• Home
  • ରାଜ୍ୟ
  • ୨୫ ବର୍ଷରେ ଓଡିଶା ଦେଶର ବିକାଶ ଯାତ୍ରାରେ ପ୍ରମୁଖ ଇଞ୍ଜିନ ହେବ
Image

୨୫ ବର୍ଷରେ ଓଡିଶା ଦେଶର ବିକାଶ ଯାତ୍ରାରେ ପ୍ରମୁଖ ଇଞ୍ଜିନ ହେବ

“ବିକଶିତ ଓଡିଶା ୨୦୩୬” ଭିଜନ ଡକ୍ୟୁମେଣ୍ଟ ଜୁନ ୧୨ ଉନ୍ମୋଚନ : ମୁଖ୍ୟମନ୍ତ୍ରୀ

ଓଡିଶା ସରକାରଙ୍କ ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡ ଦେଲେ ଭିଜନ କହିଲେ ମୁଖ୍ୟମନ୍ତ୍ରୀ

ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିକାଶ ଯାତ୍ରା ଏବଂ ‘ବିକଶିତ ଓଡ଼ିଶା’ ଦିଗରେ ଏକ ବିସ୍ତୃତ ରୂପରେଖ ଉପସ୍ଥାପନ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ଏକ ବର୍ଷରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଆଗାମୀ ୨୫ ବର୍ଷରେ ଦେଶର ବିକାଶ ଯାତ୍ରାରେ ଏକ ପ୍ରମୁଖ ଇଞ୍ଜିନ ହେବ। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ସ୍ଥିତିରେ ପହଞ୍ଚିବା ପାଇଁ ରାଜ୍ୟବାସୀ ଚାହିଁ ବସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡିଶା ଭିଜନ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଓଡିଶା ୨୦୩୬ ଏବଂ ୨୦୪୭ ଭିଜନ ଡକ୍ୟୁମେଣ୍ଟ ୩.୨୦ ଲକ୍ଷ ଲୋକଙ୍କ ମତାମତକୁ ଆଧାର କରି ପ୍ରସ୍ତୁତ ହୋଇଛି । ଏହି ଭିଜନ ଡକ୍ୟୁମେଣ୍ଟ ଜୁନ ୧୨ ତାରିଖରେ ଉନ୍ମୋଚିତ ହେବ। ଏହାର କାର୍ଯ୍ୟକାରୀତାକୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଓଡିଶାର ଭିଜନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ରାଜ୍ୟର ସମସ୍ତ ଚାଷଯୋଗ୍ୟ ଅଞ୍ଚଳକୁ ଜଳସେଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହା ଦ୍ୱାରା କୃଷି ଉତ୍ପାଦକତା ଏବଂ କୃଷକଙ୍କ ଆୟ ବୃଦ୍ଧି ହୋଇପାରିବ । ସେହିଭଳି ଦ୍ରୁତ ସହରୀକରଣ, ଭାରତ ସରକାରଙ୍କ ସହାୟତାରେ ବିଶ୍ୱସ୍ତରୀୟ ରାସ୍ତା, ରେଳ ଏବଂ ବିମାନ ସଂଯୋଗୀକରଣ କରିବାକୁ ଲକ୍ଷ୍ୟ ରଖିଛୁ। ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବନ୍ଦର ଆଧାରିତ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର, ବୟନଶିଳ୍ପ, ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଇତ୍ୟାଦିରେ ନିବେଶ ଆକର୍ଷିତ କରିବା ଲକ୍ଷ୍ୟ ରଖି ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସର୍ବାଧିକ ଅର୍ଥନୈତିକ ଅଭିବୃଦ୍ଧି ୨୦୨୪-୨୫ରେ ୬.୫ ପ୍ରତିଶତରେ ପହଞ୍ଚିଥିବା ବେଳେ ଓଡିଶାରେ ଡବଲ ଇଞ୍ଜିନ ସରକାର ସମୟରେ ୭.୨ ପ୍ରତିଶତରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଓଡିଶାକୁ ମିଳିଥିବା ୭୩ ହଜାର କୋଟିର ରେଳ ପ୍ରକଳ୍ପ, ୪ ହଜାର ୬୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଏବଂ ଆଗାମୀ ଦିନରେ ମିଳିବାକୁ ଥିବା ୧୭ ହଜାର ୫୦୦ କୋଟିର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରାଜ୍ୟରେ ନୂଆ ସରକାର ହେବା ପରେ ସରକାରଙ୍କ ପ୍ରମୁଖ ଉପଲବ୍ଧି ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ,  ସରକାରଙ୍କ ନାଗରିକ କେନ୍ଦ୍ରୀୟ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସୁଶାସନ ସୁନିଶ୍ଚିତ କରାଯାଉଛି। ମୁଖ୍ୟମନ୍ତ୍ରୀ ନିଜେ ନାଗରିକଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଶୁଣୁଛନ୍ତି । ଆଗାମୀ ୫ ବର୍ଷରେ ୧.୫ ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ସ୍ୱଚ୍ଛ ଏବଂ ନିରପେକ୍ଷ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କୁ ୧୦,୦୦୦ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ୧୬ ଲକ୍ଷରୁ ଅଧିକ ‘ଲକ୍ଷପତି ଦିଦି’ ସହ ଦେଶରେ ପ୍ରଥମ ସ୍ଥାନରେ ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା ମାଧ୍ୟମରେ ୭,୦୦୦ ପ୍ରାଥମିକ ବିଦ୍ୟାଳୟକୁ ଆଧୁନିକୀକରଣ କରାଯାଉଛି। ଏହା ସହ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ୧ କୋଟିରୁ ଅଧିକ ପରିବାରଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।

ସେହିଭଳି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୬.୭୩ ଲକ୍ଷ କୋଟି ଟଙ୍କାର ୫୯୩ଟି ବିନିଯୋଗ ପ୍ରସ୍ତାବ ଗ୍ରହଣ କରାଯାଇଛି, ଯାହା ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ।  ‘ଏକ ପେଡ଼ ମା’ ନାମରେ’ ଅଭିଯାନ ମାଧ୍ୟମରେ ୬.୬ କୋଟି ଗଛ ଲଗାଯାଇଛି। ଏହା ସହ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ସମ୍ପୂର୍ଣ୍ଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି।  ରାଜ୍ୟରେ ବ୍ୟବସାୟ ଓ ଶିଳ୍ପ ଅନୁକୂଳ ପରିବେଶ ପ୍ରତିଷ୍ଠା କରିବା ପାଇଁ ଛୋଟ ରୁ ଛୋଟ ଅପରାଧକୁ ରୋକିବା ଲାଗି ଆଇନ ପ୍ରସ୍ତୁତ କରିଛନ୍ତି । ଜନ ବିଶ୍ୱାସ ଆଇନ, ୨୦୨୩ ଅନୁଯାୟୀ, ଓଡ଼ିଶା ଜନ ବିଶ୍ୱାସ ବିଲ, ୨୦୨୫ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଆଠଟି ପ୍ରମୁଖ ବିଭାଗ ସମ୍ପୃକ୍ତ ଅଛନ୍ତି । ପଶ୍ଚିମ ଓଡ଼ିଶାର ହୀରାକୁଦକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯାଉଛି। ଏହା ସହ ଓଡ଼ିଶାର ବୌଦ୍ଧ ସର୍କିଟକୁ ବିଶେଷ ଭାବେ ବିକଶିତ କରିବା ପାଇଁ ଯୋଜନା କରାଯାଇଛି। ଆଇକନିକ ଗନ୍ତବ୍ୟସ୍ଥଳ ପାଇଁ ଏକ ସଂକଳିତ ମାଷ୍ଟର ପ୍ଲାନ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ।  ୨୦୩୬ ସୁଦ୍ଧା ୪୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୬୦ ପ୍ରତିଶତ ସହରୀକରଣ ହାସଲ କରିବାକୁ ଲକ୍ଷ୍ୟ ରହିଛି, ଯାହା ବର୍ତ୍ତମାନ ୧୭% ଅଟେ ।  ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, କଟକ, ପାରାଦୀପ ଏବଂ ପୁରୀ ଆଖପାଖରେ ୭,୦୦୦ ବର୍ଗ କିଲୋମିଟରର ଏକ ମେଟ୍ରୋପଲିଟାନ ଅଞ୍ଚଳ ବିକଶିତ କରାଯିବ । ସେହିଭଳି ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଦେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଜାତୀୟ ଡ୍ରାମା ସ୍କୁଲ ସହଭାଗୀତାରେ ବିଶ୍ବର ବର୍ବବୃତ ଖୋଲାମଞ୍ଚ ବରଗଡର ଧନୁଯାତ୍ରାକୁ ଆହୁରି ଆଢମ୍ବରରେ ପାଳନ କରିବା ପାଇଁ ସରକାର ଯୋଜନା କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟମାନଙ୍କ ସହଯୋଗ ଲୋଡି ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ଏହି ରୂପାନ୍ତରଣ ଯାତ୍ରା ଦେଶର ଅର୍ଥନୀତି ଓ ସମାଜିକ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025