ସୁନ୍ଦରଗଡ଼ରେ ରେଳ ଯନ୍ତ୍ରପାତି କାରଖାନା

୩ ହଜାରରୁ ଉର୍ଦ୍ଧ୍ବ କୋଟିର ୧୯ ପ୍ରକଳ୍ପକୁ ଅନୁମୋଦନ
ଗଞ୍ଜାମରେ ଜେଟି-ଲେସ୍ ଫ୍ଲୋଟିଂ ଟର୍ମିନାଲ ପ୍ରତିଷ୍ଠାକୁ ଅନୁମତି
ଯାଯଜୁପରରେ ପ୍ରତିଷ୍ଠା ହେବ ଶିଳ୍ପ ଗ୍ୟାସ ପ୍ଲାଣ୍ଟ
ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଲାଗି ୬ ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ବର, ତା ୨ ୤୫ ():
୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରାଧିକରଣ (ଏସଏଲଏସଡବ୍ଲୁସିଏ) ବୈଠକରେ ୩,୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁମୋଦିତ ପ୍ରକଳ୍ପ ଦ୍ବାରା ରାଜ୍ୟରେ ୭ ହଜାର ୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହାଦ୍ବାରା  ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଆଞ୍ଚଳିକ ବିକାଶ ଏବଂ ଅନ୍ତର୍ଭୁକ୍ତ ଅର୍ଥନୈତିକ ଅଭିବୃଦ୍ଧି ସୁନିଶ୍ଚିତ କରିବ ।
ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିରେ ଓଡ଼ିଶାରେ ଇସ୍ପାତ, ଲୁହା ଏବଂ ଫେରୋ ମିଶ୍ରଣ କ୍ଷେତ୍ରରେ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଟାଟା ଷ୍ଟିଲ ୭୦୦ କୋଟି ନିବେଶ କରି ଏହାର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ୬.୫ ଏମଟିପିଏ ରୁ ୭.୧ ଏମଟିପିଏକୁ ବୃଦ୍ଧି କରିବ । ଟାଟାଷ୍ଟିଲର ଏହି ଶିଳ୍ପ ସମ୍ପ୍ରସାରଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୩୭୫ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି କେନ୍ଦୁଝର ଜିଲ୍ଲାରେ ଶ୍ରୀମେଟାଲିକ୍ସ ଲିମିଟେଡ୍ ଏହାର ଇସ୍ପାତ କାରଖାନାକୁ ୮୮୫ କୋଟି ନିବେଶ କରିବ କରି ସମ୍ପ୍ରସାରଣ କରିବ, ଯାହାଦ୍ବାରା ୯୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଲାଲ ବାବା ସିମଲେସ୍ ଟ୍ୟୁବ୍ସ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୨୦୦ କୋଟି ବ୍ୟୟରେ ପ୍ରିସିସନ୍ ଟ୍ୟୁବ୍ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ଲାଗି ଦେଇଥିବା ପ୍ରକଳ୍ପ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ସର୍ଲନ୍ ଇଣ୍ଡିଆ ଲିମିଟେଡ୍ ସୁନ୍ଦରଗଡ଼ରେ ୫୫ କୋଟି ନିବେଶ କରି ଏକ ରେଳ ଯନ୍ତ୍ରପାତି ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ ଏବଂ ଏହାଦ୍ବାରା ୧୦୦୦ ଲୋକଙ୍କୁ ନିଯୁକ୍ତି ଦେବା ସମ୍ଭବ ହେବ ।
ଶିଳ୍ପ ଗ୍ୟାସ୍ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦେଇ ସରକାର ଲିଣ୍ଡେ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ପ୍ରସ୍ତାବିତ ଏକ  ଅତ୍ୟାଧୁନିକ ବାୟୁ ପୃଥକୀକରଣ ୟୁନିଟ୍ ପ୍ରତିଷ୍ଠା କରିବା ପ୍ରକଳ୍ପକୁ ସରକାର ଅନୁମୋଦନ କରିଛନ୍ତି । ଉକ୍ତ କମ୍ପାନୀ ଯାଯଜୁର ଜିଲ୍ଲାରେ ଏଥିଲାଗି ୪୨୫ କୋଟି ନିବେଶ କରିବାକୁ ଯାଉଛି। ଏହି କାରଖାନା ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଶିଳ୍ପ ଗ୍ୟାସ ଉତ୍ପାଦନ କରିବ ଏବଂ ଏହାଦ୍ବାରା ୧୦୦ ଲୋକଙ୍କୁ ପ୍ରତ୍ୟକ୍ଷ ପ୍ରଦାନ କରାଯାଇପାରିବ ବୋଲି ଆଶା କରାଯାଉଛି।
ସେହିଭଳି ଭୁବନେଶ୍ୱରୀ ଫୁଡ୍ସ ଆଣ୍ଡ ବ୍ରିଭେରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ପାନୀୟ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏଥିଲାଗି ଉକ୍ତ କମ୍ପାନୀ ୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ, ଯାହାଦ୍ବାରା ୮୨୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।
ଓଡ଼ିଶାର ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷମତାର ଅଭିବୃଦ୍ଧି ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ ମିଳିଛି । ଏସିଏମଇ କ୍ଲିନ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ୩୬୬.୫୦ କୋଟି ଟଙ୍କା ନିବେଶ କରି ଏକ ଜେଟି-ଲେସ୍ ଫ୍ଲୋଟିଂ ଟର୍ମିନାଲ ବିକଶିତ କରିବ । ଏହି ଟର୍ମିନାଲ ପ୍ରତିଷ୍ଠା ହେଲେ ସାମୁଦ୍ରିକ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଏହି ଟର୍ମିନାଲରେ ୭୫ ଜଣଙ୍କୁ ନିଯୁକ୍ତି ମିଳିପାରିବ ।  ଖୋର୍ଦ୍ଧା ଜିଲ୍ଲାରେ ବସନ୍ତବିହାର କନଷ୍ଟ୍ରକ୍ସନ୍ ୧୩୪.୫୦ କୋଟି ଟଙ୍କା ନିବେଶ କରି ଏକ ଲଜିଷ୍ଟିକ୍ସ ପାର୍କ ପ୍ରତିଷ୍ଠା କରିବ, ଯାହା ୨୯୬ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଲାଗି ଖୋର୍ଦ୍ଧା, ଗଞ୍ଜାମ, ଅନୁଗୁଳ ଏବଂ କୋରାପୁଟ ଜିଲ୍ଲାରେ ଛଅଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପର୍ଯ୍ୟଟନ କ୍ଷେତ୍ରର ଏହି ପ୍ରକଳ୍ପଗୁଡିକ ମଧ୍ୟରେ ବୀରେନ୍ଦ୍ର ହୋଟେଲ୍ସ ୧୦୫ କୋଟି ଟଙ୍କା ବିନିଯୋଗ କରି ରିସର୍ଟ ଏବଂ ୪-ତାରକା ହୋଟେଲ ନିର୍ମାଣ କରିବ ସେହିଭଳି ସ୍ପେକବ୍ରୁ ହୋଟେଲ୍ସ ୯୯.୮୬ କୋଟି ଟଙ୍କା, ସୂର୍ଯ୍ୟ ଇକୋ ରିସର୍ଟ ୮୬.୭୩ କୋଟି , ଟେସ୍କୋ ହୋଟେଲ୍ସ ଆଣ୍ଡ ମଲ୍ସ ଇନଫ୍ରାପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୮୦ କୋଟି ଟଙ୍କା, ସାତ୍ୱା ଓଲିଓ ପ୍ରାଇଭେଟ୍ ଲିମିଟେଡ୍ ୭୮ କୋଟି  ଏବଂ ଟିକେ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ୫୫.୫୦ କୋଟି ଟଙ୍କାର ନିବେଶ ପର୍ଯ୍ୟଟନ କ୍ଷେତ୍ରରେ କରିବେ । ଏହାଦ୍ବାରା ମୋଟ ୧,୪୪୮ ରୁ ଅଧିକ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କେମିକାଲ୍ସ ଏବଂ ପ୍ଲାଷ୍ଟିକ୍ କ୍ଷେତ୍ରରେ ନୂଆ ନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଜୟ ଶ୍ରୀ ଟି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବାଲେଶ୍ୱରରେ ଏକ ସିଙ୍ଗଲ୍ ସୁପର ଫସଫେଟ୍ (ଏସଏସପି) ପ୍ଲାଣ୍ଟ ୬୧ କୋଟି ଟଙ୍କାରେ ପ୍ରତିଷ୍ଠା କରିବ । ଏହାଦ୍ବାରା ୨୦୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ ।  ଏଚଭିଜି ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୫.୦୫ କୋଟି ଟଙ୍କା ବିନିଯୋଗ କରି ପ୍ଲାଷ୍ଟିକ୍ ଏବଂ ରାସାୟନିକ କାରଖାନା ସ୍ଥାପନ କରିବ, ଯାହା ୨୦୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ସେହିଭଳି କଳିଙ୍ଗ ଇନଫ୍ରା ପ୍ରୋଜେକ୍ଟସ୍ ଲିମିଟେଡ୍ ସମ୍ବଲପୁର ଜିଲ୍ଲାରେ ୬୦ କୋଟିର ପୁଞ୍ଜି ବିନିଯୋଗ କରି ଏକ କ୍ରାସ୍ ବାରିଅର୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ ଏବଂ ଏହାଦ୍ବାରା ୩୧୪ ଲୋକଙ୍କ ଲାଗି ସମ୍ଭାବ୍ୟ  ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେଉଁଝର ଜିଲ୍ଲାରେ ଶ୍ରୀଜଗନ୍ନାଥ ଯୋଗାଣ କମ୍ପାନୀ ୫୧.୪୦ କୋଟି ବିନିଯୋଗ କରି ମୋଲାସେସ୍ ମିଶ୍ରଣ ଏବଂ ଗୋଦାମ ସୁବିଧା ବିକଶିତ କରିବ, ଯାହା ୧୧୦ ଲୋକଙ୍କୁ ନିଯୁକ୍ତି ଦେବା ସହ କୃଷି ଏବଂ ଆନୁଷଙ୍ଗିକ ଶିଳ୍ପକୁ ସହଯୋଗ କରିବ। ଶ୍ରୀସିଦ୍ଧିବିନାୟକ ଟେକ୍ସକଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ସୂତା ରଙ୍ଗ ଏବଂ କପଡ଼ା ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବ। ୧୦୦ କୋଟି ଟଙ୍କା ନିବେଶ କରି ଉକ୍ତ କମ୍ପାନୀ ଏହି କମ୍ପାନୀ ୧,୦୭୦ ଲୋକଙ୍କ ଲାଗି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ବୈଠକରେ ଇସ୍ପାତ, ଲୁହା ଏବଂ ଫେରୋ ଆଲଏଜ, ଶିଳ୍ପ ଗ୍ୟାସ୍, ଲଜିଷ୍ଟିକ୍ସ, ଖାଦ୍ୟ ଏବଂ ପାନୀୟ, କୃଷି-ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ ଆତିଥ୍ୟ, ରାସାୟନିକ ପଦାର୍ଥ, ମେଟାଲ ଡାଉନଷ୍ଟ୍ରିମ୍ ଏବଂ ପୋଷାକ କ୍ଷେତ୍ରର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାଦ୍ବାରା ଉପରୋକ୍ତ କ୍ଷେତ୍ରରେ ଦେଶର ସବୁଠାରୁ ଆକର୍ଷଣୀୟ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *