Utkala Mirror I Odisha News, Latest Odia News

କ୍ରସ୍ ଭୋଟିଂକୁ ନେଇ ବୟାନବାଜି

ରାଜ୍ୟସଭା ନିର୍ବାଚନକୁ ନେଇ ବୟାନବାଜୀ ବିଜେଡି-କଂଗ୍ରେସ ଭୟଭୀତ: ଜୟନାରାୟଣ ଆବଶ୍ୟକ ପଡ଼ିଲେ ନିଜେ ଏଜେଣ୍ଟ ହେବି: ଭକ୍ତ ଫାଇଦା ପାଇଁ ବିଜୁବାବୁଙ୍କୁ ମେଣ୍ଟର କହୁଛନ୍ତି ଦିଲୀପ : ବିଜେଡି ଭୁବନେଶ୍ବର, ତା ୮୤୩ (ପିଏନଏସ): ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ତୀବ୍ର ହେବାରେ ଲାଗିଛି। ରାଜ୍ୟସଭା ର୍ନିବାଚନରେ ଓଡିଶାରୁ ଚତୁର୍ଥ ଆସନଟି ଦଖଲ କରିବାପାଇଁ ଉଭୟ ଶାସକ ବିଜେପି ଏବଂ ବିଜେଡି-କଂଗ୍ରେସ ମେଣ୍ଟ ପକ୍ଷରୁ ଦାବି କରାଯାଉଥିବାବେଳେ ଏହି ତିନିଦଳ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି ନିଜ ନିଜ ବିଧାୟକମାନଙ୍କୁ ଆୟତ୍ତରେ ରଖିବା । ଘୋଡା ବେପାର ଆଶଙ୍କାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଦଳର ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜୀ ତୀବ୍ର ହେବାରେ ଲାଗିଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଓ କଂଗ୍ରେସ ଭୟଭୀତ ହୋଇପଡ଼ିଛନ୍ତି। ତାଙ୍କ ବିଧାୟକ କୁଆଡ଼େ ପଳେଇବେ ବୋଲି ଆଶଙ୍କା ରହିଛି। ଆମେ ଖୋଲା ବୁଲୁଛୁ। ଆମର ଭୟ ନାହିଁ। ବିବେକାନୁମୋଦିତ ଭୋଟ୍ ହେଲେ ଅର୍ଥାତ ଜଣେ ବିଧାୟକ ଯଦି ନିଜ ବିବେକକୁ ପଚାରିବେ, ତା’ହେଲେ ତାଙ୍କ ବିବେକ କହିବ ବିଜେଡିକୁ ଭୋଟ୍ ଦେବୁନି। କଂଗ୍ରେସ ସହ ମିଶିଲେ ବିଜେଡି ଆଉ କଂଗ୍ରେସ ବୁଡ଼ିଯିବେ। ଫଳ ବାହାରିଲେ ଜଣାପଡ଼ିବ କାହା ପାଖରେ କେତେ ଭୋଟ୍। ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ବିଜେପି ଜାଣିଶୁଣି ବିଶୃଙ୍ଖଳା କରିବା ପାଇଁ ସ୍ବାଧୀନ ପ୍ରାର୍ଥୀ ଦେଇଛି। ବିଜେପିର ଲକ୍ଷ୍ୟ କ୍ରସ ଭୋଟିଂ କରି ବିଶୃଙ୍ଖଳା ସୃଷ୍ଟି କରିବା। ଉଭୟ କଂଗ୍ରେସ ଓ ବିଜେଡି କ୍ରସ୍ଭୋଟିଂ ନ ହେବା ପାଇଁ ଜନସାଧାରଣଙ୍କ ମଧ୍ୟରୁ ଜଣଙ୍କୁ ବାଛିଛନ୍ତି। ଡା. ହୋତା ଜଣେ ଉଚିତ ପ୍ରାର୍ଥୀ। ୩୩ଟି ଭୋଟ୍ ଆମ ପାଖରେ ରହିଛି। କ୍ରସଭୋଟିଂର ପ୍ରଶ୍ନ ଉଠୁନି। ଦିଲୀପ ରାୟଙ୍କୁ କଂଗ୍ରେସ ପକ୍ଷରୁ କେହି ସମର୍ଥନ ଦେବେ ନାହିଁ। ସମସ୍ତ ବିଧାୟକ ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କୌଣସି ଆଶଙ୍କା ରୁହେ ତେବେ ଭକ୍ତ ଦାସ ନିଜେ ଏଜେଣ୍ଟ ହେବେ। ଆଉ ବିଶୃଙ୍ଖଳା ହେଲେ ବା ଦଳର ଆଭିମୁଖ୍ୟରୁ ବାହାରକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ରାଜନୈତିକ ଫାଇଦା ହାସଲ କରିବା ଲକ୍ଷ୍ୟରେ ବିଜୁ ବାବୁଙ୍କୁ ଦିଲୀପ ରାୟ ନିଜର ମେଣ୍ଟର ବୋଲି କହୁଛନ୍ତି। ବିଜୁଙ୍କୁ ନିରନ୍ତର ଭାବେ ଅପମାନିତ କରି ଆସୁଥିବା ଦଳ ସହିତ ସେ ଅଛନ୍ତି ଏବଂ ସେହି ଦଳର ସମର୍ଥନରେ ରାଜ୍ୟସଭା ନିର୍ବାଚନ ଲଢୁଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଗଲା, ପୋଡ଼ି ଦିଆଗଲା। ବିଜୁ ବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା। ରାଜ୍ୟ ବିଜେପି ସରକାର ଏହାକୁ ବନ୍ଦ କରିଦେଲେ। ବିଜୁଙ୍କ ନାମରେ ଥିବା ବିଏସକେୱାଇ ଯୋଜନା ସହିତ ଅନ୍ୟ ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ କରି ଦିଆଗଲା। ବିଜୁଙ୍କ ଦ୍ୱାରା ସ୍ଥାପିତ ସମ୍ମାନଜନକ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ସହଯୋଗ ଦେବା ବନ୍ଦ କରିଦେଲେ। ବିଜୁଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ବାରମ୍ୱାର ବିଜେପି ସରକାର ଯୋଜନାବଦ୍ଧ ଆକ୍ରମଣ କରୁଥିଲାବେଳେ ଶ୍ରୀ ରାୟ ନିରବ ଅଛନ୍ତି। ରାଜ୍ୟବାସୀ ଜାଣନ୍ତି ଶ୍ରୀ ରାୟ ଜଣେ ବ୍ୟବସାୟୀ ବେଶି ରାଜନେତା କମ୍। ରାଜ୍ୟର ସ୍ୱାର୍ଥ ପାଇଁ ନୁହେଁ, ନିଜର ବ୍ୟବସାୟରେ ସଫଳତା ପାଇଁ ସେ ରାଜନୀତିରେ ରୁଚି ରଖନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Exit mobile version