Utkala Mirror I Odisha News, Latest Odia News

ଶ୍ରୀମନ୍ଦିରର ୨ କିଲୋମିଟର ପରିସରରେ ମଦ ଓ ଆମିଷ ବିକ୍ରି ବନ୍ଦ

ବିଶ୍ୱ ପ୍ରସିଦ୍ଧ ପୁରୀକୁ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଆସୁଛନ୍ତି । ଏହା ଏକ ଆନ୍ତର୍ଜାତୀୟ ତୀର୍ଥସ୍ଥଳୀ । ଏହାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ପରିସର ମଧ୍ୟରେ ମଦ ଏବଂ ଆମିଷ ବିକ୍ରି ନିଷେଦ୍ଧ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ରବିବାର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ, ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖୋଲାଯିବାକୁ ଜିଲା ପ୍ରଶାସନକୁ ବାରଣ କରାଯାଇଛି। ଆଗାମୀ ଦିନରେ ଏହି ପରିସର ଭିତରେ ଯେଭଳି ସମ୍ପୂର୍ଣ୍ଣ ଭାବେ ମଦ ଓ ଆମିଷ ବିକ୍ରି ନିଷେଧ ହୋଇପାରିବ ସେଥିପ୍ରତି ଦୃଷ୍ଟି ରଖାଯାଇଛି। ସବୁ ଦିନ ଲାଗି ଏହି ନିୟମ ବଳବତ୍ତର ରହିବ। ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ ବୋଲି ସେ କହିଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ବଡ଼ ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥାଟନ ସହର ଭଳି ଦେଖାଯିବା ଦରକାର। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଗୋଟେ କମନ୍ ଷ୍ଟ୍ରକ୍ଚର କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଉଚ୍ଚତା ଏବଂ ଲୁକ୍ କିପରି ଏକା ହେବ ସେନେଇ ନକ୍ସା ପ୍ରସ୍ତୁତ ହେଉଛି। ଅତ୍ୟାଧିନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ପୁରୀକୁ ବିଶ୍ୱରେ ଏକ ପ୍ରମୁଖ ପର୍ଯ୍ୟଟନ ସହରରେ ପରିଣତ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Exit mobile version