Utkala Mirror I Odisha News, Latest Odia News

ବିରୋଧୀଙ୍କୁ ମନ୍ତ୍ରୀଙ୍କ ଜବାବ, ପ୍ରଦୂଷଣ ପ୍ରସଙ୍ଗରେ ରାଜନୀତି ନ କରନ୍ତୁ

ଗାଡ଼ି ପ୍ରଦୂଷଣ ଯାଞ୍ଚ (ପିୟୁସି) ଜରିମାନା ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦଳକୁ ପାଲଟା ଟାର୍ଗେଟ୍ କରିଛନ୍ତି । ବିରୋଧୀମାନେ ଛାଟ ପଡ଼ିବା ପରେ ଅମାନିଆ ହୋଇ ବେଶି କଥା କହୁଛନ୍ତି ଏବଂ ମିଡ଼ିଆରେ ରହିବା ଓ ଲୋକଙ୍କ ନିକଟତର ହେବା ପାଇଁ ଏହା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାର ସମୟରେ ଲାଗୁ ହୋଇଥିବା ୧୦ ହଜାର ଟଙ୍କା ଜରିମାନାକୁ ବର୍ତ୍ତମାନର ସରକାର ହ୍ରାସ କରିବାକୁ ବିଚାର କରୁଥିବା ବେଳେ ବିରୋଧୀମାନେ ଲୋକଙ୍କୁ ବିଭ୍ରାନ୍ତ କରି ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି।
ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ, ପ୍ରଦୂଷଣ ରୋକିବା ଏବଂ ଲୋକଙ୍କ ଜୀବନ ରକ୍ଷା ପ୍ରତି ସରକାର ସଚେତନ ଅଛନ୍ତି । ପିୟୁସିସି ପାଇଁ ୧୦ ହଜାର ଟଙ୍କା ଜରିମାନା ୨୦୧୯ରେ ବିଜେଡି ସରକାର ସମୟରେ ଲାଗୁ ହୋଇଥିଲା। ଆଜି ସେମାନେ ଏହାକୁ ବର୍ତ୍ତମାନ ସରକାରର ମୁଣ୍ଡରେ ଅଠା ବୋଳୁଛନ୍ତି। ପୂର୍ବ ସରକାର ଲଗାଇଥିବା ଏହି ରାଶିକୁ ହ୍ରାସ କରିବାକୁ ବର୍ତ୍ତମାନ ସରକାର ତର୍ଜମା କରୁଛି ଏବଂ ଖୁବ ଶୀଘ୍ର ନୂଆ ଜରିମାନା ମୂଲ୍ୟ ଘୋଷଣା କରାଯିବ। ସାମୟିକ ଭାବେ ଏହି ୧୦ ହଜାର ଟଙ୍କା ଜରିମାନା ବନ୍ଦ ରହିଛି ଏବଂ ଲୋକଙ୍କ ପାଇଁ ଜରିମାନା ସମ୍ପୂର୍ଣ୍ଣ କୋହଳ କରାଯାଇଛି। ମାର୍ଚ୍ଚ ସୁଦ୍ଧା ସମସ୍ତେ ପିୟୁସିସି କରାଇ ନେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୯ରେ ରାଜ୍ୟରେ ମାତ୍ର ୫୨ଟି ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଥିଲା, କିନ୍ତୁ ଏବେ ୧୫୦୦ରୁ ଅଧିକ ପଞ୍ଜିକୃତ ଯାଞ୍ଚ କେନ୍ଦ୍ର ଓ ୨ ହଜାରରୁ ଅଧିକ ସକ୍ରିୟ ମେସିନ୍ ରହିଛି। ନୂଆ ଯାଞ୍ଚ କେନ୍ଦ୍ର ଆବେଦନକୁ ୨୪ ଘଣ୍ଟା ଭିତରେ ଅନୁମତି ଦିଆଯାଉଛି। ରାଜ୍ୟରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ରାଜନୀତି କରିବା ଉଚିତ ନୁହେଁ ଏବଂ ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ମୋଟର ଯାନ ଆଇନ୍ ଅନୁଯାୟୀ ପିୟୁସିସି ଆବଶ୍ୟକ ଏବଂ ରାଜ୍ୟରେ ମାତ୍ର ୨୧ ପ୍ରତିଶତ ଗାଡ଼ି ଏହା କରିଛନ୍ତି। ଲୋକଙ୍କ ଦାବି ଅନୁଯାୟୀ ଅବଧି ବୃଦ୍ଧି କରାଯାଇଛି ଏବଂ ପରିବେଶ ସୁରକ୍ଷା ଓ ଆଇନ୍ ଅନୁପାଳନ ପାଇଁ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି

Exit mobile version