Utkala Mirror I Odisha News, Latest Odia News

ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ

ରାଜ୍ୟରେ ବୁଧବାର ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣ ରାଜଧାନୀ ଭୁବନେଶ୍ବର ଓ ଜଣେ ଜଟଣୀ ଅଞ୍ଚଳରୁ ରହିଛନ୍ତି । ୫ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଏଥି ପୂର୍ବରୁ ଭୁବନେଶ୍ବରରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ରାଜ୍ୟରେ ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆକ୍ରାନ୍ତଙ୍କ ଟ୍ରାବଭେଲ ହିଷ୍ଟ୍ରୀ ଯାଞ୍ଚ କରାଯାଉଛି ।

ଅନ୍ୟପଟେ ଦେଶରେ କୋଭିଡ ସ୍ଥିତିକୁ ନେଇ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ସ୍ଥଗିତ ରହିଛି। ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବାର ଥିଲା । ଭିଡିଓ କନଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା। ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଆଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି ।

ସେପଟେ କେରଳରେ ୩୩୫ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।  ଯାହାଫଳରେ ସେଠାରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ୪୩୦କୁ ବୃଦ୍ଧି ପାଇଛି। ସେହିପରି ମହାରାଷ୍ଟ୍ରରେ ୧୫୩ ଏବଂ ଦିଲ୍ଲୀରେ ୯୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ଗୁଜରାଟରୁ ୮୩, କର୍ଣ୍ଣାଟକରୁ ୪୭, ଉତ୍ତରପ୍ରଦେଶରୁ ୧୫ ଏବଂ ପଶ୍ଚିମବଙ୍ଗରୁ ୧୨ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଲକ୍ଷଣଯୁକ୍ତ ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ କୋଭିଡ ପଜିଟିଭ ସ୍ପଷ୍ଟ ହୋଇଛି । ତେବେ ଆଣ୍ଟିଜେନ୍ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍ କିଟକୁ ଆରଏମଆରସିକୁ ପଠାଯାଇଛି । ଉକ୍ତ ବ୍ୟକ୍ତିଙ୍କର ଆରଟିପିସିଆର ପରୀକ୍ଷା କରାଯିବ ।  ଆରଟିପିସିଆର ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ୍ ହୋଇଛି ନା ନାହିଁ ସ୍ପଷ୍ଟ କରିବ ସ୍ବାସ୍ଥ୍ୟ ବିଭାଗ ।

ସୂଚନାଯୋଗ୍ୟ ଯେ, ୩ ବର୍ଷ ବ୍ୟବଧାନ ପରେ ଓଡ଼ିଶାକୁ ଫେରିଥିଲା କରୋନା୤ ଗତ ୨୨ ତାରିଖରେ ଓଡ଼ିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ୤ ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ବରର ବୋଲି ଜଣାପଡିଥିଲା । ସଂକ୍ରମିତ ଜଣଙ୍କ ଦିଲ୍ଲୀରୁ ଫେରିଥିଲେ। ତେବେ ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବାବେଳେ ସେ ହୋମ୍ କ୍ବାରେଣ୍ଟାଇନରେ ଥିବା ନେଇ ମଧ୍ୟ ସୂଚନା ମିଳିଥିଲା ।

Exit mobile version