ଭାରତର ୩୬ ସ୍ଥାନକୁ ୪୦୦ ଡ୍ରୋନ ଆଟାକ
ପାକିସ୍ତାନ ସେନା ଭାରତର ବାୟୁସୀମାରେ ବାରମ୍ବାର ଅନଧିକାର ପ୍ରବେଶ କରି ବେସାମରିକ ସ୍ଥାନକୁ ଟାର୍ଗେଟ କରିଛି। ପାକିସ୍ତାନ ତୁର୍କୀରୁ ଆଣିଥିବା ୪୦୦ ଡ୍ରୋନ ସାହାଯ୍ୟରେ ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରିଥିଲା । କିନ୍ତୁ ଭାରତୀୟ ସେନା ଏ ସମସ୍ତ ଆକ୍ରମଣକୁ ବିଫଳ କରି ଦେଇଛି । ଅନ୍ୟ ପକ୍ଷରେ ଭାରତର ଆକ୍ରମଣରେ ପାକିସ୍ତାନର ବିପୁଳ କ୍ଷତି ସାଧନ ହୋଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ଅପରାହ୍ନରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଥିଲେ ଯେ, ପାକିସ୍ତାନ ଭାରତର ବିଭିନ୍ନ ସହର ଉପରେ ଡ୍ରୋନ ଆକ୍ରମଣ ସହ ମିସାଇଲ ମାଡ଼ କରିଛି । ଭାରତ ଏହାକୁ ନଷ୍ଟ କରିଛି । ପାକିସ୍ତାନ ଭାରତର ବେସାମରିକ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ଏହାର ସଂକୀର୍ଣ୍ଣତାକୁ ପ୍ରମାଣିତ କରୁଛି । ପାକିସ୍ତାନର ଏହି ଆକ୍ରମଣ ଜବାବରେ ଭାରତ ଏହାର ଅନେକ ସାମରିକ ଘାଟୀକୁ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ କରିଛି । ପାକିସ୍ତାନର ୩ଟି ଲଢ଼ୁଆ ବିମାନକୁ ଭାରତ ଖସାଇବାରେ ସଫଳ ହୋଇଥିବା ବେଳେ ଭାରତର ଗୋଟିଏ ହେଲେ ବିମାନ କିମ୍ବା ଡ୍ରୋନକୁ ପାକ ସେନା ନଷ୍ଟ କରିବାରେ ସକ୍ଷମ ହୋଇନାହିଁ। ଭାରତର ଆକ୍ରମଣରେ ପାକିସ୍ତାନ ସେନା ବିପୁଳ କ୍ଷତି ସହିବା ସହିତ ଏହାର ଭିତ୍ତିଭୂମି ନଷ୍ଟ ହୋଇଛି।
ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା କର୍ଣ୍ଣେଲ ସୋଫିଆ କ୍ୟୁରେସି କହିଥିଲେ ଯେ, ପାକିସ୍ତାନ ୩୦୦ରୁ ୪୦୦ ତୁର୍କୀ ନିର୍ମିତ ଡ୍ରୋନ ସାହାଯ୍ୟରେ ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରିଥିଲା। ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ କହିଥିଲେ ଯେ, ଗତ କାଲି ରାତିରେ ଭାରତ ପକ୍ଷରୁ କରାଚୀ ବନ୍ଦରକୁ ଟାର୍ଗେଟ କରାଯାଇ ପ୍ରବଳ ଆକ୍ରମଣ କରାଯାଇଛି। ଏତ୍ରେହି କରାଚୀ ବନ୍ଦରର ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ପାକିସ୍ତାନ ପଠାନକୋଟ ଏବଂ ଭାଟିଣ୍ଡା ଏୟାରବେସକୁ ଟାର୍ଗେଟ କରିଥିଲା । କିନ୍ତୁ ଭାରତର ଡ୍ରୋନ ବିଧ୍ବଂସୀ କ୍ଷେପଣାସ୍ତ୍ର ଏହାକୁ ନଷ୍ଟ କରିଛି । ଭାରତ ଚାହିଁଥିଲେ କରାଚୀ ଏବଂ ଲାହୋର ବିମାନ ବନ୍ଦରରେ ଅନେକ ବେସାମରିକ ବିମାନକୁ ଧ୍ବଂସ କରିପାରିଥାଆନ୍ତା। କିନ୍ତୁ ଭାରତ ସଂଯମତା ରକ୍ଷା କରି ଏହା କରିନାହିଁ । ଅପରେସନ ସିନ୍ଦୁର ପରେ ପାକିସ୍ତାନ ବହୁବାର ଭାରତର ବିଭିନ୍ନ ସର୍ବସାଧାରଣ ସ୍ଥାନ ଏବଂ ସାମରିକ ଦୃଷ୍ଟି କୋଣରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରିଛି । ଯଦି ପାକିସ୍ତାନ ଏହା ଜାରି ରଖବ ତେବେ ଭାରତ ଶୀଘ୍ର ଏହାର କଠୋର ଜବାବ ଦେବ ବୋଲି ସେ କହିଥିଲେ । ବୈଦେଶିକ ସଚିବ କହିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ଲାଗି ମଧ୍ୟସ୍ଥତାଙ୍କ ଭୂମିକା ଗୁରୁତ୍ବହୀନ । ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ ନକରିଛି, ସେ ପର୍ଯ୍ୟନ୍ତ ଭାରତର ଆଭିମୁଖ୍ୟ ଅପରିବର୍ତ୍ତିତ ରହିବ। ଏତ୍ଲାହିଗି ଭାରତ ସିନ୍ଧୁ ଜଳଚୁକ୍ତି ବାତିଲ କରିଛି।