ଚଳିତ ବର୍ଷ ଆଇପିଏଲ ଚାମ୍ପିୟନ ହୋଇଥିବା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳୀଙ୍କୁ ସମ୍ବର୍ଦ୍ଧନା ସମାରୋହରେ ଦଳାଚକଟାରୁ ୧୧ ଜଣ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ଛୋଟ ପିଲା ରହିଛି। ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିବା ଆଶଙ୍କା ରହିଛି। ଆହତମାନଙ୍କୁ ବାଓରିଂ ଏବଂ ଲେଡି କର୍ଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବୁଧବାର ଆରସିବି ଖେଳାଳୀଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବା ଲାଗି ଏକ ବିଶାଳ ସମାରୋହ ଆୟୋଜନ କରାଯାଇଥିଲା । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି. ଶିବକୁମାର ଆରସିବି ଖେଳାଳୀ ଏବଂ କୋଚ ତଥା ଅନ୍ୟ ଅଫିସିଆଲଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରିବାର ଥିଲା । ଏଥିଲାଗି ପୂର୍ବାହ୍ନ ୧୦ଟାରୁ ଷ୍ଟାଡିୟମକୁ କ୍ରିକେଟ ପ୍ରେମୀଙ୍କ ସୁଅ ଛୁଟିବାରେ ଲାଗିଥିଲା ।
ଏହି ସମାରୋହ ଏତେ କମ ସମୟ ଭିତରେ ଆୟୋଜିତ ହୋଇଥିଲା ଯେ, ଏଥିଲାଗି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇପାରିନଥିଲା। ଫଳରେ ଷ୍ଟାଡିୟମ ବାହାରେ ଜନସମାଗମକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇନଥିଲା । ତେଣୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି ଶିବକୁମାର ଦଳାଚକଟାରେ ମୃତ୍ୟୁ ଖବରକୁ ସ୍ବୀକାର କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ କିଛି କହି ନାହାଁନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ମଙ୍ଗଳବାର ଅହମ୍ମଦାବାଦରେ ଆୟୋଜିତ ଆଇପିଏଲ-୨୦୨୫ ଫାଇନାଲରେ ଆରସିବି ପଞ୍ଜାବ କିଙ୍ଗସ ଇଲେଭେନକୁ ପରାଜିତ କରି ପ୍ରଥମ ଥର ଆଇପିଏଲ ଚାମ୍ପିୟନ ହୋଇଥିଲା । ଏହା ପରେ ସମଗ୍ର ବେଙ୍ଗାଲୁରୁ ସହରରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା ।