Utkala Mirror I Odisha News, Latest Odia News

ଦକ୍ଷ ଇଞ୍ଜିନିୟର ଥାଇ ପ୍ରକଳ୍ପ ସର୍ଭେ ଆଉଟସୋର୍ସିଂ ସଂସ୍ଥା କରୁଛନ୍ତି : ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ

ରାଜ୍ୟ ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗଗୁଡ଼ିକରେ ଦକ୍ଷ ଇଞ୍ଜିନିୟରମାନେ କାର୍ଯ୍ୟରତ ଥାଇ ମଧ୍ୟ କାହିଁକି ବିଭିନ୍ନ ସରକାରୀ ପ୍ରକଳ୍ପଗୁଡ଼ିକର ସର୍ଭେଠୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ଭଳି କାର୍ଯ୍ୟଗୁଡ଼ିକ ଆଉଟସୋର୍ସିଂ ସଂସ୍ଥାକୁ ଟେକି ଦିଆଯାଉଛି । ଏଭଳି ଏକ ଅସୁସ୍ଥ ପରମ୍ପରା ନା କେବଳ ସରକାରୀ ପ୍ରକଳ୍ପଗୁଡ଼ିକର ବ୍ୟୟଭାର ବୃଦ୍ଧି କରୁଛି ବରଂ ସରକାରୀ ସଂସ୍ଥାରେ କାର୍ଯ୍ୟରତ ଦକ୍ଷ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି କିଛି ଢଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ବ୍ୟକ୍ତ କରିଛନ୍ତି । ଆଉ ବିଗତ ୧୦ ବର୍ଷ ମଧ୍ୟରେ କେଉଁସବୁ ବେସରକାରୀ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ କେତେ ଟଙ୍କାର କି ପ୍ରକାରର କାର୍ଯ୍ୟ ସମ୍ପାଦନ କରାଯାଇଛି ତଥା ଏହି କାର୍ଯ୍ୟ ପାଇଁ ବିଭାଗ ଓ ସରକାରଙ୍କ କୌଣସି ସଂସ୍ଥା ସକ୍ଷମ ନଥିଲା କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି ମୁଖ୍ୟ ସଚିବଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି । ରାଜ୍ୟର ଇଞ୍ଜିନିୟରିଂ ବିଭାଗଗୁଡ଼ିକ ବିଭିନ୍ନ ପ୍ରକଳ୍ପର ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ ଓ ଡିପିଆର ପ୍ରସ୍ତୁତି ଆଦି ପ୍ରାରମ୍ଭିକ କାର୍ଯ୍ୟ ନିଜେ କିମ୍ବା ସରକାରୀ ସଂସ୍ଥା ଦ୍ୱାରା ନକରାଇ ବେସରକାରୀ ଆଉଟସୋର୍ସିଂ ସଂସ୍ଥା ଦ୍ୱାରା କରାଇବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି। କିଛିବର୍ଷ ପୂର୍ବରୁ ଯଦି ଆମର ସରକାରୀ ଯନ୍ତ୍ରୀମାନେ ଏ ସମସ୍ତ ପ୍ରକାରର କାର୍ଯ୍ୟ ସୁଚାରୂ ରୂପେ କରୁଥିଲେ ତା’ହେଲେ ଏହି ‘ଆଉଟସୋର୍ସିଂ ବ୍ୟବସ୍ଥା’ର ଅଭ୍ୟୁଦୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସରକାରୀ ପ୍ରକଳ୍ପଗୁଡ଼ିକର ବ୍ୟୟଭାର ବଢ଼ୁଛି। ଆଉ ଆମ ସରକାରୀ ବିଭାଗ ଓ ସଂସ୍ଥାରେ ଦକ୍ଷ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବହୁ ଛୋଟଛୋଟ ପ୍ରକଳ୍ପର ଡିଜାଇନଠୁ ଡିପିଆର ପର୍ଯ୍ୟନ୍ତ କାର୍ଯ୍ୟ ଆଉଟସୋର୍ସିଂ କରିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିଚାଲିଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମେ ମାସରେ ସରକାରୀ କଳରେ ଏହି ଭୁଲ୍ ଧରି ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗତ ମେ’ ୨୨ ତାରିଖରେ ରାଜ୍ୟର ସମସ୍ତ ୫ଟି ଇଞ୍ଜିନିୟରିଂ ବିଭାଗର ସଚିବଙ୍କୁ ଚିଠି ଲେଖି ଜୁନ୍ ୨ ତାରିଖ ସୁଦ୍ଧା ଇଞ୍ଜିନିୟରିଂ ବିଭାଗଗୁଡ଼ିକ ଦ୍ୱାରା ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ସମ୍ପାଦିତ ହୋଇଥିବା କାର୍ଯ୍ୟ (ସର୍ଭେ-ଡିଜାଇନଠୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ପର୍ଯ୍ୟନ୍ତ)ର ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏନେଇ ଏକ ସମୀକ୍ଷା ବୈଠକ ମଧ୍ୟ ମୁଖ୍ୟ ସଚିବଙ୍କ ଦ୍ୱାରା ହୋଇସାରିଛି। ଏସବୁର ଅନୁସନ୍ଧାନ ଓ ନିରାକରଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଅନୁଭବ କରିବା ସହ ବିଗତ ୧୦ ବର୍ଷ ମଧ୍ୟରେ କେଉଁ ବିଭାଗଗୁଡ଼ିକ କେଉଁ ବେସରକାରୀ ସଂସ୍ଥାକୁ କେଉଁସବୁ କାର୍ଯ୍ୟ ପାଇଁ କେତେ ଟଙ୍କା ଦେଇଛନ୍ତି ଓ ସେହି ବିଭାଗ ଅବା ସରକାରଙ୍କ ଅନ୍ୟ କେଉଁ ସଂସ୍ଥା ଉକ୍ତ କାର୍ଯ୍ୟ କରିବା ନିମନ୍ତେ ଦକ୍ଷ ଥିଲେ କି ନାହିଁ ତା’ର ତଥ୍ୟ ସଂଗ୍ରହ କରି ଏକ ଗଭୀର ସମୀକ୍ଷା କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଉପାୟ ଓ କି କି ଆଧୁନିକ ଯନ୍ତ୍ରପାତି ବ୍ୟବହାର କଲେ ସରକାରୀ ବିଭାଗଗୁଡ଼ିକ ଏଭଳି କାର୍ଯ୍ୟ ପାଇଁ ସକ୍ଷମ ହୋଇପାରିବେ ତା’ର ମତାମତ ସମ୍ପୃକ୍ତ ବିଭାଗଗୁଡ଼ିକୁ ମଗାଯାଉ ଓ ଏନେଇ ମାସକ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ନୋଟସିଟ୍ ପଠାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

Exit mobile version