ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨ରେ ଭୁବନେଶ୍ବରରେ ପହଞ୍ଚି ୩ ତାରିଖରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରେମୁଣା ନୂଆପାଢ଼ିସ୍ଥିତ ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ୍ରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ଫେବ୍ରୁଆରି ୪ ତାରିଖରେ ଯାଜପୁରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ବିରଜାଙ୍କ ଦର୍ଶନ କରିବେ।
ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଫେବ୍ରୁଆରୀ ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ପହଞ୍ଚି ଲୋକ ଭବନରେ ରାତ୍ରିଯାପନ କରିବେ। ମଙ୍ଗଳବାର ଫେବୃଆରୀ ୩ ତାରିଖରେ ଯାଜପୁରରେ ମା’ ବିରଜା ମନ୍ଦିର ଦର୍ଶନ କରିବା ପରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ବୁଧବାର ଫେବ୍ରୁଆରୀ ୪ ତାରିଖରେ ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ କ୍ରୀଡ଼ା କମ୍ପ୍ଲେକ୍ସ ଏବଂ ବିଦ୍ୟାଳୟରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଗୁରୁବାର ଫେବ୍ରୁଆରୀ ୫ ତାରିଖରେ ରାଇରଙ୍ଗପୁର ଏବଂ ଆଖପାଖରେ ଅଞ୍ଚଳ ପରିଦର୍ଶନ କରି ସିମିଳିପାଳରେ ରାତ୍ରିଯାପନ କରିବେ। ଶୁକ୍ରବାର ଫେବ୍ରୁଆରୀ ୬ ତାରିଖରେ ସିମିଳିପାଳରେ ଆଦିବାସୀ ସମୁଦାୟ ସହ ଆଲୋଚନା କରି ଭୁବନେଶ୍ୱର ଫେରି ବ୍ଲାକ୍ ସ୍ୱାନ୍ ସମ୍ମିଳନୀରେ ଯୋଗ ଦେବେ। ଶନିବାର ଫେବ୍ରୁଆରୀ ୭ ତାରିଖରେ ଛତିଶଗଡ଼ ପ୍ରସ୍ଥାନ କରିବେ।
