Utkala Mirror I Odisha News, Latest Odia News

ଜମ୍ମୁ-କାସ୍ମିରରେ ୩ ଆତଙ୍କୀଙ୍କ ପୋଷ୍ଟର-ସୂଚନା ଦେଲେ ୨୦ ଲକ୍ଷ

ପହଲଗାମ ଆତଙ୍କବାଦୀଙ୍କୁ ଧରିବା ଲାଗି ସେନା ପକ୍ଷରୁ ସାଧାରଣ ନାଗରିକଙ୍କ ସାହାଯ୍ୟ ଲୋଡାଯାଇଛି।  ଏ ନେଇ  ସେନା ପକ୍ଷରୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ୩ ଆତଙ୍କୀଙ୍କ ପୋଷ୍ଟର ଜାରି କରାଯାଇଛି। ଏହି ପୋଷ୍ଟରଗୁଡ଼ିକ ସୋପିଆନ ସହ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଲଗାଯାଇଛି।  ଯାହା ଦ୍ୱାରା ସାଧାରଣ ନାଗରିକମାନେ ଚିହ୍ନଟ କରି ସୁରକ୍ଷା ବାହିନୀକୁ ସୂଚନା ଦେଇପାରିବେ, ଏବଂ ଆତଙ୍କବାଦୀମାନଙ୍କୁ ଯଥାଶୀଘ୍ର ଧରାଯାଇପାରିବ।  ଏହା ସହିତ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସେନା ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସୂଚନା ପ୍ରଦାନକାରୀଙ୍କ ତଥ୍ୟ ଗୋପନ ରଖାଯିବ ବୋଲି ସୁରକ୍ଷା ଏଜେନ୍ସି କହିଛି। ଆତଙ୍କବାଦୀମାନଙ୍କୁ ଖୋଜି ସେମାନଙ୍କୁ ଦଣ୍ଡ ଦେବା ଲାଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଇଛି। ଏହି ତିନି ଆତଙ୍କବାଦୀଙ୍କୁ ଧରିବା ଲାଗି ସୁରକ୍ଷା ବାହିନୀ ନିରନ୍ତର ଅପରେସନ୍ ଜାରି ରଖିଛନ୍ତି।

ପ୍ରକାଶଥାଉ କି, ୨୨ ଏପ୍ରିଲରେ ଜାମ୍ମୁ-କାଶ୍ମୀରର ପହଲଗାମରେ  ଆତଙ୍କବାଦୀମାନେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ପହଲଗାମ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ଅପରେସନ ସିନ୍ଦୂର ମାଧ୍ୟମରେ ଆକ୍ରମଣ କରିଥିଲା। ଅପରପକ୍ଷେ ପାକିସ୍ତାନ ଜାମ୍ମୁ-କାଶ୍ମୀରରୁ ଗୁଜରାଟ ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ସାହାଯ୍ୟରେ ଭାରତ ଉପରେ ନିରନ୍ତର ଆକ୍ରମଣ କରିଥିବା ବେଳେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଇଥିଲା ।  ଭାରତୀୟ ବାୟୁ ସେନା ଏୟାର ଡିଫେନ୍ସ ସିଷ୍ଟମ ସହାୟତାରେ ପାକିସ୍ତାନର ସମସ୍ତ ପ୍ରୟାସକୁ ବିଫଳ କରିଥିଲା । ଏହା ପରେ, ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନର ୧୧ଟି ବାୟୁସେନା ଘାଟିକୁ ଧ୍ୱଂସ କରିଥିଲା। ଶେଷରେ ପାକିସ୍ତାନ ଶାନ୍ତି ଲାଗି  ନିବେଦନ କରିଥିବା ବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା ।

Exit mobile version