ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରହିଥିଲେ ଜ୍ୟୋତି
ପାକିସ୍ତାନୀ ଗୁପ୍ତଚର ଭାବେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପୁରୀ ଆସିବା ଘଟଣାକୁ ନେଇ ଜୋରସୋରେ ତଦନ୍ତ ଚଳାଇଛି ପୁରୀ ପୋଲିସ । ପାକିସ୍ତାନ ଗୁପ୍ତଚର ଭାବେ କାର୍ଯ୍ୟ କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତାଙ୍କ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ତେବେ ସେ ତାଙ୍କ ବୃଦ୍ଧା ମା ଚନ୍ଦେର କାନ୍ତାଙ୍କ ସହ ପୁରୀ ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ଗତ ବର୍ଷ ସେପ୍ଟେମ୍ବର ୨୧ ତାରିଖରେ ରହି ୨୨ ତାରିଖ ସନ୍ଧ୍ୟାରେ ଛାଡିଥିଲେ। କିନ୍ତୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କର ରୁମ୍ ବୁକ୍ ରହିଥିଲା” ବୋଲି କହିଛନ୍ତି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ମ୍ୟାନେଜର ଦିଲୀପ ଦେ ।
ମ୍ୟାନେଜର ଦିଲୀପ ଆହୁରି ମଧ୍ୟ କହିଛନ୍ତି ଯେ, ଜ୍ୟୋତି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ଆସିବା ବେଳେ ତାଙ୍କ ସହିତ ଚନ୍ଦ୍ରକାନ୍ତା ନାମକ ଜଣେ ବୟସ୍କ ମହିଳା ମଧ୍ୟ ରୁମରେ ରହିଥିଲେ । ଉକ୍ତ ମହିଳା ଜଣକ ଜ୍ୟୋତି ମାଲହୋତ୍ରାଙ୍କ ମାଆ ବୋଲି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ମ୍ୟାନେଜରଙ୍କୁ ସେ କହିଥିଲେ। ଜ୍ୟୋତି ମାଲହୋତ୍ରାଙ୍କ ରୁମ୍ କୁ ଅନ୍ୟ କୌଣସି ବ୍ୟକ୍ତି ଆସିନଥିବା ବେଳେ ତାଙ୍କ କାର୍ଯ୍ୟକଳାପ ମଧ୍ୟ କୌଣସି ସନ୍ଦେହଜନକ ନଥିଲା । ପୁରୀର ୟୁଟ୍ୟୁବର ସାଙ୍ଗ ପ୍ରିୟଙ୍କା ସେନାପତି ଜ୍ୟୋତିଙ୍କୁ ସେହିଠାକୁ ଦେଖା କରିବାକୁ ଆସିନଥିଲେ । ତେବେ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଜ୍ୟୋତି ମାଲହୋତ୍ରାଙ୍କ ରୁମ୍ ବୁକ୍ ଥିବାବେଳେ ସେ କାହିଁକି ତା ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟା ବେଳେ ରୁମ୍ ଛାଡିଲେ ସେନେଇ ପ୍ରଶ୍ନ ଉଠିଛି। ପୋଲିସ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ଯାଇ ଯାଞ୍ଚ କରିବା ସହ ପଚରାଉଚରା କରିଥିଲା ।
ବିଶେଷ କରି ପୁରୀର କେଉଁ କେଉଁ ସ୍ଥାନକୁ ଜ୍ୟୋତି ମାଲହୋତ୍ରା ଯାଇଥିଲେ ? କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି କି ନାହିଁ? ସେନେଇ ପୋଲିସ ତଦନ୍ତ କରୁଛି। ସେହିପରି ଜ୍ୟୋତିଙ୍କ ସହ ପ୍ରିୟଙ୍କା କାଶ୍ମୀର, ପାକିସ୍ତାନର କରତାରପୁର ସହିତ ଅନ୍ୟ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ଏବଂ ଏଥିପାଇଁ କିଏ ପ୍ରିୟଙ୍କାଙ୍କୁ ଅର୍ଥ ଯୋଗାଇଛି ସେ ସମସ୍ତ ଘଟଣାର ଯାଞ୍ଚ କରୁଛି ପୁରୀ ପୋଲିସ। ପ୍ରିୟଙ୍କାଙ୍କ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରୁ ଅନେକ ଭିଡିଓ ଡିଲେଟ କରାଯାଇଥିବାବେଳେ ଏହାର ଅନୁଧ୍ୟାନ ମଧ୍ୟ କରୁଛି ପୋଲିସ । ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ସାଇଟରେ ଶ୍ରୀମନ୍ଦିରର ଡ୍ରୋନ୍ ଫୁଟେଜ ଥିବାରୁ ସେଗୁଡିକ କିଭଳି ଭିଡିଓ କରିଥିଲେ ସେ ନେଇ ତଦନ୍ତ ହେଉଛି। ସମସ୍ତ ତଦନ୍ତ ସରିବା ପରେ ହିଁ ପୋଲିସ ନିର୍ଯାସରେ ପହଞ୍ଚିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
ପୁରୀ ଏସପି ବିନୀତ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଆମେ ସବୁ ଦିଗକୁ ନେଇ ଯାଞ୍ଚ କରୁଛୁ । ଯେତେ ଶୀଘ୍ର ଏକ ନିର୍ଯ୍ୟାସରେ ପହଞ୍ଚିବା ପାଇଁ ଆମେ ତଦନ୍ତ ଜାରି ରଖିଛୁ। ଯେହେତୁ ତଦନ୍ତ ଚାଲିଛି ଆମେ କୌଣସି ନୀର୍ଯ୍ୟାସରେ ପହଞ୍ଚିନୁ । ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ଯୋଗାଯୋଗରେ ଅଛୁ । ଆମ ଭିତରେ ସହଯୋଗ ରହିଛି । ଯାହା ନିର୍ଦ୍ଦେଶ ଆସୁଛି ସେହି ଅନୁଯାୟୀ ତଦନ୍ତ ଚାଲିଛି । ତେବେ ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିରର ଏକ ଡ୍ରୋନ ଭିଡିଓ ଅପଲୋଡ଼ ହୋଇଥଲା । ଏହା କେବେ କିଭଳି କରାଯାଇଥିଲା ତାହା ଆମେ ଅନୁସନ୍ଧାନ କରୁଛୁ । ପ୍ରିୟଙ୍କା ସୋସିଆଲ ମିଡ଼ିଆ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ କୁ ପୋଲିସ୍ ଜାଞ୍ଚ କରୁଛି । ତେବେ ସମ୍ପୂର୍ଣ ତଦନ୍ତ ସରିବା ପରେ ହିଁ ଆମେ କହିପାରିବା ଜ୍ୟୋତି ମାଲାହୋତ୍ରାଙ୍କ ସହ ପୁରୀ ପ୍ରିୟଙ୍କା ସେନାପତିଙ୍କ କଣ ଲିଙ୍କ ରହିଛି।”
ଗତ ୨୦୨୪ ସେପ୍ଟେମ୍ବର ମାସରେ ଜ୍ୟୋତି ମାଲହୋତ୍ରା ପୁରୀ ଆସି ଶ୍ରୀମନ୍ଦିର ସମେତ, ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିଥିବାରୁ କେଉଁ ଉଦ୍ଦେଶ୍ୟ ନେଇ ସେ ପୁରୀ ଆସିଥିଲେ ତା’କୁ ନେଇ ଚର୍ଚ୍ଚା ଆଲୋଚନା ଏବେ ଲାଗି ରହିଛି । ସେପଟେ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ଥିବା ନେଇ ଜଣାପଡ଼ିବା ପରେ ଗତ ଚାରିଦିନ ହେବ ପ୍ରିୟଙ୍କାଙ୍କୁ ଜେରା କରୁଛି ପୁରୀ ପୋଲିସ। କେନ୍ଦ୍ର, ରାଜ୍ୟର ଗୁଇନ୍ଦା ବିଭାଗ, ହରିୟାଣା ପୋଲିସ ଏବଂ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଯୋଗସୂତ୍ର ରକ୍ଷାକରି ପ୍ରିୟଙ୍କାଙ୍କୁ ଜେରା କରୁଛି ପୋଲିସ। ଗତ ଚାରିଦିନ ହେବ ପ୍ରିୟଙ୍କା ଗଣମାଧ୍ୟମ ସାମ୍ନାକୁ ପ୍ରତିକ୍ରିୟା ଦେବାକୁ ଆସୁନାହାନ୍ତି । ପ୍ରିୟଙ୍କାଙ୍କ ପରିବାର ଲୋକେ ଗତ ଚାରିଦିନ ହେବ ଘର ଭିତରେ ଥିବାବେଳେ ତାଙ୍କ ସାହି ବାସିନ୍ଦା ଏବଂ ପଡୋଶୀଙ୍କ ଠାରୁ ଦୂରେଇ ରହିଛନ୍ତି।