Utkala Mirror I Odisha News, Latest Odia News

ଓଡ଼ିଶା ଦେଇ ଆଉ ୪ ଅମୃତ ଭାରତ ଏକ୍ସପ୍ରେସ ଗଡିବ

ଓଡ଼ିଶା ଦେଇ ଗଡ଼ିବ ୪ଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ । ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ ଭାରତୀୟ ରାଜ୍ୟକୁ ଓଡ଼ିଶା ଦେଇ ଏସବୁ ଟ୍ରେନ୍ ଚାଲିବ। ଦେଶରେ ୯ଟି ଅମୃତ ଭାରତ ଟ୍ରେନ୍ ଚଳାଚଳ ପାଇଁ ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏହି ଟ୍ରେନ୍‌ରେ କମ୍ ଖର୍ଚ୍ଚରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରାର ଅନୁଭୂତି ମିଳିବ। ସମ୍ପ୍ରତି ଏକମାତ୍ର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ବ୍ରହ୍ମପୁର-ଉଧନା (ଗୁଜରାଟ) ମଧ୍ୟରେ ଚଳାଚଳ କରୁଛି। ସେହିପରି ଓଡ଼ିଶା ଦେଇ ଆଉ ଏକ ଅମୃତ ଭାରତ ଚଳାଚଳ କରୁଛି।

ହସ୍ତଗତ ସୂଚନା ଅନୁସାରେ ପଶ୍ଚିମବଙ୍ଗର ନିଉ ଜଲପାଇଗୁଡ଼ି ଓ ତାମିଲନାଡ଼ୁର କନ୍ୟାକୁମାରୀ ଜିଲା ଅନ୍ତର୍ଗତ ନାଗରକୋଏଲ ମଧ୍ୟରେ ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ୍ ଚାଲିବ। ସେହିପରି ନିଉ ଜଲପାଇଗୁଡ଼ି ଓ ତାମିଲନାଡ଼ୁର ତିରୁଚିରାପଲ୍ଲୀ, ପଶ୍ଚିମବଙ୍ଗର ଅଲିପୁରଦୁଆର ଏବଂ ଏସଭିଏମଟି ବେଙ୍ଗାଲୁରୁ, କୋଲକାତା (ସନ୍ତ୍ରାଗାଛି)ରୁ ତାମିଲନାଡ଼ୁ ସ୍ଥିତ ତାମ୍ବରମ ମଧ୍ୟରେ ଅମୃତ ଭାରତ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। ଅପରପକ୍ଷେ ଭବିଷ୍ୟତରେ ପଶ୍ଚିମବଙ୍ଗର ବାଲୁରଘାଟ-ଏସଭିଏମଟି ବେଙ୍ଗାଲୁରୁ ଏବଂ ପଶ୍ଚିମବଙ୍ଗର ରାଧିକାପୁର-ଏସଭିଏମଟି ବେଙ୍ଗାଲୁରୁ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଓଡ଼ିଶା ଦେଇ ଯିବାର ସମ୍ଭାବନା ଅଛି।
ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେଲେ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ନିୟମିତ ଯାତ୍ରା କରୁଥିବା ପରିବାର ପାଇଁ ବିଶେଷ ସହାୟକ ହେବ। ଏହି ରୁଟରେ ଚଳାଚଳ କରିବାକୁ ଥିବା ଅମୃତ ଭାରତ ଏକ୍ସପ୍ରେସ ଦ୍ବାରା ଓଡ଼ିଶାବାସୀ ପୂର୍ବ ଭାରତ ଓ ଦକ୍ଷିଣ ଭାରତର ଏକାଧିକ ଜିଲାକୁ ଯା ଆସରେ ବିଶେଷଭାବେ ଉପକୃତ ହେବେ। ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଯାତ୍ରା ପାଇଁ ଲୋକଙ୍କୁ ଅଧିକ ସୁଯୋଗ ମିଳିବ। ଏସବୁ ରାଜ୍ୟକୁ ବହୁ ସଂଖ୍ୟକ ଓଡ଼ିଆ ଲୋକ କର୍ମନିଯୁକ୍ତି, ଶିକ୍ଷା, ବ୍ୟବସାୟ, ସାମାଜିକ କାର୍ଯ୍ୟକ୍ରମ ତଥା ପର୍ଯ୍ୟଟନ ପାଇଁ ଯାଇଥାନ୍ତି। ଅଣବାତାନୁକୂଳିତ, ଶୟନଯୋଗ୍ୟ କୋଚରେ ଯାତ୍ରୀଙ୍କ ପାଇଁ ଆଧୁନିକ ଶୌଚାଳୟ, ଆରାମଦାୟକ ବର୍ଥ, ଖାଇବା ଟେବୁଲ, ଫାଷ୍ଟ ଚାର୍ଜିଂ ପଏଣ୍ଟ, ଅଗ୍ନୀ ନିର୍ବାପନ ଭଳି ଅନେକ ସୁବିଧା ଉପଲବ୍ଧ ହେବ। ବଡ଼ କଥା ହେଉଛି ସୁବିଧା ତୁଳନାରେ ଏହାର ଟିକଟ ମୂଲ୍ୟ ଅପେକ୍ଷାକୃତ କମ୍ ରହିବ। ଯାତ୍ରୀ ଓ ଟ୍ରେନ୍ ସୁରକ୍ଷା ପାଇଁ ଏଥିରେ ବିଶେଷ ବ୍ୟବସ୍ଥା କରାଯାଇଛି। ୨୦୨୩ ଡିସେମ୍ବର ମାସରୁ ଦେଶରେ ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ଆରମ୍ଭ ହୋଇଛି।

Exit mobile version