ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଓଡିଶା ସଚିବାଳୟ ସେବାର ସମସ୍ତ କର୍ମଚାରୀମାନେ ବୁଧବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରୁ ତ୍ରୀରଙ୍ଗା ବାଇକ ଶୋଭାଯାତ୍ରା କରିବେ । ଆତଙ୍କବାଦୀଙ୍କ ବିରୋଧରେ ଏବଂ ପାକିସ୍ତାନକୁ ଉଚିତ ଯବାବ ଦେଇଥିବା ଭାରତୀୟ ସେନାର ପରାକ୍ରମକୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଆୟୋଜିତ ହେବ । ଭାରତୀୟ ସେନାଙ୍କ ସମର୍ଥନ ଏବଂ ଏକତାର ଏକ ବାର୍ତ୍ତା ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତ୍ରିରଙ୍ଗା ରାଲି(ମୋଟର ସାଇକେଲ ଶୋଭାଯାତ୍ରାର)କୁ ଶୁଭାରମ୍ଭ କରିବେ । ବୁଧବାର ସକାଳ ୮ ଟାରେ ଏହି ରାଲି ଆୟୋଜନ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସବୁ ବିଭାଗର ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ କମିଶନରମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏନେଇ ସମସ୍ତ ସଚିବାଳୟ ସେବା କର୍ମଚାରୀମାନଙ୍କୁ ଯୋଗ ଦେବାକୁ ଆହ୍ବାନ କରିବାକୁ ଶ୍ରୀମତି ପାଢୀ କହିଛନ୍ତି । ଏକତ୍ର ହୋଇ ଏକତାର ବାର୍ତ୍ତା ଦେବା ଏବଂ ଭାରତୀୟ ସେନାକୁ ସମର୍ଥନ ପାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆହ୍ବାନ କରିଛନ୍ତି ।