Utkala Mirror I Odisha News, Latest Odia News

ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି

ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି ସୁଶୀଲ କୁମାର ଲୋହାନୀଙ୍କୁ ମଧ୍ୟ ଏସିଏସ ପାହ୍ୟାକୁ ପଦୋନ୍ନତି ମିଳିଛି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୯୬ ବ୍ୟାଚ୍‌ର ଆଇଏଏସ୍ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ୨୦୨୬ ଜାନୁଆରି ୧ ତାରିଖରୁ ଲାଗୁ ହେବାଭଳି ଆଇଏଏସ୍‌ର ଏପେକ୍ସ ଗ୍ରେଡ୍ (ଲେବଲ-୧୭)କୁ ପଦୋନ୍ନତି ଦିଆଯାଇଛି।
ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତି ଅନୁସାରେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥାନ ଗୋପାଳନଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା (ଲେବଲ-୧୫)କୁ ପଦୋନ୍ନତି ଦିଆଯାଇଛି। ୨୦୦୧ ବ୍ୟାଚ୍‌ର ଏହି ଅଧିକାରୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଏକ୍ସ-ଅଫିସିଓ ପ୍ରମୁଖ ଶାସନ ସଚିବ, ଗୃହ (ନିର୍ବାଚନ) ବିଭାଗ ଭାବେ କାର୍ଯ୍ୟ କରିବେ। ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ।
ଏହାଛଡ଼ା, କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୨୦୦୧ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ ଓ ଡୋଡା ଭେଙ୍କଟସ୍ବାମୀଙ୍କୁ ପ୍ରୋଫର୍ମା ପଦୋନ୍ନତି ଭାବେ ପ୍ରମୁଖ ଶାସନ ସଚିବ ପାହ୍ୟା (ଲେବଲ-୧୫)କୁ ଉନ୍ନୀତ କରାଯାଇଛି। ଏହି ପଦୋନ୍ନତିଗୁଡ଼ିକ ୨୦୨୫ ଡିସେମ୍ବର ୩୦ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦୨୬ ଜାନୁଆରି ୧ ରୁ କାର୍ଯ୍ୟକାରୀ ହେବ।

Exit mobile version