ପିସିସି ଟିମ ସମ୍ପ୍ରସାରଣ ମାସକରେ ବହୁ ନେତାଙ୍କୁ ଟିମରେ ଯୋଡିବେ 

ନୂଆ ଟିମକୁ ନେଇ କଂଗ୍ରେସ ନେତାମାନେ ଧଯ୍ୟ ଧରନ୍ତୁ । ଟିମରେ ସାମିଲ ବଡ କଥା ନୁହେଁ, କଂଗ୍ରେସ ପାଇଁ କାମ କରିବାକୁ ନେତାଏ ଆଗ୍ରହ ପ୍ରକାଶ କରିବା ଦରକାର । ବହୁ ନେତା ୨୫ ବର୍ଷ ହେବ କଂଗ୍ରେସରେ ଥିବାରୁ ପଦ ଦରକାର ବୋଲି କହୁଛନ୍ତି । ପଦ ନୁହେଁ କଂଗ୍ରେସ ସମସ୍ତଙ୍କୁ ସମ୍ମାନ ଦେବ । ଯିଏ କାମ କରିବ, ସେ ସମ୍ମାନ ପାଇବ ବୋଲି ବୁଧବାର ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ପିସିସି ଗଢ଼ିଥିବା ନୂଆ ଟିମରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ୩୦ ଜଣିଆ ଟିମରେ ଆଠ ଜଣ ଆଦିବାସୀ ଓ ୭ଜଣ ଓବିସି ଅଛନ୍ତି, ସବୁ ଜାତିର ନେତାଙ୍କୁ ନେଇ ଛୋଟ ଟିମ୍ ହୋଇଛି । ନିର୍ବାଚିତ ବିଧାୟକମାନଙ୍କୁ ଟିମରେ ଗୁରୁତ୍ବ ଦିଆଯାଇଛି । ସେମାନଙ୍କୁ ପଦ ପଦବୀ ଦେଇ ଦଳୀୟ କାମ କରିବେ । ମାସେ ପରେ ଟିମର ସଂପ୍ରସାରଣ କରାଯିବ । ବହୁ ନେତାଙ୍କୁ ଟିମରେ ଯୋଡ଼ାଯିବ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପିସିସିର ନୂଆ ଟିମକୁ ଅନୁମୋଦନ ମିଳିଥିଲା । ଟିମରେ ୭ ଜଣ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ରାଜ୍ୟ ସମ୍ପାଦକଙ୍କ ସହ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଥିଲା । ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଟିମରେ ନିଆଯାଇ ନଥିବାରୁ କିଛି ନେତା ଅସନ୍ତୋଷ ଜାହିର କରିଥିଲେ । ପରେ ଏନେଇ ପିସିସି ସଭାପତି ଶ୍ରୀ ଦାସ ଏହି ପ୍ରତିକ୍ରିୟା ଦେଇଛନ୍ତି ।