Utkala Mirror I Odisha News, Latest Odia News

ରାହୁଲ ଗାନ୍ଧୀ ତାଙ୍କ କଳା ଚସମାରେ ଦେଖି ଏଭଳି ମନ୍ତବ୍ୟ ଦେଇଛନ୍ତି : ମନମୋହନ

କଂଗ୍ରେସ ରାଜ୍ୟରେ ବିଜେଡିର ବି-ଟିମ ହୋଇ କାମ କରୁଥିଲେ । ୧୯ ବର୍ଷ ଧରି ବିରୋଧୀ ଦଳ ଆସନରେ ରହିଲେ, ତାହାର ଫାଇଦା ନେଇପାରିଲେ ନାହିଁ । ଏବେ ତୃତୀୟ ନମ୍ବର ସ୍ଥାନରେ ଅଛନ୍ତି । ସରକାର ଗଠନ କରିବା ତାଙ୍କ ପାଇଁ କଷ୍ଟ । କଂଗ୍ରେସ ବହୁତ ବଦନାମ ହୋଇଛି । କଂଗ୍ରେସ ପାଇଁ ଓଡିଶାରେ କିଛି ସ୍ଥାନ ନାହିଁ ବୋଲି ଓଡିଶାକୁ ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଶ୍ରୀ ସାମଲ ଆହୁରି କହିଛନ୍ତି ଯେ, ଓଡିଶାର କୌଣସି ଶିଳ୍ପକୁ ବିକ୍ରି କରିବାର କଥା ଚିନ୍ତା କରିନାହୁଁ । ଜଗନ୍ନାଥଙ୍କ ରଥ କାହା ପାଇଁ ଅଟକେ ନାହିଁ । ବିଭ୍ରାନ୍ତିକର ତାଙ୍କ କଳା ଚସମାରେ ଦେଖୁଛନ୍ତି ରାହୁଲ । ଆଦାନୀ ଓ ଅମ୍ବାନୀ ଶବ୍ଦ ରାହୁଲ ଭୁଲିପାରୁନାହାନ୍ତି । ବରମୁଣ୍ଡା ପଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସାଂସଦ ପ୍ରଦୀପ ପୁରୋହୀତ କଡା ସମାଲୋଚନା କରିଛନ୍ତି ।

ଓଡିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ବକ୍ତବ୍ୟକୁ ରାଜ୍ୟ ବିଜେପି ସଭାପତି କଡା ସମାଲୋଚନା କରିଛନ୍ତି ।  ଓଡିଶାରେ କଂଗ୍ରେସ ସବୁ କରିଛି ବୋଲି ବକ୍ତବ୍ୟର ଜବାବ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ବୟସ ଅନୁସାରେ ଖଡଗେ ଜୀଙ୍କର ମେମୋରୀ ବୋଧ ହୁଏ କମିଯାଇଛି । ଭୁବନେଶ୍ବର ଏମ୍ସ ଅଟଳବିହାରୀ ବାଜପାୟୀ କରିଛନ୍ତି । ଦିଲ୍ଲୀ ପରେ ଦ୍ବିତୀୟ ଏମ୍ସ ଭୁବନେଶ୍ବରରେ ବାଜପାୟୀଙ୍କ ସମୟରେ ହୋଇଛି । ଆଜି ଦେଶବ୍ୟାପୀ ଏମ୍ସ ବ୍ୟାପିଛି । ଏହା କଂଗ୍ରେସ କରିନାହିଁ । କଂଗ୍ରେସ ମିଥ୍ୟା ଉପରେ ଆଧାରିତ ବୋଲି ତାଙ୍କୁ ଜନତା ପ୍ରତ୍ୟାଖାନ କରିଛନ୍ତି । ୨୦୦୦ ପରଠାରୁ କଂଗ୍ରେସ ସରକାରକୁ ଆସିପାରିଲା ନାହିଁ । ୪ ଥର କଂଗ୍ରେସକୁ ବିରୋଧୀ ଦଳ ଆସନ ମିଳିଲା, ଲୋକଙ୍କ ଆସ୍ଥା ଭାଜନ ହୋଇପାରିଲା ନାହିଁ । କଂଗ୍ରେସ ସରକାର ସମୟରେ ଦୁର୍ନୀତି ବଢିଲା, ଲୋକ ସହ୍ୟ କଲେନାହିଁ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ, ତାଙ୍କର କୌଣସି ଲକ୍ଷ୍ୟ ନାହିଁ ।  ବିଜେପି ସରକାର ଲୋକଙ୍କ ପାଇଁ କାମ କରୁଛି । ଚାଷୀଙ୍କୁ ୮୦୦ ଇନପୁଟ, ଭତ୍ତା ୪୦୦୦ ଟଙ୍କା ଦେବାକୁ କଂଗ୍ରେସ କେବେ ଚିନ୍ତା କରିନଥିଲା ।

ସେହିଭଳି ରାହୁଲ ଓ ଖଡଗେଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ମଧ୍ୟ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ କଂଗ୍ରେସ । ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା । ରାଜନୈତିକ ଦଳକୁ ବ୍ୟାନ୍ କରାଗଲା, କର୍ମକର୍ତ୍ତାଙ୍କୁ ଜେଲ୍‌ରେ ପୂରାଇଲେ । ରାହୁଲଙ୍କ କଥା ‘ଶୋ ଚୁହା ଖାକେ ବିଲି ହଜ୍‌କୋ ଚଲି ଭଳି’ । ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି ଲାଗୁଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ଆଦାନୀଙ୍କ ପରିବାର ପାଇଁ ରଥ ଅଟକିବା ମନ୍ତବ୍ୟର ଜବାବ ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ରାହୁଲ ଅବାନ୍ତର କଥା କହୁଛନ୍ତି । ବଳଭଦ୍ରଙ୍କ ରଥ ମୋଡ଼ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା ।  ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ । ସବୁ ବର୍ଷ ରଥ ୨ ଦିନରେ ଲାଗେ । କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି । ‘କଂଗ୍ରେସ ସମ୍ବିଧାନ ହତ୍ୟା କରିଥିବା ଦଳ, ଏବେ ନାଟକ କରୁଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ରାହୁଲ ଓ ଖଡ୍‌ଗେ ରାଜ୍ୟସରକାରଙ୍କୁ କରିଥିବା ସମାଲୋଚନା ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ରାହୁଲଙ୍କ କଥା ଶୁଣିବା ସ୍ଥିତିରେ ଲୋକେ ନାହାନ୍ତି । ଦିନ ଥିଲା, କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳକୁ ଲୋକେ ଚିହ୍ନି ନଥିଲେ । ଓଡ଼ିଶାରେ ଲମ୍ବା ସମୟ ଧରି କଂଗ୍ରେସ ଶାସନ କରିଥିଲା । କିନ୍ତୁ ଛବିରାଣୀ ଓ ଅନ୍ୟ ନିର୍ଯାତନା ଘଟଣା ସେତେବଳେ ଘଟିଥିଲା । ଆଜି କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି । ଡ୍ରାଇଭରଙ୍କ ଦାବି କିପରି ପୂରଣ କରାଯିବ ସେନେଇ ଉଦ୍ୟମ ଚାଲିଛି । ରଥ ଅଘଟଣକୁ ଗୁରୁତ୍ବର ସହ ନେଇଛନ୍ତି ସରକାର, କେଉଁଠି ତ୍ରୁଟି ରହିଲା ତର୍ଜମା ହେବ । ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରାଯିବ । ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠୁ ଅଦାନୀଙ୍କୁ ଟାର୍ଗେଟ କରାଯାଉଛି । ରଥଟଣା ବିଳମ୍ବ ସହ ଅଦାନୀଙ୍କର କୌଣସି ସଂପର୍କ ନାହିଁ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

Exit mobile version