ଭୁବନେଶ୍ବର କ୍ଲବ ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସଭାପତି ନିର୍ବାଚିତ ହୋଇଛନ୍ତି। ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ସଭାପତି ନିର୍ବାଚିତ ହୋଇଛନ୍ତି। ସେହିଭଳି ଲଳିତ ଦାସ ଭୁବନେଶ୍ବର କ୍ଲବ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ସଭାପତି ପଦ ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପ୍ରଦୀପ କୁମାର ଜେନାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଭୁବନେଶ୍ବର କ୍ଲବର ସଭାପତି ଓ ସମ୍ପାଦକ ଜୀବନ କାଳମଧ୍ୟରେ ମଧ୍ୟରେ କିଭଳି ଜଣେ ବ୍ୟକ୍ତି ଦୁଇ ଥରରୁ ଅଧିକ ରହିବପାରିବେ ନାହିଁ ବୋଲି ପ୍ରଦୀପ ଜେନା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କହିଛନ୍ତି ।ଏହି ପାୱାରଫୁଲ ଲଢେଇରେ ବିଜୟ ହେବା ପରେ ପ୍ରଦୀପ ଜେନା କହିଛନ୍ତି ଯେ, ଭଲ ଲଢେଇ ହୋଇଥିଲା । ଏହା ମୋ ଜୀବନ କାଳ ମଧ୍ୟରେ ଦ୍ବିତୀୟ ନିର୍ବାଚନ । କେନ୍ଦୁଝର କଲେଜରେ ହଷ୍ଟେଲ ମାଗାଜିନ ଏଡିଟର ପାଇଁ ନିର୍ବାଚନ ଲଢିଥିଲି । ମୁଁ ସବୁ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ନିର୍ବାଚନରେ କୌଣସି ବଡ ପ୍ରଚାର ହୋଇନଥିଲା, କେବଳ ଫୋନ ଯୋଗେ ସବୁ ସଦସ୍ୟଙ୍କ ସହ ମୁଁ କଥା ହୋଇଥିଲି । ପ୍ରାୟ ୧୬ ଶହ ସଦସ୍ୟଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଥିଲି । ମୋ ଚିନ୍ତାଧାରା ଜଣାଇଥିଲି । ସଦସ୍ୟମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ଗଣମାଧ୍ୟମ ପ୍ରତିନିଧିଙ୍କଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଭୁବନେଶ୍ବର କ୍ଲବର ସଭାପତି ଓ ସମ୍ପାଦକ ଜୀବନ କାଳମଧ୍ୟରେ ମଧ୍ୟରେ ଦୁଇ ଥରରୁ ଅଧିକ ରହିବପାରିବେ ନାହିଁ । କାର୍ଯ୍ୟନିର୍ବହୀ ପରିଷଦର ପ୍ରଥମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯିବ । ଏହା ପରେ ସାଧାରଣ ପରିଷଦ ବୈଠକରେ ଏହାକୁ ଅନୁମୋଦିତ କରାଯିବ ।ଏହି ନିର୍ବାଚନ ପ୍ରଥମ ଥର ପାଇଁ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶନିବାର ଇ-ଭୋଟିଂ ଏବଂ ରବିବାର ବ୍ୟାଲଟ୍ ଭୋଟିଂ ହୋଇଥିଲା। କ୍ଲବରେ ମୋଟ ୨୩୨୧ ଭୋଟର ଥିବା ବେଳେ ୧୯୨୨ ବ୍ୟକ୍ତିଗତ ଏବଂ ୩୯୯ କର୍ପୋରେଟ୍ ସଦସ୍ୟ ଭୋଟ୍ ଦେଇଥିଲେ। ରବିବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ଲବ ପରିସରରେ ୫ଟି ବୁଥ୍ରେ ବ୍ୟାଲଟ୍ ଭୋଟିଂ ହୋଇଥିଲା ଏବଂ ସନ୍ଧ୍ୟା ପରେ ଫଳାଫଳ ଘୋଷଣା କରାଯାଇଥିଲା। ଅସିତ ତ୍ରିପାଠୀ ପୂର୍ବରୁ ଦୁଇ ଥର ସଭାପତି ହୋଇଥିବା ବେଳେ ଏଥର ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିଲେ ଏବଂ ତାଙ୍କର ନିର୍ବାଚନ ସ୍ଲୋଗାନ୍ ଥିଲା “ବିକାଶ ଏକ ଯାତ୍ରା”। ପ୍ରଦୀପ ଜେନା ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ତାଙ୍କର ସ୍ଲୋଗାନ୍ ଥିଲା “ପରିବର୍ତ୍ତନ ପାଇଁ ଭୋଟ୍”। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରଦୀପ ଜେନାଙ୍କୁ ପରୋକ୍ଷ ଭାବେ ସମର୍ଥନ କରିଥିଲେ । ଏହି ନିର୍ବାଚନ ରାଜ୍ୟର ପ୍ରଶାସନିକ ବର୍ଗରେ ବିଭାଜନର ପ୍ରତିଫଳନ ବୋଲି ଦେଖାଯାଉଥିଲା, ଯେଉଁଥିରେ ଉଭୟ ପ୍ରାର୍ଥୀ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ନେଇ ରାଜନୈତିକ ଗୋଟି ଚାଳନା କରିଥିଲେ ।ନିର୍ବାଚନରେ ପ୍ରଦୀପ କୁମାର ଜେନା ଅସିତ ତ୍ରିପାଠୀଙ୍କୁ ୧୮ ଭୋଟରେ ପରାସ୍ତ କରି ସଭାପତି ନିର୍ବାଚିତ ହୋଇଛନ୍ତି। ଉପସଭାପତି ପଦରେ ପ୍ରଗତି ମହାନ୍ତି ୬୦ ଭୋଟରେ ବିଜୟୀ ହୋଇଛନ୍ତି। ସଂପାଦକ ପଦରେ ଆଇପିଏସ ଅଫିସର ଲଳିତ ଦାସ ୭୬ ଭୋଟରେ ବିଜୟ ଲାଭ କରିଛନ୍ତି। ଯୁଗ୍ମ ସଂପାଦକ ପଦରେ ସମ୍ବିତ ମହାନ୍ତି ୬୮ ଭୋଟରେ ବିଜୟୀ ହୋଇଛନ୍ତି। ଅସିତ ତ୍ରିପାଠୀଙ୍କ ପ୍ୟାନେଲରୁ ଉପସଭାପତି ପ୍ରଗତି କୁମାର ମହାନ୍ତି, ସଂପାଦକ ଟୁଟୁଲ କିଶୋର ଦାସ ଏବଂ ଯୁଗ୍ମ ସଂପାଦକ ସମ୍ବିତ ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପ୍ରଦୀପ ଜେନାଙ୍କ ପ୍ୟାନେଲରୁ ଉପସଭାପତି ଡକ୍ଟର ପି.ଭି. ମୋହନ, ସଂପାଦକ ଆଇପିଏସ ଅଫିସର ଲଳିତ ଦାସ ଏବଂ ଯୁଗ୍ମ ସଂପାଦକ ପ୍ରଶାନ୍ତ ନାଥ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ପ୍ୟାନେଲରୁ ୬ ଜଣ ଲେଖାଏଁ କାର୍ଯ୍ୟକାରୀ କମିଟି ସଦସ୍ୟ ପଦ ପାଇଁ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନ ରାଜନୈତିକ ଏବଂ ପ୍ରଶାସନିକ ମହଲରେ ବେଶ କିଛି ଦିନ ହେବ ଚର୍ଚ୍ଚାର ବିଷୟ ହୋଇଥିଲା ।
ପ୍ରଦୀପ ଜେନା ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚିତ
