୭ବର୍ଷ ପରେ ବୁଧବାର ଚୂଡାନ୍ତ ରାୟ
ରାଜ୍ୟର ବହୁବର୍ଚ୍ଚିତ ପାଟଣାଗଡ ପାର୍ସଲବୋମା ବିସ୍ଫୋରଣ ଘଟଣାର ଦୀର୍ଘ ୭ବର୍ଷ ପରେ ବୁଧବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ପାଟଣାଗଡ ଏଡିଜେକୋର୍ଟ ଜଜ ସୋନାଲୀ ପଟ୍ଟନାୟକ ଏକମାତ୍ର ଅଭିଯୁକ୍ତ ଭଇଁସା ଜ୍ୟୋତିବିକାଶ କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ସହ ୧ ଲକ୍ଷ ୭୦ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି । ସୌମ୍ୟଶେଖର ଓ ଜେମାମଣୀଙ୍କୁ ହତ୍ୟା ଅଭିଯୋଗରେ ଲାଗିଥିବା ଦଫା-୩୦୨ରେ ଆଜୀବନ ଓ ୫୦ ହଜାର ଟଙ୍କା, ନବବଧୁ ରୀମାରାଣୀଙ୍କୁ ହତ୍ୟାଉଦ୍ୟମ ଅଭିଯୋଗରେ ଦଫା-୩୦୭ରେ ୧୦ବର୍ଷ ଜେଲଦଣ୍ଡ ଓ ୨୦ହଜାର ଟଙ୍କା, ବେଆଇନ ବିସ୍ଫୋରକ ପଠାଇ ବିସ୍ଫୋରଣ କରିଥିବା ଅଭିଯୋଗରେ ଆଜୀବନ ଜେଲଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ଓ ତଥ୍ୟପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୭ବର୍ଷ ଜେଲଦଣ୍ଡ ସହ ୧୦ହଜାର ଟଙ୍କାର ଆର୍ଥÒକ ଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ଜୀବନଥିବା ପର୍ଯ୍ୟନ୍ତ ପୁଞ୍ଜିଲାଲ ଜେଲରେ ସଜା କାଟିବ ।
ମାମଲାର ରାୟ ପ୍ରକାଶ ପାଇବା ପରେ ମୃତ ସୌମ୍ୟଶେଖରଙ୍କ ବାପା କହିଛନ୍ତି ଯେ, ଦୋଷୀକୁ ଫାଶୀଦଣ୍ଡାଦେଶ ହେବ ବୋଲି ଆଶା କରୁଥିଲୁ, କିନ୍ତୁ ଆଜୀବନ ଦଣ୍ଡାଦେଶରେ ମଧ୍ୟ ଆମେ ସନ୍ତୁଷ୍ଟ । ଆମର ମୃତ ପୁଅର ଆତ୍ମାକୁ ନିଶ୍ଚୟ କିଛିଟା ସନ୍ତୋଷ ମିଳିବ ।
ବହୁ ଚର୍ଚ୍ଚିତ ପାର୍ସଲବୋମା ଘଟଣାବଳୀ ସମ୍ପର୍କରେ….
ପ୍ରକାଶ ଯେ,୨୦୧୮ ମସିହା ଫେବୃୟାରୀ ୨୩ ତାରିଖରେ ପାଟଣାଗଡର ରବିନ୍ଦ୍ର ସାହୁଙ୍କ ପୁତ୍ର ସୌମ୍ୟଶେଖର ସାହୁଙ୍କ ବାହାଘର ଭୋଜି ପରଦିନ କୋରିୟରରେ ଆସିଥିବା ଏକ ଗିଫ୍ଟପାର୍ସଲକୁ ଖୋଲିବାପରେ ତାହା ବିସ୍ଫୋରଣ ହୋଇଥିଲା । ସେହି ବିସ୍ଫୋରଣରେ ସୌମ୍ୟଶେଖର ସାହୁ(୨୮) ଓ ତାଙ୍କର ଜେଜେମା ଜେମାମଣୀ ସାହୁ(୮୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ନବବିବାହିତ ବଧୂ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ । ପାଟଣାଗଡ ପୋଲିସ ତଦନ୍ତ କଲାପରେ ରାଜ୍ୟସରକାର ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ।
କ୍ରାଇମବ୍ରାଞ୍ଚ ୬୨ ଜଣଙ୍କ ସାକ୍ଷ୍ୟ ଓ ତଥ୍ୟ ପ୍ରମାଣ ସହ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ
କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଏହି ଘଟଣାର ତଦନ୍ତ କରି ଭଇଁସା କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲେ । ତଦନ୍ତ ପରେ କୋର୍ଟରେ କ୍ରାଇମବ୍ରାଞ୍ଚ ୬୨ ଜଣଙ୍କ ସାକ୍ଷ୍ୟ ଓ ତଥ୍ୟ ପ୍ରମାଣ ସହ ୨୦୦୦ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ । ପାଟଣାଗଡ ଏଡିଜେକୋର୍ଟରେ ସମସ୍ତ ୬୨ଜଣ ସାକ୍ଷୀକୁ ପଚାରଉଚାର କରି ୧୯୫ଦିନର ଶୁଣାଣି କରାଯାଇଥିଲା । କୋର୍ଟରେ ସରକାରୀ ଓକିଲ ଅଶୋକ ଚନ୍ଦନ କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟପ୍ରମାଣକୁ ଉପସ୍ଥାପନ କରିଥିଲେ । ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପ୍ରମୋଦ ମିଶ୍ରଙ୍କ ସମେତ ଆଉ କିଛି ଓକିଲ ମଧ୍ୟ ତାଙ୍କର ଯୁକ୍ତି ଉପସ୍ଥାପନ କରି ସପକ୍ଷରେ କିଛି ସାକ୍ଷ୍ୟ ପ୍ରଦାନ କରାଇଥିଲେ । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ଯେତେ ସଂଗୀନଦଫାରେ ମାମଲା ରୁଜୁ ହୋଇଥିଲା ସେହି ସବୁ ଦଫାକୁ ପ୍ରମାଣିତ କରିବାରେ ସରକାରୀ ଓକିଲ ସଫଳ ହୋଇଥିଲେ ।
ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ…
ଅଦାଲତ ଏହି ମାମଲାର ତଥ୍ୟପ୍ରମାଣରେ ସନ୍ତୁଷ୍ଟ ହୋଇ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରଛନ୍ତି । ପୁଞ୍ଜିଲାଲ ହିଁ ନିଜେ ପାର୍ସଲବୋମା ତିଆରି କରି ରାୟପୁର ଯାଇ ସେଠାରୁ କୋରିୟରରେ ପାର୍ସଲ ପଠାଇଥିଲା ବୋଲି ପ୍ରମାଣିତ ହୋଇଛି । ତଦନ୍ତ ବେଳେ ନିଜେ ପୁଞ୍ଜିଲାଲ ୟୁଟ୍ୟୁବରୁ ବୋମାତିଆରି ଶିଖିଥିବା ସ୍ବୀକାର କରିବା ସହିତ ବୋମାତିଆରି ଡେମୋ ଦେଖାଇଥିଲା । ଏହା ସହିତ ରବିନ୍ଦ୍ର ସାହୁଙ୍କ ପାଖକୁ ଆସିଥିବା ଚିଠି ନିଜେ ପୁଞ୍ଜିଲାଲ ଲେଖିଥିବା ମଧ୍ୟ ସ୍ବୀକାର କରିଥିଲା ।
ଭଇଁସା ଜ୍ୟୋତିବିକାଶ କଲେଜର ଅଧ୍ୟକ୍ଷ ପଦକୁ ନେଇ ମୃତ ସୌମ୍ୟଶେଖର ସାହୁଙ୍କ ମାଆ ଅଧ୍ୟାପିକା ସଂଯୁକ୍ତା ସାହୁଙ୍କ ସହ ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ବରେ ଥିବା ପୁଞ୍ଜିଲାଲ ମେହେରଙ୍କ ମନୋମାଳିନ୍ୟ ରହିଥିଲା । ସେହି ଘଟଣାରେ ପୁଞ୍ଜିଲାଲ ପ୍ରତିଶୋଧ ପରାୟଣ ହୋଇ ଏଭଳି ଏକ ବଡ ନିଷ୍ପତ୍ତି ନେଇ ବୋମା ପାର୍ସଲରେ ପଠାଇଥିଲା ।
୭ବର୍ଷର ବିଚାର ପରେ ବୁଧବାର ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ଦୋଷୀକୁ ଦଣ୍ଡବିଧାନ ହୋଇଛି। କୋର୍ଟଙ୍କ ରାୟରେ ମୃତ ସୌମ୍ୟଶେଖରଙ୍କ ବାପା ରବିନ୍ଦ୍ର ସାହୁ ଓ ମାଆ ସଂଯୁକ୍ତା ସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ପୁଞ୍ଜିଲାଲ ମଣିଷ ନୁହେଁ ବରଂ ସେ ଜଣେ ରାକ୍ଷସ ଓ ସେ ଜେଲରେ ମୃତ୍ୟୁ ପର୍ଯ୍ୟନ୍ତ ଦଣ୍ଡପାଉ ବୋଲି ସଂଯୁକ୍ତା ସାହୁ କହିଛନ୍ତି।