Utkala Mirror I Odisha News, Latest Odia News

୪ ଦିନ ଉପକୂଳରେ ବର୍ଷା ଆଭ୍ୟନ୍ତରୀଣରେ ତାତି

ଏକ ଟ୍ରଫ୍ ଲାଇନ ଏବେ ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମରୁ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଉତ୍ତର ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚରେ ରହି ରହିଛି । ଫଳରେ ଉପକୂଳର ଅନେକ ସ୍ଥାନରେ ବର୍ଷା ସହ ତାତି କମିଛି । ବର୍ତ୍ତମାନ ତାପମାତ୍ରା ସାମାନ୍ୟ କମିଥିବାବେଳେ ଆଭ୍ୟନ୍ତରୀଣରେ ଗରମ ଅନୁଭୂତି ହେଉଛି । ଗୁରୁବାର ୧୨ ସହରରେ ତାତି ୪୦ ଡିଗ୍ରୀ ଟପିଛି । ଆସନ୍ତା ୪ ଦିନ କାଳବୈଶାଖୀ ସହ ବର୍ଷା ସାଙ୍ଗକୁ ଆଭ୍ୟନ୍ତରୀଣରେ ତାତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ଗୁରୁବାର ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ ହୋଇଛି । ଏହାଛଡ଼ା ଝାରସୁଗୁଡ଼ା ୪୨.୨, ସମ୍ବଲପୁର ୪୨, ହୀରାକୂଦ ୪୧.୬, ଟିଟଲାଗଡ଼ ୪୧.୫, ବଲାଙ୍ଗୀ ୪୧.୧, ସୁନ୍ଦରଗଡ଼ ୪୧, ଅନୁଗୁଳ ୪୦.୭, ସୋନପୁର ଓ ରାଉରକେଲା ୪୦.୫, ବରଗଡ଼ ୪୦.୨, ନୂଆପଡ଼ା ଓ ଭବାନୀପାଟଣା ୪୦ ଡିଗ୍ରୀ ରହିଛି । ଏହାସହ ଝାରସୁଗୁଡ଼ା, ବଲାଙ୍ଗୀର, ରାଉରକେଲା ଓ ସୋନପୁର ଆଦି ସ୍ଥାନରେ ହାଲୁକା ବର୍ଷା ରେକର୍ଡ ହୋଇଛି । ଆଉ ୨ ଦିନ ରାଜ୍ୟରେ ଉଷ୍ଣ ଆଦ୍ର ସ୍ଥିତି ନଜରକୁ ଆସିବା ସହ କାଳବୈଶାଖୀ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଶୁକ୍ରବାର ଓ ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ସେହିପରି ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୟାଗଡ, ଗଜପତି, ଗଞ୍ଜାମ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ସୋନପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଏବଂ ପୁରୀ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘତି ସହ ଝଟକା ପବନର ବେଗ ୩୦-୫୦ କିମି ପ୍ରତି ଘଣ୍ଟା ହେବା ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ମାଲଦ୍ବିପ ଓ କମୋରିନ୍‌ ଅଞ୍ଚଳରେ ଅଗ୍ରସର ହୋଇଛି । ୩ ଦିନ ମଧ୍ୟରେ ବଙ୍ଗୋପସାଗରର କିଛି ଅଂଶରେ ମୌସୁମୀ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ପୂର୍ବାନୁମାନ କରିଛି ।

Exit mobile version