Utkala Mirror I Odisha News, Latest Odia News

ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଏ.ଏସ୍.ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ମହାନିର୍ଦ୍ଦେଶକଙ୍କୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ ପତ୍ର ଲେଖିଛନ୍ତି। ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ ଥିବା ଅବଧି (ଜୁନ୍ ୨୮ରୁ ଜୁଲାଇ ୬) ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ସମାପନ ପାଇଁ ଚିଠିରେ ମୁଖ୍ୟ ପ୍ରଶାସକ ଉଲ୍ଲେଖ କରିଛନ୍ତି l ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେବାକୁ କହିଛନ୍ତି l ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏ.ଏସ୍.ଆଇ. ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରେ ଖଣ୍ଡୋଲାଇଟ୍ ପଥର ବଦଳ ଏବଂ  ରତ୍ନଭଣ୍ଡାରର ସଂରକ୍ଷଣ ଆଦି କାର୍ଯ୍ୟ ପାଇଁ ଏ.ଏସ୍.ଆଇ. କୁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ପ୍ରଶାସକ ୩ ଗୋଟି ବିନ୍ଦୁ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଆକର୍ଷଣ କରିଛନ୍ତି।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଉତ୍ତର ଦ୍ୱାର ଠାରେ ରାମ୍ପ ନିର୍ମାଣ, ଏ.ଏସ୍.ଆଇ. ପରାମର୍ଶ ତଥା ମାର୍ଗଦର୍ଶନରେ ଶେଷ ହୋଇଛି। ଏ.ଏସ୍.ଆଇ.ର ନିର୍ଦେଶକ ( ସଂରକ୍ଷଣ) ଙ୍କ ଅନୁଧ୍ୟାନ ପରେ ନାଟମଣ୍ଡପକୁ ବାତାନୁକୁଳିତ କରାଯିବା ନେଇ ପରିବର୍ତ୍ତିତ ଡିଜାଇନ ଦାଖଲ କରାଯିବା ସହ ଏନେଇ ଏ.ଏସ୍.ଆଇ.ର ସହମତି ପ୍ରଦାନ ପାଇଁ ଅନୁରୋଧ । ଶ୍ରୀମନ୍ଦିର ଓ ବେଢାରେ ଥିବା ପାର୍ଶ୍ବ ମନ୍ଦିର ଗୁଡିକର ସୁନ୍ଦର ଭାବେ ଆଲୋକୀକରଣ ସକାଶେ ଏ.ଏସ୍.ଆଇ ପରାମର୍ଶଦାତାଙ୍କ ସହ ଆଲୋଚନା ହୋଇଛି। ବିସ୍ତୃତ ରିପୋର୍ଟ ପାଇବା ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ପାଇଁ ଏ.ଏସ୍.ଆଇ.ର ସହଯୋଗ କାମନା କରିବା ସହ ଅନୁରୋଧ କରାଯାଇଥିବା ସମସ୍ତ କାର୍ଯ୍ୟର ଗୁରୁତ୍ବକୁ ଉପଲବ୍ଧି କରି ଧାର୍ଯ୍ୟ ସମୟସୀମା ଭିତରେ ସାରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି ।

Exit mobile version