ସ୍ନେହାଙ୍ଗିନୀ ବିଜେଡି ପ୍ରାର୍ଥୀ , ନବୀନ ନୂଆପଡାରେ ପ୍ରଚାର କରିବେ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିଛି। ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପୂର୍ବତନ ମନ୍ତ୍ରୀ ଓ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି।

ବୁଧବାର ବିଭିନ୍ନ ପର୍ଯ୍ୟାୟରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ବୈଠକ ବସିଥିଲା । ବୈଠକରେ ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ। ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ମନୋଜ ମିଶ୍ର, ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା । ପରେ ସ୍ନେହାଙ୍ଗିନୀଙ୍କୁ ଦଳ ଚୟନ କରିଥିବା ଜଣାପଡିଛି।

ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ଏକ ଦୃଢ଼ ନେତ୍ରୀ ଭାବେ ସ୍ନେହାଙ୍ଗିନୀ ଅଞ୍ଚଳବାସୀଙ୍କ ପାଇଁ ସର୍ବଦା ଲଢ଼ିଛନ୍ତି। ସେ ବିଜୁ ଜନତାଦଳର ସରକାର ସମୟରେ ମନ୍ତ୍ରୀ ଭାବେ ସେବା କରିଛନ୍ତି । ମନ୍ତ୍ରୀ ମଣ୍ଡଳରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ । ସେ ଦଳର ଅମୂଲ୍ୟ ସମ୍ପଦ। ଆମେ ଦଳରେ ନିଷ୍ପତ୍ତି ନେଇଛୁ ଯେ ସେ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ। ରାଜ୍ୟବାସୀଙ୍କ ପାଇଁ ବହୁ କାମ କରିଛନ୍ତି । ତାଙ୍କୁ ଉପନିର୍ବାଚନରେ ସହଯୋଗ ପାଇଁ ଆମେ ସମସ୍ତେ ଉପସ୍ଥିତ ରହିବୁ । ନବୀନ ନିଜେ ନୂଆପଡା ଯିବେ ବୋଲି ମଧ୍ୟ ଏହି ସମୟରେ ସୂଚନା ଦେଇଛନ୍ତି ।

ଦଳର ରାଜ୍ୟ ସଭାପତି ନୂଆପଡା ଲାଗି ପାର୍ଥୀ ଘୋଷଣା କରିବା ପରେ ନୂଆପଡା ବିଜେଡି ଜିଲ୍ଲା ସଭାପତି ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ଏକାଠି ଲଢିବେ ବୋଲି ସୂଚନା ଦେଇଛନ୍ତି । ସେହିଭଳି ଦଳ ସାଧାରଣ ସମ୍ପାଦକ ତଥା ନୂଆପଡାରୁ ଅନ୍ୟତମ ଆଶାୟୀ ମନୋଜ ମିଶ୍ର ମଧ୍ୟ ସ୍ନେହାଙ୍ଗିନୀଙ୍କୁ ସମର୍ଥନ ଜଣାଇଥିଲେ ।

ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦଳୀୟ ସଭାପତି ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ମୋ ଉପରେ ସେ ଭରସା କରିଛନ୍ତି। ଦଳ ପାଇଁ, ନୂଆପଡ଼ା ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରିଛି । ନୂଆପଡ଼ାରେ ପର୍ଯ୍ୟବେକ୍ଷକ ଭାବେ ୪ ବର୍ଷ କାମ କରିଛି। ଏହି ନିର୍ବାଚନ ପାଇଁ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ମାଗୁଛି। ସେମାନେ ମୋତେ ବିଜୟୀ କରିବେ ବୋଲି ଆଶା କରୁଛି। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କର ସେବା କରିବି। ଏହି ନିର୍ବାଚନକୁ ସେ ‘ଧର୍ମ ଓ ନ୍ୟାୟର ଯୁଦ୍ଧ’ କହି ଅଧର୍ମର ପରାଜୟ ହେବ ବୋଲି କହିଛନ୍ତି ।

ସ୍ନେହାଙ୍ଗିନୀ ଛୁରିଆ ୨୦୧୪ ଓ ୨୦୧୯ରେ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପାଇଥିଲେ। ୨୦୨୪ ନିର୍ବାଚନରେ ଅତାବିରାରୁ ୭୦,୫୭୭ ମତ ପାଇ ୨୮,୯୧୦ ଭୋଟରେ ନିହାର ମହାନନ୍ଦଙ୍କ ଠାରୁ ପରାସ୍ତ ହୋଇଥିଲେ ।