ଗୁରୁବାର ସୁଦ୍ଧା ତିନିରଥ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ତିନିରଥ ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ସହ, ପାଞ୍ଚ ଦଣ୍ଡା ଚଉପଟ ନିମନ୍ତେ କାଠ ସାଇତା କାର୍ଯ୍ୟ ମୁଖ୍ୟ ମହାରଣା ମାନଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା।
ସେହିପରି ପରମ୍ପରା ପ୍ରକାରେ ପବିତ୍ର ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ.ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ। ଏଣୁ ଏହି ପରମ୍ପରାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାରୀ ସେବକ ମାନେ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରିଛନ୍ତି। ତିନି ରଥର ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ପରେ ଆଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଅନୁକୂଳ ପୁଜା ହୋଇ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନରେ ତିନି ରଥର ମୁଖ୍ୟ ମହାରଣା ସେବକ ମାନେ ଅନୁକୂଳ ପୂଜା ସହ ସାଥୀ ମହାରଣା ସେବକ ମାନେ ଆରମ୍ଭ କରିଛନ୍ତି ୪୦ ଫୁଟିଆ ଦଣ୍ଡା କାଠର ଚଉପଟ କାର୍ଯ୍ୟ। ମହାରଣା ସେବକ ମାନେ ଏଥି ସହ ଶୁକ୍ରବାର ବାକିଥିବା ତିନି ରଥର ୪ଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ଏଥି ସହ ଚାରି ନାହାକାର ଉଭୟ ପାର୍ଶ୍ବର ସାଲ କାର୍ଯ୍ୟ ଶେଷ ହୋଇଛି। ତିନିରଥ ଦୁଇଟି ଲେଖାଏଁ ଗରଗରା’ର ଉଭୟ ପାର୍ଶ୍ବ ବିନ୍ଦ ପରେ, ବାକିଥିବା ଅଖ ଗୁଡ଼ିକର ଦୁଇପାର୍ଶ୍ୱର ଗୋଲେଇ କାର୍ଯ୍ୟ ଶେଷ ହୋଇଛି।
ତିନି ରଥର ମୁଖ୍ୟ ରୂପକାର ସେବକ ମାନେ ଆରମ୍ଭ କରିଛନ୍ତି ତିନିରଥର ସିଂହାସନ ମୁହାଁଟିର ଖୋଦେଇ କାର୍ଯ୍ୟ, ଶୁକ୍ରବାର ପୂର୍ବାହ୍ନରେ ତିନିରଥ ମୁଖ୍ୟ ରୂପକାର ସେବକ ମାନେ ସିଂହାସନ ମୁହାଁଟିରେ ଚିତ୍ର ଅଙ୍କନ ଶେଷ କରି ରୁପ ଖୋଦେଇ ଆରମ୍ଭ କରିଛନ୍ତି । ଅନ୍ୟ ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି। ଏହା ପରେ ଆରମ୍ଭ କରିବେ ତିନିରଥର ୮ଟି ଲେଖାଇଁ ନାଟ ଗୋଡରେ ଗନ୍ଧର୍ବ ରୂପ ଖୋଦେଇ କାର୍ଯ୍ୟ। କରତୀ ସେବକ ମାନେ ଜାରୀ ରଖିଥିବା ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ କରି ଚିରଟ ପାଇଁ ଆରମ୍ଭ କରିଛନ୍ତି ନନ୍ଦିଘୋଷ ରଥର ୪୦ ଫୁଟିଆ ଧଉରା କାଠର ଚିତା କାର୍ଯ୍ୟ। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ଜାରୀ ରଖିଛନ୍ତି ତିନିରଥର ଦଣ୍ଡା ପାଇଁ ଦଣ୍ଡା ବିଡିଆ କଣ୍ଟା ଏବଂ ଗୟଳ କଣ୍ଟା ସହ ଗରଗରା କଣ୍ଟା। ପାହି ମହାରଣା ମାନେ ଦୋଳ ବେଦୀ ଠାରେ ଅଣସର ତଥା ରଥ ଯାତ୍ରାରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।