ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏସଟି ଓ ଏସସିଙ୍କ ଏବଂ ଏସଇବିସି ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ଦିବ୍ୟାଙ୍ଗଙ୍କ ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧ % ସଂରକ୍ଷଣ ଜାତିଭିତ୍ତିକ ନୁହେଁ
ସାମାଜିକ ଓ ଆର୍ଥିକ ଅନଗ୍ରସର (ଏସଇବିସି) ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଥିବା ଦ୍ବନ୍ଦ୍ବ ଉଚ୍ଚଶିକ୍ଷା ମନ୍ତ୍ରୀ ଦୂର କରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ SEBC ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏସସି ଏବଂ ଏସଟି ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦%ରେ ସୀମିତ । ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସେନା ଅଧିକାରୀଙ୍କ ପରିବାରକୁ ୧% ସଂରକ୍ଷଣ ଭିନ୍ନ । କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ । ଏହା ସୁପ୍ରିମକୋର୍ଟ ଗାଇଡଲାଇନ ଉଲ୍ଲଙ୍ଘନ କରୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ନିଷ୍ପତ୍ତିକୁ ଅସମ୍ପୂର୍ଣ୍ଣ ବୋଲି କହି ସମାଲୋଚନା କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଯେଉଁମାନେ ଆଦୌ ସଂରକ୍ଷଣ ଦେଇନଥିଲେ ସେମାନଙ୍କର କମ୍ ବେଶୀ ଅଭିଯୋଗ କରିବାର ଅଧିକାର ନାହିଁ। ଆମେ ଯଦି ପୂର୍ବ ସରକାରଙ୍କ ଠାରୁ କମ୍ କରି ଦେଇଥାନ୍ତୁ ସେତେବେଳେ ତାଙ୍କ କଥା ଗ୍ରହଣୀୟ ହେଇଥାନ୍ତା। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ସ୍କୁଲ୍ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ସାମାଜିକ ନ୍ୟାୟ ପ୍ରଦାନ କରିଛନ୍ତି । ପୂର୍ବରୁ ଏହା ନଥିବାବେଳେ ଆମ ସରକାର ୧ ବର୍ଷ ଭିତରେ ଲାଗୁ କରିଛନ୍ତି। ସୁପ୍ରିମ କୋର୍ଟ କ୍ୟାପ ଅନୁଯାୟୀ ଜାତି ଭିତ୍ତିକ ଆରକ୍ଷଣ ୫୦% ରୁ ଅଧିକ ହୋଇପାରିବ ନାହିଁ। ପଛୁଆ ବର୍ଗଙ୍କ ସଂରକ୍ଷଣ ପରେ ବଳକା ୧୧.୨୫% ଏସଇବିସିଙ୍କ ପାଇଁ ଦିଆଯାଇଛି । ଯାହା ତାଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ। ଉଚ୍ଚଶିକ୍ଷା ବିଭାଗରେ ଆମେ ଲାଗୁ କରିଛୁ । ଅନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି ।