ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ମାସରୁ ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍(ଏସଆଇଆର) ଆରମ୍ଭ ହେବ । ୨୪ ବର୍ଷ ପରେ ଓଡ଼ିଶାରେ ଏସଆଇଆର ଆରମ୍ଭ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ ସୂଚନା ଦେଇଛନ୍ତି । ଜାନୁଆରୀ ୭ରେ ଫାଇନାଲ୍ ଭେରିଫିକେସନ୍ ବାହାରିବ । କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି । ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି । ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଭାଙ୍ଗନ୍ତୁ ନାହିଁ । ଲୋକଙ୍କ ଆସ୍ଥାକୁ ଭାଙ୍ଗନ୍ତୁ ନାହିଁ ବୋଲି ସିଇଓ କହିଛନ୍ତି । ଏହାଛଡା ରାଜ୍ୟରେ ବୁଥ୍ ସଂଖ୍ୟା ବଢ଼ିବ; ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି ।
ସୋମବାର ସିଇଓଙ୍କ କାର୍ଯ୍ୟାଳୟରେ ଏସଆଇଆର୍ ଓ ନିର୍ବାଚନ ପ୍ରକ୍ରିୟା ସୁଦୃଢ଼ୀକରଣ ନେଇ ସିଇଓ ଗୋପାଳନ କହିଥିଲେ ଯେ, ଶେଷଥର ପାଇଁ ୨୦୦୨ ମସିହାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାପାଇଁ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଏବେ ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଏସଆରସି ପାଇଁ ସଂପ୍ରତି ୧୧ଟି ପ୍ରମାଣପତ୍ର ଆବଶ୍ୟକ ପଡୁଛି। ସେଥିମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଯେକୌଣସି ପ୍ରମାଣପତ୍ର କିମ୍ବା ପେନ୍ସନ ପ୍ରମାଣପତ୍ର, ଜୁଲାଇ ପହିଲା ୧୯୮୭ ମସିହା ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବ୍ୟାଙ୍କ, ପୋଷ୍ଟ ଅଫିସ, ଏଲ୍ଆଇସି କିମ୍ବା ପିଏସୟୁ, ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ମାଟ୍ରିକ୍ କିମ୍ବା ଶିକ୍ଷା ସାର୍ଟିଫିକେଟ୍, ଆବାସିକ ପ୍ରମାଣପତ୍ର, ଜମି ଅଧିକାର ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର(ଓବିସି, ଏସସି/ଏସ୍ଟି), ଜାତୀୟ ନାଗରିକତ୍ୱ ପ୍ରମାଣପତ୍ର, ପରିବାର ପଞ୍ଜୀକରଣ ଏବଂ ଜମି କିମ୍ବା ଘର ପଞ୍ଜୀକରଣ ପ୍ରମାଣପତ୍ରକୁ ବିବେଚନା କରାଯିବ।
ସେ କହିଥିଲେ ଯେ, ଓଡ଼ିଶାର ୭ହଜାର ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ପ୍ରଦାନ କରାଯାଇଛି। ଏଥିରୁ କେବଳ ୫ହଜାର ଏପିକ ନମ୍ବର ବାଙ୍କୀରେ ରହିଥିଲା, ଯେଉଁମାନଙ୍କର ଗୁଜୁରାଟ ଭୋଟର ତାଲିକାରେ ରହିଛି ବୋଲି ଜଣାପଡିବା ପରେ ତାକୁ ବାଦ୍ ଦିଆଯାଇଛି। ବାକି ୨ହଜାର ଏପିକ ନମ୍ବର କର୍ଣ୍ଣାଟକ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ମିଶୁଥିଲା। ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ପାଇଁ ଦିଆଯାଇଥିଲା। ଏହି ଏପିକ ନମ୍ବରରେ କେହି ଭୋଟ ଦେଇପାରିବେ ନାହିଁ। ବର୍ତ୍ତମାନ ସ୍ୱତନ୍ତ୍ର ଏପିକ ନମ୍ବର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦାନ କରାଯିବ।
ଗୋପାଳନ କହିଥିଲେ ଯେ, ବିରୋଧୀ ଦଳ ପକ୍ଷରୁ ଭୋଟ ଚୋରି ନେଇ ଅଣାଯାଇଥିବା ବିଭିନ୍ନ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି। ରାଜ୍ୟରେ ବିଜେଡି ଏବଂ ଅନ୍ୟ ଦଳ ପକ୍ଷରୁ ଆସିଥିବା ଅଭିଯୋଗର ସମ୍ପୂର୍ଣ୍ଣ ଉତ୍ତର ରଖାଯାଇଛି। ଏହାବାଦ୍ ବିଜେଡି ପକ୍ଷରୁ ଯେଉଁ ଅଭିଯୋଗ ରହିଛି, ତାହା ଇସିଆଇ ନିୟମ ଅନୁଯାୟୀ ନିର୍ଦିଷ୍ଟ ସମୟସୀମାଠାରୁ ବାହାରେ ରହିଛି । ଯଦି କୌଣସି ଦଳ ଚାହିଁବେ ତେବେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କଠାରୁ ନିଦେର୍ଶ ଆଣିଲେ ତାକୁ କମିଶନ ଗୁରୁତ୍ୱର ସହ ଅନୁଧ୍ୟାନ କରିବ।