Utkala Mirror I Odisha News, Latest Odia News

ବିଜେଡି ଦୁଇ ବରିଷ୍ଠ ନେତା ଅସନ୍ତୋଷ ଝଡିଲେ

ବିଜେପି ସହ ବିଜେଡି ବ୍ୟବସ୍ଥା କରିଥିଲା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି : ଭୂପିନ୍ଦର
ବିଜେଡିର ଶକ୍ତି କ୍ଷୟ ହୋଇଛି: ଶଶିଭୂଷଣ
ପୁଣି ବିଜେଡି କନ୍ଦଳ ପଦାରେ ପଡ଼ିଲା। ଦଳର ଦୁଇଜଣ ବରିଷ୍ଠ ନେତା ଭୂପିନ୍ଦର ସିଂ ଓ ଶଶିଭୂଷଣ ବେହେରା ଦଳ ପରିଚାଳନାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ନିର୍ବାଚନ ପରାଜୟର ସମୀକ୍ଷା କାହିଁକି କରାଯାଉନି ବୋଲି ପ୍ରଶ୍ନ ସେମାନେ କରିଛନ୍ତି। ଏପରିକି ସାଧାରଣ ନିର୍ବାଚନରେ ଜାଣିଶୁଣି ହାରିବା ନିମନ୍ତେ ବିଜେପି ସାଙ୍ଗରେ ବିଜେଡି ‘ବ୍ୟବସ୍ଥା’ କରିଥିଲା ବୋଲି ଲୋକେ ଚର୍ଚ୍ଚା କରୁଥିବା ଭୂପିନ୍ଦର କହିଛନ୍ତି।
ବିଜେଡିର ବିଭିନ୍ନ କମିଟିରୁ ବାଦ୍ ପଡ଼ିବା ପ୍ରସଙ୍ଗରେ ଭୂପିନ୍ଦର କହିଛନ୍ତି ଯେ, କାହିଁକି ମୋତେ ବାଦ୍ ଦିଆଗଲା, ଏହା ଦାୟିତ୍ବରେ ଥିବା ଲୋକେ ଜାଣିଥିବେ। ଲୋକଙ୍କ ଆଶୀର୍ବାଦ ମୋ ସାଙ୍ଗରେ ଅଛି, ସେଥିପାଇଁ ମୁଁ ଖୁସି। ବିଧାୟକ ନଥାଇ ମଧ୍ୟ ଅଧିକ ସମ୍ମାନ ପାଉଛି। ବରିଷ୍ଠ ନେତାମାନେ କ’ଣ ମେଳି କରି ଦଳ ବିରୋଧୀ କାର୍ଯ୍ୟ କରିଥିଲେ କି? ସେମାନଙ୍କ ଭିତରକୁ ତ କିଛିଜଣଙ୍କୁ କମିଟିରେ ସାମିଲ କରାଯାଇଛି। ସବୁ ନିଷ୍ପତ୍ତି ନବୀନବାବୁ ନିଅନ୍ତୁ ବୋଲି ବରିଷ୍ଠ ନେତାମାନେ ପରାମର୍ଶ ଦେଇଥିଲେ। ନବୀନ ପଟ୍ଟନାୟକ ଅତ୍ୟନ୍ତ ଲୋକପ୍ରିୟ ନେତା ଥାଇ ମଧ୍ୟ ଦଳ ନିର୍ବାଚନରେ ହାରିଛି। କର୍ମୀମାନେ ଦଳର କ୍ୟାପଟେନ(ନବୀନବାବୁ)ଙ୍କୁ ନିର୍ବାଚନ ମଇଦାନରେ ଦେଖିଲେ ନାହିଁ। ତାଙ୍କ ବଦଳରେ ଅନ୍ୟ କାହାକୁ ଦେଖିଲେ। ତେଣୁ ଫଳାଫଳ ଏଭଳି ହେଲା। ନିର୍ବାଚନରେ ଦଳ କାହିଁକି ହାରିଲା ତା’ର କାରଣ ଖୋଜାଯିବା ଦରକାର। ଦଳର ଗଠନମୂଳକ ପରିବର୍ତ୍ତନ ନହେଲେ ଆଗାମୀ ଦିନରେ ବିଜେଡି ପାଇଁ ଅସୁବିଧା ହୋଇପାରେ। ୱାକଫ ସଂଶୋଧନ ବିଧେୟକ ପ୍ରସଙ୍ଗରେ ଦଳର ଅସ୍ପଷ୍ଟ ନୀତିକୁ ନେଇ ବିବାଦ ହେଲା। ସମସ୍ତ ବରିଷ୍ଠ ନେତା ଚିନ୍ତିତ। ଏହା ଦଳର ଧର୍ମନିରପେକ୍ଷ ଛବିକୁ ପ୍ରଭାବିତ କରିଛି ବୋଲି ଆଶଙ୍କା ହେଲାଣି। ମୁନ୍ନା ଖାଁ ନିଜ ପଦକୁ ନେଇ ସନ୍ତୁଷ୍ଟ ନଥିବା ଗଣମାଧ୍ୟମରୁ ଜାଣିଲି। ଆହୁରି ଅନେକ ନେତା ଅଛନ୍ତି ଯେଉଁମାନେ ଏବେ ପଦବୀ ପାଇଲା ପରେ ବି ଅସନ୍ତୁଷ୍ଟ ଥିବାର ଖବର ମୋ’ ପାଖରେ ଅଛି।
    ସେ ଆହୁରି କହିଛନ୍ତି ଯେ, ବିଜେଡି ଏକ ଆକ୍ରମଣାତ୍ମକ ବିରୋଧୀ ଦଳ ହୋଇପାରୁନାହିଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ବିଜେପି ସାଙ୍ଗରେ ବିଜେଡି ସବୁବେଳେ କୋହଳ ନୀତି ଅପାଣାଇଛି। ଏବେ ଆଇପିଏଲ ଚାଲିଛି। ଭଲ ଖେଳାଳିଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ଖେଳାଳି। ମୋ ପାଖରେ ଲୋକଙ୍କ ସମର୍ଥନ ରହିଛି। ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଛି। ୨୦୨୪ ନିର୍ବାଚନବେଳେ ବିଜେପି ମୋତେ ଅଫର ଦେଇଥିଲା। ଏବେ ମଧ୍ୟ ଦେଉଛନ୍ତି। କଳାହାଣ୍ଡିରେ କଂଗ୍ରେସକୁ ସୁଦୃଢ଼ କରିବା ପଛରେ ତାଙ୍କର ଯୋଗଦାନର ମଧ୍ୟ ସେ ଏକାଧିକ ଉଦାହରଣ ଦେଇ କଂଗ୍ରେସକୁ ଫେରିବାର ସମ୍ଭାବନାକୁ ଖଣ୍ଡନ କରିନାହାନ୍ତି। ଭୂପିନ୍ଦରଙ୍କ ଏଭଳି ବୟାନକୁ କଂଗ୍ରେସ ମଧ୍ୟ ସ୍ୱାଗତ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ କଂଗ୍ରେସ ଏବେ ଓଡ଼ିଶାରେ ଏକମାତ୍ର ବିକଳ୍ପ। ବିଜେଡି ଓ ବିଜେପି ଏକାଠି କାମ କରୁଛନ୍ତି। ଆମେ ପୂର୍ବତନ କଂଗ୍ରେସ ନେତାମାନଙ୍କୁ ଘରକୁ ଫେରିବାକୁ ଆହ୍ୱାନ ଦେଉଛୁ। ଭୂପିନ୍ଦର ସିଂ ଅନୁଭବ କରିସାରିଛନ୍ତି ଯେ କଂଗ୍ରେସ ପ୍ରସଙ୍ଗକୁ ନେଇ ଲଢ଼େଇ କରୁଛି। ଭବିଷ୍ୟତରେ କଂଗ୍ରେସ ହିଁ ଓଡ଼ିଶାରେ ସରକାର ଗଢ଼ିବ। ଅନ୍ୟପକ୍ଷରେ ଦଳରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଶଶିଭୂଷଣ ବେହେରା  ଗଣମାଧ୍ୟମକୁ କହିଛନ୍ତି ଯେ ପରିଚାଳନାଗତ ତ୍ରୁଟି ପାଇଁ ଦଳ ନିର୍ବାଚନ ହାରିଲା। ଏହି ପରାଜୟର ସମୀକ୍ଷା କରିବାକୁ ସେ ଦାବି କରିଛନ୍ତି। ଦଳରେ କିଛଦିନ ତଳେ ଜଣେ ଲୋକଙ୍କୁ ନେଇ ଯେଉଁ ବିବାଦ ଉଠିଥିଲା ସେ ପ୍ରସଙ୍ଗରେ ସ୍ପଷ୍ଟତା ଆସିବା ଦରକାର। ସଂଗଠନରେ ଦଳ ଯୁବବର୍ଗଙ୍କୁ ସୁଯୋଗ ଦେଉ, କିନ୍ତୁ ଅଭିଜ୍ଞଙ୍କ ପରାମର୍ଶକୁ ମଧ୍ୟ ଉପେକ୍ଷା ନକରୁ। ବିଜେଡିର ଶକ୍ତି କ୍ଷୟ ହୋଇଛି ନିଶ୍ଚୟ। ଲୋକଙ୍କ ଆମ ପ୍ରତି ବିଶ୍ବାସ ଓ ଆସ୍ଥା ଥାଇ ମଧ୍ୟ ରାଜ୍ୟରେ ସରକାର ଗଢ଼ିପାରିଲୁ ନାହିଁ, ଯଦିଓ ଆମେ ସର୍ବାଧିକ ଭୋଟ୍ ପାଇଲୁ ବୋଲି ଶ୍ରୀ ବେହେରା କହିଛନ୍ତି।

Exit mobile version