Utkala Mirror I Odisha News, Latest Odia News

ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗରେ ନେତାଙ୍କ ବାକଯୁଦ୍ଧ

ଓଡ଼ିଶାରେ ନିର୍ବାଚନ ସମୟରେ ବଡ଼ ଧରଣର ଭୋଟ ଚୋରୀ ହୋଇଥିବା ଅଭିଯୋଗ ଆଣି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି କରିଛନ୍ତି । ଏହି ଅଭିଯୋଗକୁ ନେଇ ବିଜେଡି ଏବଂ ବିଜେପି ନେତାଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ ଦେଖିବାକୁ ମିଳିଛି ।

ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ଚଳିତ ନିର୍ବାଚନ ସମୟରେ ସନ୍ଧ୍ୟା ୫ଟାରୁ ୯ଟା ମଧ୍ୟରେ ୪୨ ଲକ୍ଷ ଭୋଟ ହୋଇଛି, ଯାହା ସନ୍ଦେହଜନକ। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଏତେ ସଂଖ୍ୟକ ଭୋଟର ଏହି ସମୟରେ କେଉଁଠୁ ଆସିଲେ। ସେ ଆହୁରି କହିଛନ୍ତି, କଂଗ୍ରେସ ଏହି ନିର୍ବାଚନରେ ୧୪ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ଜିତିଛି। କିନ୍ତୁ ବିଜେଡି ୫୧ଟି ବିଧାନସଭା ଆସନ ଜିତିଥିବା ସତ୍ତ୍ୱେ ଗୋଟିଏ ବି ଲୋକସଭା ଆସନ ଜିତି ପାରିନାହିଁ, ଯାହା ଅସ୍ୱାଭାବିକ। ସେ ଦାବି କରିଛନ୍ତି ଯେ, ଭୋଟ ଚୋରୀ କରି ବିଜେପିକୁ ଜିତାଇବାରେ ନବୀନ ପଟ୍ଟନାୟକ ନୁହେଁ ବରଂ ଭି. କେ. ପାଣ୍ଡିଆନଙ୍କ ହାତ ରହିଛି ବୋଲି କହି ଭକ୍ତ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, “ଓଡ଼ିଶାକୁ ଲୁଟିବା ପାଇଁ ପାଣ୍ଡିଆନ ବିଜେପିକୁ ସାହାଯ୍ୟ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗ ପିଲାଲିଆମି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସମାଲୋଚନା କରିଛନ୍ତି । ଭକ୍ତ ଚରଣ ଦାସଙ୍କ ଅଭିଯୋଗକୁ “ପିଲାଲିଆମି” ବୋଲି କହି ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୮ଟି ଲୋକସଭା ଓ ୧୪୦ଟି ବିଧାନସଭା ଆସନରେ ମାତ୍ର ୨ ପ୍ରତିଶତ ଭୋଟ ଫରକ ରହିଛି। ବିଜେଡି ପୂର୍ବରୁ ନିର୍ବାଚନ ଆୟୋଗଙ୍କୁ ଏହାର ଯାଞ୍ଚ ଓ ସିଏଜି ଅଡ଼ିଟ ପାଇଁ ଦାବି କରିଛି। ସେ ପିସିସି ସଭାପତିଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାର ସମ୍ମାନ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ, କଂଗ୍ରେସ ସବୁ କଥାରେ ବିଜେଡିକୁ ଦାୟୀ କରି ରାଜନୈତିକ ଲାଭ ହାସଲ କରିବାକୁ ଚେଷ୍ଟା କରୁଛି। ସେ ପ୍ରଶ୍ନ କରିଛନ୍ତି, “ବିଜେପି ଉପରେ କାହିଁକି ପିସିସି ସଭାପତି କିଛି କହୁନାହାନ୍ତି?

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଂଗ୍ରେସର ଅଭିଯୋଗକୁ ନେଇ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ କର୍ଣ୍ଣାଟକରେ ଜିତିଛି, ତେଣୁ ସେମାନେ ନିଜେ ବଦମାସୀ କରିଥିବା ଅଭିଯୋଗ ଉଠାଇଛନ୍ତି। ସେ ଆହୁରି କହିଛନ୍ତି, “ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌କୁ କଂଗ୍ରେସ ସରକାର ଆରମ୍ଭ କରିଥିଲା, ତେଣୁ ଏହାର ଅନ୍ତର୍ନିହିତ ତଥ୍ୟ ସେମାନେ ଜାଣିଛନ୍ତି।” ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, “ରାହୁଲ ଗାନ୍ଧୀଙ୍କୁ ଗୋଟିଏ ଖେଳନା ମିଳିଗଲା ଭଳି ଲାଗୁଛି।” ସେ ଦାବି କରିଛନ୍ତି, ଯଦି ଭୋଟ ଚୋରୀ ହୋଇଥାଏ, ତେବେ ସେହି ବୁଥର ତାଲିକା ଦିଆଯାଉ। ସେ ଆହୁରି କହିଛନ୍ତି, ଯଦି ଭୋଟ ଗଫଲତି ହୋଇଥାଏ, ତେବେ ସେତେବେଳେ ସରକାରରେ ବିଜେଡି ଥିଲା, ବିଜେପି ନୁହେଁ। ତେଣୁ କଂଗ୍ରେସର ଅଭିଯୋଗ ଯୁକ୍ତିହୀନ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Exit mobile version