ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି ସୁଶୀଲ କୁମାର ଲୋହାନୀଙ୍କୁ ମଧ୍ୟ ଏସିଏସ ପାହ୍ୟାକୁ ପଦୋନ୍ନତି ମିଳିଛି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୯୬ ବ୍ୟାଚ୍ର ଆଇଏଏସ୍ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ୨୦୨୬ ଜାନୁଆରି ୧ ତାରିଖରୁ ଲାଗୁ ହେବାଭଳି ଆଇଏଏସ୍ର ଏପେକ୍ସ ଗ୍ରେଡ୍ (ଲେବଲ-୧୭)କୁ ପଦୋନ୍ନତି ଦିଆଯାଇଛି।
ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତି ଅନୁସାରେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥାନ ଗୋପାଳନଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା (ଲେବଲ-୧୫)କୁ ପଦୋନ୍ନତି ଦିଆଯାଇଛି। ୨୦୦୧ ବ୍ୟାଚ୍ର ଏହି ଅଧିକାରୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଏକ୍ସ-ଅଫିସିଓ ପ୍ରମୁଖ ଶାସନ ସଚିବ, ଗୃହ (ନିର୍ବାଚନ) ବିଭାଗ ଭାବେ କାର୍ଯ୍ୟ କରିବେ। ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ।
ଏହାଛଡ଼ା, କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୨୦୦୧ ବ୍ୟାଚ୍ର ଦୁଇ ବରିଷ୍ଠ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ ଓ ଡୋଡା ଭେଙ୍କଟସ୍ବାମୀଙ୍କୁ ପ୍ରୋଫର୍ମା ପଦୋନ୍ନତି ଭାବେ ପ୍ରମୁଖ ଶାସନ ସଚିବ ପାହ୍ୟା (ଲେବଲ-୧୫)କୁ ଉନ୍ନୀତ କରାଯାଇଛି। ଏହି ପଦୋନ୍ନତିଗୁଡ଼ିକ ୨୦୨୫ ଡିସେମ୍ବର ୩୦ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦୨୬ ଜାନୁଆରି ୧ ରୁ କାର୍ଯ୍ୟକାରୀ ହେବ।
