ପଞ୍ଜାବର ଅମୃତସର ଜିଲ୍ଲାର ମାଜିଥା ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଅମୃତସରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ତିନୋଟି ଗାଁର ଲୋକ ଅଛନ୍ତି । ମୃତ୍ୟୁବରଣ କରିଥିବା ଏବଂ ଗୁରୁତର ଅସୁସ୍ଥ ଥିବା ସମସ୍ତେ ଦିନମଜୁରିଆ ଶ୍ରମିକ । ଶସ୍ତା ମଦ ମିଳୁଥିବାରୁ ସେମାନେ ଏହାକୁ ସେବନ କରୁଥିଲେ । ଅସୁସ୍ଥମାନଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୋଲିସ ଏବଂ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ବିଷାକ୍ତ ମଦ କେଉଁଠୁ ଏବଂ କିପରି ଆସିଲା ସେ ବିଷୟରେ ସେମାନଙ୍କୁ ପଚରାଉଚରା କରାଯାଉଛି । ଗତ ୩ ବର୍ଷ ମଧ୍ୟରେ ପଞ୍ଜାବରେ ଏହା ଚତୁର୍ଥ ମାମଲା ।
ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ପୁଅ ମଦ ପିଇବା ପରେ ବାନ୍ତି ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନା ନିଆଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ନକଲି ମଦ ବ୍ୟବସାୟ ଚାଲିଥିଲା, କିନ୍ତୁ ପ୍ରଶାସନ କେବେବି କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ଲୋକଙ୍କ ମୃତ୍ୟୁ ପରେ ଏବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଚଢାଉ ଆରମ୍ଭ କରିଛି । ସୂଚନା ପାଇବା ପରେ, ଡିସି ସାକ୍ଷୀ ସାହାଣୀ ମଧ୍ୟ ମଙ୍ଗଳବାର ସକାଳେ ପ୍ରଭାବିତ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ସେ କହିଛନ୍ତି ଯେ, ତିନୋଟି ଗାଁରେ ଯେଉଁମାନେ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ପୋଲିସ ନକଲି ମଦ ରାକେଟର ମାଷ୍ଟରମାଇଣ୍ଡ ପ୍ରଭଜିତ ସିଂହଙ୍କୁ ଗିରଫ କରିଛି । ବିଏନଏସ ଧାରା ୧୦୫ ଏବଂ ଅବକାରୀ ଆଇନର ୬୧ଏ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ନେଟୱାର୍କକୁ ଧରିବାକୁ ପୋଲିସ ଉଦ୍ୟମ କରୁଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।