ରାୱଲପିଣ୍ଡି ସ୍ଥିତ ପାକିସ୍ତାନର ପରମାଣୁ କେନ୍ଦ୍ରକୁ ଭାରତୀୟ ସେନା ଟାର୍ଗେଟ କରି ଏହାକୁ ଧ୍ବଂସ କରିବାର ଯୋଜନା କରିଥିବା ଆଶଙ୍କା କରି ପାକିସ୍ତାନ ଆମେରିକାର ଶରଣାପନ୍ନ ହୋଇଥିଲା ଏବଂ ଅସ୍ତ୍ରବିରତି ଲାଗି ଆଗ୍ରହ ପ୍ରକାଶ କରିଥିଲା। ପାକିସ୍ତାନର ଅନୁରୋଧ କ୍ରମେ ଆମେରିକା ଅସ୍ତ୍ରବିରତି ଲାଗି ଭାରତକୁ ଅନୁରୋଧ କରିଥିଲା ଏବଂ ଏହାକୁ ଭାରତ ଗ୍ରହଣ କରିଥିଲା ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ଶ୍ରୀ ମିଶ୍ରି କହିଛନ୍ତି ଯେ, ଶନିବାର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ପାକିସ୍ତାନର ସେନାମୁଖ୍ୟ ଜେନରାଲ ଅସିମ ମୁନିରଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଉଭୟ ପକ୍ଷ ଅସ୍ତ୍ରବିରତି ଲାଗି ସହମତି ପ୍ରକାଶ କରନ୍ତୁ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଚାହୁଁଥିବା ସେ କହିଥିଲେ । ପରେ ପାକିସ୍ତାନର ଡିଜିଏମଓ ମେଜର ଜେନରାଲ କାସିଫ ଅବଦୁଲ୍ଲା ତାଙ୍କର ଭାରତୀୟ ପ୍ରତିପକ୍ଷ ଲେଫ୍ଟନାଣ୍ଟ ଜେନରାଲ ରାଜୀବ ଘାଇଙ୍କୁ ଫୋନ କରି ଏ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଅସ୍ତ୍ରବିରତି ପ୍ରସ୍ତାବ ଦେଇଥିଲେ । ଏହାକୁ ଭାରତ ଗ୍ରହଣ କରିଥିଲା ଏବଂ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହେବା ନେଇ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ଆମେରିକାର ବିଦେଶ ସଚିବ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଭାରତର ଡିଜିଏମଓ ରାଜୀବ ଘାଇ ପାକିସ୍ତାନର ଆଭିମୁଖ୍ୟ ସମ୍ପର୍କରେ ସେନା ମୁଖ୍ୟଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଆନୁଷ୍ଠାନିକ ଭାବେ ଅସ୍ତ୍ରବିରତି ସମ୍ପର୍କରେ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଅନିଲ ॥ଚୌହାନଙ୍କ ସହ ମଧ୍ୟ ଏ ସମ୍ପର୍କାର ମନ୍ତ୍ରଣା କରିଥିଲେ ।
ବୈଦେଶିକ ସଚିବ ଶ୍ରୀ ମିଶ୍ରି କହିଛନ୍ତି ଯେ, ଭାରତୀୟ ସେନା ୮ ଓ ୯ ତାରିଖରେ ଲାହୋର ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟିକୁ ନଷ୍ଟ କରିଥିଲା । ପାକିସ୍ତାନ ଇଣ୍ଟେଲିଜେନ୍ସ ଆକଳନ କରିଥିଲା ଯେ, ଭାରତୀୟ ସେନା ଏହା ପରେ ପାକିସ୍ତାନର ନ୍ୟୁକ୍ଲିୟର କମାଣ୍ଡ ଏବଂ ଇନଫ୍ରାଷ୍ଟ୍ରକଚରକୁ ଟାର୍ଗେଟ କରିପାରେ । ଏହା ଦ୍ବାରା ପାକିସ୍ତାନର ବିପୁଳ କ୍ଷତି ହୋଇପାରେ। ୧୦ ତାରିଖରେ ଭାରତୀୟ ସେନା ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନ ଏବଂ ପିଓକେର ଅନେକ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟିକୁ ନଷ୍ଟ କରିଥିଲା । ଏଥିରେ ପାକିସ୍ତାନ ଭୟଭୀତ ହୋଇ ଆମେରିକାର ଶରଣାପନ୍ନ ହୋଇଥିଲା ଏବଂ ଅସ୍ତ୍ରବିରତି ଲାଗି ଅନୁରୋଧ କରିଥିଲା ବୋଲି ଶ୍ରୀ ମିଶ୍ରି କହିଛନ୍ତି ।