ଶନିବାର ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ବାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି। ତିନି ରଥରେ ଚାରମାଳ ବନ୍ଧା ହେବ। ତେବେ ଶୁକ୍ରବାର ଶ୍ରୀଜିଉ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଶେଷ ଦର୍ଶନ ଦେଇଥିଲେ । ପୁଣି ଭକ୍ତଙ୍କୁ ଆସନ୍ତାବର୍ଷ ରଥଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ଭକ୍ତ ପ୍ରବେଶ କରୁଥିବା ବେଳେ ନାକଚଣା ଦ୍ଵାର ଦେଇ ଭକ୍ତ ପ୍ରସ୍ଥାନ କରିଥିଲେ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାସହ ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ନିଜେ ଉପସ୍ଥିତ ରହି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, ‘ଆଜି ପ୍ରବଳ ଭକ୍ତ ଭିଡ ହୋଇଛି । ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଭକ୍ତ ମାନେ ଦର୍ଶନ କରିଥିଲେ । ସବୁ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି । ଲୋକଙ୍କ ସହଯୋଗ ଆମେ ପାଉଛୁ । ମୁଁ ଆଶା କରୁଛି ଭକ୍ତ ମାନେ ଭଲରେ ଦର୍ଶନ ପାଇବେ । ବାହୁଡ଼ା ଯାତ୍ରା ପାଇଁ ଆମର ସବୁ ପ୍ରସ୍ତୁତି ସରିଛି । ସେହିପରି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ‘ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ପରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ମହାପ୍ରଭୁଙ୍କ ନୀତିକାନ୍ତି ସଠିକ୍ ସମୟରେ ଚାଲିଛି । ଆଜି ଯେହେତୁ ମହାପ୍ରଭୁଙ୍କ ନବମୀ ଦର୍ଶନ ଏଣୁ ବହୁତ୍ ଭକ୍ତଙ୍କ ଭିଡ ରହିଥିଲା । ତେବେ ଆସନ୍ତାକାଲି ବାହୁଡା଼ ଦିନ । ଏହା ପୂର୍ବରୁ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଥାଏ । ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ବ୍ୟବସ୍ଥା ହୋଇଛି । ରଥର ଭିତର କର୍ଡନ ବ୍ୟବସ୍ଥା, ସାଧାରଣ କର୍ଡନ ବ୍ୟବସ୍ଥା, ରଥ ଟଣା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଟ୍ରାଫିକ ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।’ ଅନ୍ୟପଟେ ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ‘ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଥିଲା । ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକରେ ଚାଲିଛି । ତେବେ ଆସନ୍ତାକାଲି ବାହୁଡା଼ ଯାତ୍ରା ପାଇଁ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆମେ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭକ୍ତ ମାନେ କିଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ତେବେ ବାହୁଡା଼ ଦିନ ଶ୍ରୀମନ୍ଦିର ସିଂହଦ୍ଵାରରେ ରଥ ପହଞ୍ଚିବା ଆବଶ୍ୟକ ଥିବାରୁ ରଥ ଭିତର କର୍ଡନରେ ଯେତିକି ଆବଶ୍ୟକ ଲୋକ ସେତିକି ହିଁ ରହିବେ । ଏହା ଉପରେ ଆମେ ବେଶୀ ଗୁରୁତ୍ଵ ଦେଉଛୁ ।
ମିଳିଥିବା ସୂଚନା ମୁତାବକ, ସକାଳ ୪ଟାରେ ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫.୪୫ ରୁ ୬.୪୫, ସେନାପଟାଲାଗି ସକାଳ ୭.୦୦ ରୁ ୧୧.୩୦, ମଙ୍ଗଳାର୍ପଣ ଦିନ ୧୧.୪୫, ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି ହେବ। ଏଥି ସହ ଛେରା ପହଁରା ୨ଟା ୩୦ରୁ ୩.୩୦ ମଧ୍ୟରେ କରାଯିବ । ଚାରମାଳ ଫିଟା ଓ ଘୋଡ଼ା ଲାଗିବା ଦିନ ୩.୦୦ ରୁ ୪.୦୦ଟାରେ ହେବ। ପରେ ଅପରାହ୍ନ ୪ଟାରେ ହେବ ରଥଟଣା ଆରମ୍ଭ ହେବ ବୋଲି ସୂଚନା ରହିଛି। ବାହୁଡାଯାତ୍ରା ପାଇଁ ୨୦୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ । ଯେଉଁଠି ଭିଡ ଅଧିକ ହେବ ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରେ ମୁତୟନ ଥିବା ପୋଲିସ ଅଧିକାରୀଙ୍କୁ ସୂଚନା ଦିଆଯିବ । ଯାହା ଫଳରେ ଭିଡକୁ ନିୟନ୍ତ୍ରଣ କରାଯିବ। ବଡଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ଗ୍ରୀନ କରିଡ଼ର ରହିବ । ଯଦି କୌଣସି ଦଳାଚକଟା ଘଟଣା ଘଟେ ଅବା କେହି ଭକ୍ତ ଅସୁସ୍ଥ କି ଆହତ ହେବେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ରେ ଗ୍ରୀନ କରିଡ଼ର ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇପାରିବ ।