୍ରାଇଭର ମହାସଂଘର ସବୁ ଦାବି ଶୁଣିବା ପରେ ପୂରଣ ନେଇ ଦାୟିତ୍ବ ନେଇସାରିଥିବା ବେଳେ ଆନ୍ଦୋଳନ ଜାରି ରହିଛି । ଆଜିର କଂଗ୍ରେସ ଦଳକୁ ସମର୍ଥନ ତାଙ୍କର ଆନ୍ଦୋଳନ ପଛରେ ରାଜନୀତି ଏବଂ ନେତୃତ୍ବଙ୍କର ନ୍ୟସ୍ତସ୍ବାର୍ଥ ପାଇଁ ନିରୀହ ସରଳ ଡ୍ରାଇଭରମାନଙ୍କୁ ମତାଇ ଆନ୍ଦୋଳନ କରୁଛନ୍ତି । ଆଲୋଚନା ସଫଳ ତଥାପି ଆନ୍ଦୋଳନ ଜାରି ରହିଛି, ଏହା ଦୁର୍ଭାଗ୍ୟଜନକ । ସଂଘର ୭ ଦଫା ଦାବି ନେଇ ସଫଳ ଆଲୋଚନା ହୋଇଛି । ତଥାପି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ହଟୁନାହିଁ । କଂଗ୍ରେସ ଡ୍ରାଇଭରମାନଙ୍କୁ ନେଇ ରାଜନୀତି କରୁଛି । ସଂଘର ସମସ୍ତ ଦାବି ପୂରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି । କାର୍ଯ୍ୟରତ ଡ୍ରାଇଭରମାନଙ୍କୁ ଆକ୍ରମଣ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆନ୍ଦୋଳନ ଯୋଗୁଁ ଡିଜେଲ ଓ ପେଟ୍ରୋଲ ଆସିପାରିଲା ନାହିଁ । ପରିବହନରେ ଅସୁବିଧା ହେଲା । ଲୋକଙ୍କର ଅସୁବିଧା ହେଲା, କିନ୍ତୁ ଏତେ ପ୍ରଭାବୀ ଢଙ୍ଗରେ ଆନ୍ଦୋଳନ ହେଉନାହିଁ । ଗାଡି କିଛି ଚାଲିଛି । ଆମେ 430 ଟେଙ୍କର ଯୋଗେ ତେଲ ଆଣିଛୁ । ସବୁ ଜିଲ୍ଲାରେ ପରିବହନ ସେବା ଜାରି ରହିଛି । ତାଙ୍କୁ ବିଭିନ୍ନ ସମୟରେ ଜନ ଆକ୍ରୋଶର ଶୀକାର ହେବାକୁ ପଡେ, ଲୋକ ମାରପିଟ କରନ୍ତି । ସେନେଇ ଏପ୍ରିଲ ମାସରେ ପରିବହନ କମିଶନର ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଲେଖିଛନ୍ତି, ଯଦି ଏଭଳି କିଛି ଅଘଟଣ ଘଟିଲେ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ । ଡ୍ରାଇଭର ସଂଘ ସହ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ଯେ, ଯଦି ଦୂର୍ଘଟଣା ବେଳେ ଡ୍ରାଇଭର ମାନଙ୍କ ପ୍ରତି ଆକ୍ରମଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ତାଙ୍କର ଆଉ ଏକ ଦାବି ରହିଥିଲା ଯେ, ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯାଉ । ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଅଧିନରେ ଅଟୋ ଡ୍ରାଇଭରମାନେ ସୁବିଧା ପାଉଁନାହାନ୍ତି । ତାଙ୍କୁ କୁହାଯାଇଛି ଯେ, ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯାଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।