Utkala Mirror I Odisha News, Latest Odia News

ପାତ୍ରପଡ଼ାରେ ଥାର ଦୁର୍ଘଟଣା ମାମଲା, ୪ ଦିନ ପରେ ବି ଅଭିଯୁକ୍ତର ପତ୍ତା ପାଉନି ପୋଲିସ

ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରିବ ଆରଟିଓ
୨ ମଦ ବୋତଲ ସହ ଥାର ମାଲିକଙ୍କ ଭିଡିଓ ଭାଇରାଲ
ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଛକରେ ଘଟିଥିବା ଥାର ଦୁର୍ଘଟଣାକୁ ୪ ଦିନ ବିତିଛି। ଦୁର୍ଘଟଣା ଦିନ ୮ ବର୍ଷର ଝିଅ ରେଶମା ରାଉଳ (୮)ର ପ୍ରାଣହାନୀ ଘଟିଥିବାବେଳେ ମା ରେବତୀ ରାଉଳ ମଧ୍ୟ ୨ ଦିନର ଚିକିତ୍ସା ପରେ ଆଖିବୁଜିଛନ୍ତି। ଏବେ ମଧ୍ୟ ୨ ବର୍ଷର ଶିଶୁ ପୁତ୍ର ମାହି ରାଉଳ ଭୁବନେଶ୍ବର ଏମସ ଆଇସିୟୁରେ ଚିକିତ୍ସାଧୀନ ରହିଛି। ଏହି ମଧ୍ୟରେ ପୋଲିସ୍‌ ବହୁ ଖୋଜାଖୋଜି ପରେ ଦୁର୍ଘଟଣା ଘଟାଇଥିବା କାରକୁ ଜଟଣୀ ଅଞ୍ଚଳରୁ ପାଇଛି ସତ କିନ୍ତୁ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତ ଡ୍ରାଇଭର ପାଖରେ ପହଞ୍ଚିପାରି ନାହିଁ। ଏହି ମଧ୍ୟରେ ମଦବୋତଲ ଧରି ସମ୍ପୃକ୍ତ ଡ୍ରାଇଭର ଜଣକ ଗାଡ଼ି ଚଳାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାପରେ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଛି। ବଡ଼ କଥା ହେଲା ପାତ୍ରପଡ଼ା ଛକରେ ହୋଇଥିବା ଦୁର୍ଘଟଣା ସ୍ଥାନରେ ସିସିଟିଭି ନଥିଲା। ସେହି ସ୍ଥାନରୁ ୨ କିଲୋମିଟର ପରିଧି ମଧ୍ୟରେ ଥିବା ସିସିଟିଭିକୁ ଯାଞ୍ଚ କରି ପୋଲିସ୍‌ ଥାର ଗାଡ଼ିକୁ ଚିହ୍ନଟ କରିଥିଲା ଓ ୨ରୁ ୩ ସ୍ଥାନରେ ଚଢ଼ାଉ ପରେ ଜଟଣୀ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଦୁର୍ଘଟଣା ଘଟାଇଥିବା ଥାର ଗାଡ଼ିକୁ ଜବତ କରିଥିଲା। ଉକ୍ତ ଗାଡିଟି କୁସୁମାଟି ଅଞ୍ଚଳର ସୋମନାଥ ବେହେରାଙ୍କର ହୋଇଥିବାବେଳେ ସେ ଫେରାର ଅଛନ୍ତି। ଏହାସହ ଦୁର୍ଘଟଣା ସମୟରେ ସେ ଗାଡ଼ି ଚଳାଉଥିଲେ କି ଅନ୍ୟ କେହି ଚଳାଉଥିଲେ ତାହା ମଧ୍ୟ ଅସ୍ପଷ୍ଟ ରହିଛି। ଏବେ ସୋମନାଥଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ଭିଡିଓରେ ତାଙ୍କୁ ଏକ ମଦ ବୋତଲ ସହ ଗାଡିରେ ମଦ ପିଇବା ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଛି। ଅବଶ୍ୟ ତାରିଖ, ସମୟ ଏବଂ ଗାଡି ସ୍ପଷ୍ଟ ନଥିବାବେଳେ ସେ ସେହିଦିନ ମଧ୍ୟ ମଦ୍ୟପାନ କରି ବେପରୁଆ ଭାବରେ ଗାଡି ଚଲାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ଭୁବନେଶ୍ବର ଆରଟିଓ-୨ ଅଧିନରେ ଉକ୍ତ ଗାଡ଼ିଟି ପଞ୍ଜିକୃତ ହୋଇଥିବା ଆରଟିଓ ଅଧିକାରୀ ସନତ କୁମାର ଜେନା କହିଛନ୍ତି। ଓଡ଼ି-୩୩ ଅର୍ଥାତ୍‌ ଭୁବନେଶ୍ବର ଆରଟିଓ-୨ ଅଧÒନରେ ଉକ୍ତ ଗାଡ଼ି ପଞ୍ଜିକୃତ ହୋଇଥିବାବେଳେ ସମ୍ପୃକ୍ତ ଡ୍ରାଇଭରଙ୍କର ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଧ କରାଯିବ। ସେ ଗିରଫ ହେବା ଓ ଦୁର୍ଘଟଣା ଘଟାଇଥିବା ପ୍ରମାଣିତ ହେବା ପରେ ଆରଟିଓ-୨ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଧିକାରୀ ଶ୍ରୀ ଜେନା କହିଛନ୍ତି। ସୂଚନାଯୋଗ୍ୟ, ହିଟ୍ ଆଣ୍ଡ ରନ୍ ଘଟଣାରେ ୮ ବର୍ଷୀୟ ନାବାଳିକା ଓ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ପରିବହନ ବିଭାଗ ମଧ୍ୟ ଏହି ଘଟଣା ସମ୍ପର୍କରେ ଭୁବନେଶ୍ୱର ଆରଟିଓ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି। ସ୍ଥାନୀୟ ଲୋକଙ୍କ ମତରେ, ଏହା ପରି ଦୁର୍ଘଟଣା ରୋକିବା ପାଇଁ କଡ଼ା ନିୟମ ଓ ଟ୍ରାଫିକ ନିୟନ୍ତ୍ରଣ ଆବଶ୍ୟକ। ଏହି ଘଟଣା ପରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକେ ମଦ୍ୟପ ଡ୍ରାଇଭିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ପୁଲିସ ଏବେ ଏହି ମାମଲାରେ ତଦନ୍ତ କରୁଛି ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ଡିସିପି ଜଗମୋହନ ମୀନା କହିଛନ୍ତି।

Exit mobile version