ଗାଡ଼ି ଚାଲାଣ ଫାଇନ୍‌ ଅଧା: ଜୁଲାଇ ୩୧ ପୂର୍ବରୁ ଇ-ଚାଲାଣରେ ୫୦% ରିହାତି

ଗାଡ଼ି ଚାଲାଣ ଫାଇନ୍‌ ଅଧା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ୍‌ କୋହଳ କରାଯିବ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ସରକାର ଫାଇନ୍‌ ୫୦ ପ୍ରତିଶତ କୋହଳ କରିଛନ୍ତି ।

ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ (ପରିବହନ) ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମୋଟର ଯାନ ଆଇନ୍‌ ୧୯୮୮ର ଉପଧାରା (୧) ଅନୁସାରେ ରାଜ୍ୟ ସରକାର କ୍ଷମତା ବଳରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ, ୩୧ ଜୁଲାଇ ୨୦୨୫ କିମ୍ବା ତା ପୂର୍ବରୁ ହୋଇଥିବା ଗାଡି ଫାଇନଗୁଡିକୁ ଏହି ଯୋଜନା ଅନ୍ତର୍ଗତରେ ସଂଯୁକ୍ତ କରାଯାଇପାରିବ, ଯଦି ସେମାନେ ନିର୍ଦ୍ଧାରିତ ସଂଯୁକ୍ତ ଶୁଳ୍କ ପ୍ରଦାନ କରନ୍ତି । ତେବେ, ଯେଉଁ ଚାଲାଣଗୁଡ଼ିକ ନିର୍ଦ୍ଧିଷ୍ଟ କୋର୍ଟରେ ଅଭିଯୋଗ ରିପୋର୍ଟ (ପିଆର୍‌) ଦାଖଲ ହୋଇସାରିଛି, ସେଗୁଡ଼ିକ ଏହି ଯୋଜନାର ପରିଧିରେ ଆସିବ ନାହିଁ । ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଅପରାଧଗୁଡ଼ିକର ବିବରଣୀ ହେଉଛି ଅନୁଯାୟୀ, ଧାରା ୧୮୦ ଅନୁଯାୟୀ ବିନା ବୈଧ ଡ୍ରାଇଭିଂ ଲାଇସେନ୍‌ସରେ ଗାଡ଼ି ଚଲାଇବାକୁ ଅନୁମତି ଦେବାରେ ଦଣ୍ଡସ୍ୱରୂପ ୫,୦୦୦ ଟଙ୍କା ବଦଳରେ କୋହଳ ପରେ ୨,୫୦୦ ଟଙ୍କା, ଧାରା ୧୮୧ ଅନୁଯାୟୀ ବିନା ବୈଧ ଡ୍ରାଇଭିଂ ଲାଇସେନ୍‌ସରେ ଗାଡ଼ି ଚଲାଇବାରେ ୫,୦୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା,  ଧାରା ୧୯୪ ବି (୧) ଅନୁଯାୟୀ ଡ୍ରାଇଭର କିମ୍ବା ଯାତ୍ରୀ ସିଟ୍‌ ବେଲ୍ଟ ନ ପିନ୍ଧିବାରେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ଧାରା ୧୯୪ ସି ଅନୁଯାୟୀ ଦୁଇଚକିଆରେ ଜଣେରୁ ଅଧିକ ପିଲିଅନ୍‌ ରାଇଡର୍‌ ରଖିବାରେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଲାଇବାରେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ଜରୁରୀକାଳୀନ ଗାଡ଼ିଗୁଡ଼ିକୁ ରାସ୍ତା ନ ଦେବାରେ ୧୦,୦୦୦ ଟଙ୍କା ବଦଳରେ ୫,୦୦୦ ଟଙ୍କା ଏବଂ ବିନା ଇନସ୍ୟୁରାନ୍ସରେ ଗାଡ଼ି ଚଲାଇବାରେ ୨,୦୦୦ ଟଙ୍କା ବଦଳରେ ୧,୦୦୦ ଟଙ୍କା ଦେବାକୁ ପଡିବ ।