Utkala Mirror I Odisha News, Latest Odia News

ସିକ୍କିମର ଦୁର୍ଘଟଣା : ଓଡ଼ିଶା ବିଜେପି ନେତ୍ରୀ ଇତିଶ୍ରୀ ଜେନା ଏବେ ବି ନିଖୋଜ

ସିକ୍କିମର ମଙ୍ଗନ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ନିଖୋଜ ହୋଇଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ଚୁଙ୍ଗଥାଙ୍ଗ ଏବଂ ମୁନ୍ସିଥାଙ୍ଗ ମଧ୍ୟରେ ଏକ ପର୍ଯ୍ୟଟକ ଗାଡ଼ି, ଯେଉଁଥିରେ ୧୧ ଜଣ ଥିଲେ, ଭାରସାମ୍ୟ ହରାଇ ପ୍ରାୟ ହଜାରେ ଫୁଟ୍ ତଳକୁ ତିସ୍ତା ନଦୀରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଗଙ୍ଗଟକର ଏସଟିଏନଏମ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟ ୯ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଇତିଶ୍ରୀ ଜେନା ତାଙ୍କ ବଡ଼ ପୁଅ, ଭାଇ ଏବଂ ଭାଉଜ ସହିତ ସିକ୍କିମର ହିଲ୍ ଟପ୍ ବୁଲିବାକୁ ଯୋଜନା କରିଥିଲେ। ଏହି ଦୁର୍ଘଟଣା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିକ୍କିମ ସରକାରଙ୍କ ସହ ଯୋଗାଯୋଗ କରି ଏକ ରେସକ୍ୟୁ ଟିମ୍ ପଠାଇଛନ୍ତି। ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତଙ୍କୁ ଚିକିତ୍ସା ଏବଂ ସୁରକ୍ଷିତ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛି। ମଙ୍ଗନ ଜିଲ୍ଲାର ଅଧୀକ୍ଷକ ସୋନମ ଡେଚୁ ଭୁଟିଆ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ୨ ଓଡ଼ିଆ ନାବାଳକ ଏବେ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେଠାରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ଓଡ଼ିଶାରୁ ଯାଇଥିବା ଏହି ଟିମ୍। ସିକ୍କିମ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ଗ୍ୟାଙ୍ଗଟକରେ ପହଞ୍ଚିଛନ୍ତି । ସେମାନେ ହେଲେ ଅତିରିକ୍ତ ପରିବହନ କମିଶନର ଦିପ୍ତୀରଞ୍ଜନ ପାତ୍ର ଓ ଯୁଗ୍ମ ପରିବହନ କମିଶନର ବିକାଶ ଚୌଧୁରୀ । ଉଦ୍ଧାର ହୋଇଥିବା ଦୁଇ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଚୁବୋମ୍ବୁ ନିକଟରେ ହଜାରେ ଫୁଟ୍ ତଳକୁ ତୀସ୍ତା ନଦୀରେ ଖସିପଡ଼ିଥିଲା ୧୧ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡ଼ି। ସେଥିରେ ଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ଯାଜପୁର ରୋଡ ଉମାପଦାରୁ ଯାଇଥିବା ୬ ଓଡ଼ିଆ ପର୍ଯ୍ୟଟକ। ସମସ୍ତେ ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରୁ ୨ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ, ଇତିଶ୍ରୀଙ୍କ ସମେତ ବାକି ୪ ଜଣ ଏବେବି ନିଖୋଜ ଅଛନ୍ତି। ଗତକାଲି ଭୋର ସମୟରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ଇତିଶ୍ରୀଙ୍କ ସାନପୁଅ ସାଇରାଜ ଜେନା ଏବଂ ପୁତୁରା ସ୍ୱୟଂ ସୁପ୍ରତିମ ନାୟକ। ଘଟଣାସ୍ଥଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ଯେତେ ଖୋଜାଖୋଜି କଲେ ମଧ୍ୟ ଅନ୍ୟମାନଙ୍କ ପତ୍ତା ମିଳିପାରିନାହିଁ ।

Exit mobile version