ଆସନ୍ତା ଜୁନ ୨୭ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଏହି ମହାନ ଉତ୍ସବକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ, କଟକଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରା ସମୟରେ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଭକ୍ତଙ୍କ ସୁବିଧା ନିମନ୍ତେ ବିସ୍ତୃତ ଆଲୋଚନା ହୋଇଛି।
ଶ୍ରୀଜଗନ୍ନାଥଙ୍କ ରୀତିନୀତି ଅନୁଯାୟୀ, ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୬ରେ ନବଯୌବନ ଦର୍ଶନ, ଜୁନ ୨୭ରେ ରଥଯାତ୍ରା, ଜୁଲାଇ ୦୧ରେ ହେରା ପଞ୍ଚମୀ, ଜୁଲାଇ ୦୫ରେ ବାହୁଡ଼ା ଯାତ୍ରା ଏବଂ ଜୁଲାଇ ୦୮ରେ ନୀଳାଦ୍ରି ବିଜେ ପାଳନ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସିସିଟିଭି ସ୍ଥାପନ, ଟ୍ରାଫିକ ଜୋନ ବ୍ୟବସ୍ଥା, ପାର୍କିଂ ସୁବିଧା, ସମୁଦ୍ର କୂଳରେ ପାଟ୍ରୋଲିଂ ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ସ୍ଥାପନ ଆଦି ପଦକ୍ଷେପ ନିଆଯାଇଛି।
ଡିଜିପି ଖୁରାନିଆ ବରିଷ୍ଠ ଅଧିକାରୀମାନଙ୍କୁ ସଜାଗ ରହି ସୁରକ୍ଷା ଓ ଶୃଙ୍ଖଳା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେଳବାଇ ପୋଲିସ ଓ ଆରପିଏଫ ସହ ସମନ୍ୱୟ ରକ୍ଷା କରି ପୁରୀ, ଭୁବନେଶ୍ୱର ଆଦି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯିବ। ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଡ୍ରାଇଭ, ହୋଟେଲ ଯାଞ୍ଚ, K-9 ସ୍କ୍ୱାଡ଼ ମୁତୟନ ଏବଂ ଅତିବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ସହ ମିଶି ଭକ୍ତଙ୍କ ସୁବିଧା ଓ ଆପାତକାଳୀନ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।