Utkala Mirror I Odisha News, Latest Odia News

ରାଜ୍ୟରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ

ଝାରସୁଗୁଡାରେ ୭୨, ମୟୂରଭଞ୍ଜରେ ୪୨ ଓ ବାଲେଶ୍ୱରରେ ୨୪ ଅଂଶୁଘାତ ରୋଗୀ ଚିକିତ୍ସିତ
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେଉଛି । ବାହାରକୁ ବାହାରିବା କ୍ଷଣି ଦେହ ଝାଇଁ ଝାଇଁ ହୋଇଯାଉଥିବାବେଳେ ୧୬ ତାରିଖ ଯାଏଁ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗତକାଲି ବଲାଙ୍ଗୀରରେ ଗୋଟିଏ ଅଂଶୁଘାତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେର୍ଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଜଣଙ୍କର ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି। ତେବେ ଏହାର ବିଭିନ୍ନ ପ୍ରକାର ଯାଞ୍ଚ ପ୍ରକ୍ରିୟା ରହିଛି। ସମ୍ପୂର୍ଣ୍ଣ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ । ରିପୋର୍ଟ ଆସିଲେ ତାହା ଅଂଶୁଘାତ ଜନିତ ମୃତ୍ୟୁ କି ନୁହେଁ ସ୍ପଷ୍ଟ ହେବ । ଏସବୁ ପରେ ନିର୍ଦିଷ୍ଟ ପ୍ରକ୍ରିୟା ଭିତରେ ଘୋଷଣା ହେବ । ଯେପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇପାରିବ ନାହିଁ।

ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅଂଶୁଘାତରେ ଚିକିତ୍ସିତ


ନିଦେର୍ଶକଙ୍କ ସୂଚନା ଅନୁଯାୟୀ,ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅଂଶୁଘାତ ଜନିଜ ପାର୍ଶ୍ବପ୍ରତିକ୍ରିୟା ଥିବା ବ୍ୟକ୍ତି ଅସୁସ୍ଥ ହୋଇ ଚିକିତ୍ସିତ ଥିବାବେଳେ ଝାରସୁଗୁଡାରେ ୭୨, ମୟୂରଭଞ୍ଜରେ ୪୨, ବାଲେଶ୍ୱରରେ ୨୪,ସୁବଣ୍ର୍ଣପୁରରେ ୧୭, ଦେବଗଡରେ ୧୫ ଜଣ ଅସୁସ୍ଥ ହୋଇଛନ୍ତି । ଏହାବାଦ୍‌ ଗଞ୍ଜାମ, କେନ୍ଦୁଝର ଓ ମାଲକାନଗିରିରେ ଜଣେ ଲେଖାଏଁ,ନୟାଗଡରେ ୨, ଅନୁଗୋଳ,ଭଦ୍ରକ,ଯାଜପୁର ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ ଏବଂ ଜଗତସିଂହପୁର ଓ ଖୋର୍ଦ୍ଧାରେ ୭ଜଣ ଲେଖାଏଁ ଅଂଶୁଘାତ ରୋଗୀ ଚିକିତ୍ସିତ ହୋଇଥିବା ରିପୋର୍ଟ ହୋଇଛି। ଗତବର୍ଷ ଝାରସୁଗୁଡାରେ ଅଂଶୁଘାତ ଜନିତ ମୃତ୍ୟୁ ଟିକେ ବଢ଼ି ଯାଇଥିଲା।
ନିଦେର୍ଶକ ଶ୍ରୀ ମିଶ୍ର କହିଛନ୍ତି ଯେ, ଗତ ବର୍ଷ ବାହାର ରାଜ୍ୟର ଡ୍ରାଇଭର ଓ ହେଲ୍‌ପରମାନେ ଅସାବଧାନତା ଯୋଗୁଁ ଖଣି ଅଞ୍ଚଳରେ ଟ୍ରକ ଭିତରେ ବିଶ୍ରାମ ନେବା ବେଳେ ଅଂଶୁଘାତ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ । ଏବେ ସେସବୁ ଅଞ୍ଚଳରେ ବ୍ୟାପକ ଜନସଚେତନତା କରାଯାଉଛି । ଖରା ସମୟରେ ଗାଡି ପାର୍କିଂରେ ରଖି ସେଥିରେ ବିଶ୍ରାମ ନନେବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ଚଳିତବର୍ଷ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅତି ଜରୁରୀ ନଥିଲେ ପଦାକୁ ଖାଲି ପାଦରେ ନ ବାହାରିବାପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସତର୍କତା ଅବଲମ୍ବନ କରିବାପାଇଁ ଛାପା ଗଣମାଧ୍ୟମ ଓ ବୈତ୍ୟୁୟତିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି।

Exit mobile version