Utkala Mirror I Odisha News, Latest Odia News

ଗାଁରେ ବିଦ୍ୟାଙ୍ଗ ଗୋଷ୍ଠୀ ଗଠନ ହେବ

ଯୋଗ୍ୟ ଭିନ୍ନକ୍ଷମ ଶ୍ରମିକଙ୍କୁ ମନରେଗାରେ ୧୦୦ ଦିନର କାମ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏସଓପି ଜାରି କରିଛନି । ଯୋଗ୍ୟ ହିତାଧିକାରୀ ଚୟନ ସହିତ ଜବ କାର୍ଡ ବାଣ୍ଟିବା କାମ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି । ବିଡିଓ କାର୍ଯ୍ୟକ୍ରମ ଅଧିକାରୀ ଭାବେ ପ୍ରତି ଆର୍ଥିକ ବର୍ଷ ପୂର୍ବରୁ ପଞ୍ଚାୟତକୁ ଦିବ୍ୟାଙ୍ଗ ଶ୍ରମିକଙ୍କ ତାଲିକା ଦେବେ । ପ୍ରତି ଗାଁରେ ବିଦ୍ୟାଙ୍ଗ ଗୋଷ୍ଠୀ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଗୋଷ୍ଠୀରେ ଦିବ୍ୟାଙ୍ଗମାନେ ଏକତ୍ର କିମ୍ବା ଏକାକୀ କାମ କରିପାରିବେ ।  ମିଶନ ମୋଡରେ ଭିନ୍ନକ୍ଷମ ଶ୍ରମିକ ଚିହ୍ନଟ କରି କାର୍ଡ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପଞ୍ଚାୟତିରାଜ ବିଭାଗ ଏସଓପିକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦିବ୍ୟାଙ୍ଗମାନଙ୍କୁ ମନରେଗା ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଏସଓପି ଜାରି କରାଯାଇଛି। ଏସଓପି ଅନୁସାରେ, ମିଶନ ମୋଡରେ ମେ ୩୧ ତାରିଖ ସୁଦ୍ଧା ଭିନ୍ନକ୍ଷମ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବ୍ କାର୍ଡ ପ୍ରଦାନ କରାଯିବ। ଭିନ୍ନକ୍ଷମ ଶ୍ରମିକମାନଙ୍କୁ ସଦସ୍ୟ ଭାବରେ ନେଇ ଦିବ୍ୟାଙ୍ଗ ଶକ୍ତି ଗୋଷ୍ଠୀ ଗଠନ କରିବା ଏବଂ ସେମାନଙ୍କୁ କାମ ଯୋଗାଇବା ପାଇଁ ଗ୍ରାମ ପଞ୍ଚାୟତ ପଦକ୍ଷେପ ନେବ । ଏଥିରେ ଗ୍ରାମ ପଞ୍ଚାୟତ ବିଡିଓ ଏବଂ ବିଏସଏସଓଙ୍କ ସହଯୋଗ ନେଇପାରିବେ । ଭିନ୍ନକ୍ଷମ ଶ୍ରମିକମାନଙ୍କୁ ସଦସ୍ୟ ଭାବରେ ନେଇ ଦିବ୍ୟାଙ୍ଗ ଶକ୍ତି ଗୋଷ୍ଠୀ ଗଠନ ଜୁନ 30 ସୁଦ୍ଧା ସମାପ୍ତ ହେବ। ପୂର୍ବରୁ ଏହି ଯୋଜନାରେ ଜବ କାର୍ଡ ପାଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ କାର୍ଡଗୁଡ଼ିକୁ ମେ ୩୧ ତାରିଖ ସୁଦ୍ଧା ଅପଡେଟ୍ କରାଯିବ।  ବିଶେଷକରି ଉପଯୁକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କିଭଳି ଜବ କାର୍ଡ ମିଳିବ ସେନେଇ ସତର୍କତା ଅବଲମ୍ବନ କରିହେ । ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଜବ କାର୍ଡ ପ୍ରଦାନ କରିବା ପାଇଁ ଜିପି ସ୍ତରରେ ସଚେତନତା ଅଭିଯାନ ଆୟୋଜନ କରାଯିବ।
ପଞ୍ଚାୟତିରାଜ ବିଭାଗ ସଚିବ ଗିରିଶ ଏସଏନ ଜାରି କରିଥିବା ଏସଓପିରେ କୁହାଯାଇଛି ଯେ, ପରିବାର ଥିବା ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଭିନ୍ନକ୍ଷମ ମଜୁରିଆ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ । ରୋଜଗାର ଆଶାରେ ଥିବା ସମସ୍ତ ଭିନ୍ନକ୍ଷମଙ୍କୁ ଏଥିରେ ସାମିଲ କରାଯିବ । ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୂଚନା ଉପଯୁକ୍ତ ଫର୍ମାଟରେ ଦାଖଲ କରାଯିବ । ଯଦି ବ୍ୟକ୍ତିଙ୍କ ପାଖରେ ଭିନ୍ନକ୍ଷମତା ପ୍ରମାଣପତ୍ର ନାହିଁ, ତେବେ ଏପରି ବ୍ୟକ୍ତିମାନଙ୍କୁ ପ୍ରଥମେ ପ୍ରମାଣପତ୍ର ହାସଲ କରିବା ପାଇଁ କୁହାଯିବ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବ୍ଲକ ପ୍ରଶାସନକୁ ଦିବ୍ୟାଙ୍ଗଙ୍କ ଚିହ୍ନଟ ଏବଂ ମନରେଗା ଅଧୀନରେ ସେମାନଙ୍କ ଅଂଶଗ୍ରହଣ ବଢାଇବାରେ ସହାୟତା କରିବେ । କାର୍ଯ୍ୟକ୍ରମ ଅଫିସର ଭାବରେ ବିଡିଓ, ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ଗ୍ରାମ ପଞ୍ଚାୟତରେରେ ରହୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କର ଏକ ତାଲିକା ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ କିମ୍ବା ପିଇଓଙ୍କୁ ପ୍ରଦାନ କରିବେ। ଆବଶ୍ୟକ ପଡିଲେ, ଗ୍ରାମ ପଞ୍ଚାୟତର ସରପଞ୍ଚ କିମ୍ବା ପିଇଓ ମଧ୍ୟ ସେମାନଙ୍କ ଗ୍ରାମ ପଞ୍ଚାୟତର ଦିବ୍ୟାଙ୍ଗଙ୍କ ତାଲିକା ମାଗିପାରିବେ।
ସେହିଭଳି କାମ କରିବାକୁ ଯୋଗ୍ୟ ଏବଂ ପ୍ରତେକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କିଭଳି ୧୦୦ ଦିନର କାମ ମିଳିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଗାଁ ଗୁଡିକରେ ଦିବ୍ୟାଙ୍ଗ ଶକ୍ତି ଗୋଷ୍ଠୀ ଅତିକମରେ ଦୁଇ ଜଣ ଓ ଅତି ଅଧିକରେ ୨୦ ଜଣ ଲୋକଙ୍କୁ ନେଇ ଗଠନ କରାଯିବ । ଏହିଭଳି ଗୋଷ୍ଠୀଗୁଡିକୁ ପଞ୍ଚିକୃତ କରାଯିବ । ବିଡିଓ ଏବଂ ବିଏସଏସଓଙ୍କ ସହଯୋଗରେ ଗ୍ରାମ ପଞ୍ଚାୟତଗୁଡିକ ଦିବ୍ୟାଙ୍ଗ ଶକ୍ତି ଗୋଷ୍ଠୀ ଗଠନ କରିବେ । ଗୋଷ୍ଠୀରେ ଯୋଡିହେଉଥିବା ଦିବ୍ୟାଙ୍ଗମାନେ ଏକତ୍ର କିମ୍ବା ଏକାକୀ କାମ କରିପାରିବେ । ଦିବ୍ୟାଙ୍ଗ ମହିଳାମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ । ଆବଶ୍ୟକ ସ୍ଥଳେ ଦିବ୍ୟାଙ୍ଗ ମହିଳାମାନଙ୍କୁ ଆୟା ଭାବେ କର୍ମକ୍ଷେତ୍ରରେ ନିୟୋଜିତ କରାଯାଇପାରିବ । ଜିଲ୍ଲାପାଳମାନେ ପ୍ରତି ମାସରେ ଦିବ୍ୟାଙ୍ଗମାନଙ୍କୁ ୧୦୦ ଦିନକ କାମ ପ୍ରଦାନ ନେଇ ସମୀକ୍ଷା କରିବେ ।

Exit mobile version