Utkala Mirror I Odisha News, Latest Odia News

ସରକାରୀ ଚାକିରି ବୟସ ସୀମା ୪୨ ବର୍ଷକୁ ବୃଦ୍ଧି

ସରକାରୀ ଚାକିରି ବୟସ ସୀମା ୪୨ ବର୍ଷକୁ ବୃଦ୍ଧି
ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି
ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ବୟସ ସୀମା ବୃଦ୍ଧି
ବିଭିନ୍ନ ସମୟରେ ସରକାରୀ ଚାକିରି ପାଇଁ ବୟସସୀମା ବୃଦ୍ଧି କରିବା ପାଇଁ ଦାବି ହୋଇଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରୀ ଚାକିରୀରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏଥିଲାଗି ସରକାର ଓଡିଶା ବେସାମରିକ ସେବା (ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମାବଳୀ ୧୯୮୯ର ସଂଶୋଧନ କରିଛନ୍ତି ।   ସାଧାରଣ ପ୍ରଶାସନ ବିଭାଗର ଏହି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରୀ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ଓଡିଶା ବେସାମରିକ ସେବା ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ । ଉକ୍ତ ନିୟମାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ପୂର୍ବରୁ ୩୨ ବର୍ଷ ରହିଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରି ବୟସମୀମା ପାର ହୋଇଯାଇଥିବା ଆଶାୟୀ ଉପକୃତ ହେବେ ।  ଆଗାମୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ସର୍ବୋଚ୍ଚ ବୟସ ସୀମାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁ ଅନୁରୋଧ ହସ୍ତଗତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର କିଛି ସେବା ଓ ପଦବୀ ଯେଉଁଠାରେ ସର୍ବୋଚ୍ଚ ବୟସ ସୀମା ଅଧିକ ଉଲ୍ଲେଖ ହୋଇଛି କିମ୍ବା ୟୁନିଫର୍ମ ସେବା ଯଥା ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା ଇତ୍ୟାଦି ଏବଂ ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ, ଏହା ବ୍ୟତୀତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ।
ଉପରୋକ୍ତ ସର୍ବୋଚ୍ଚ ବୟସସୀମା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା, ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଲାଗୁ ହେଉଥିବା ନିୟମାବଳୀ ଅନୁସାରେ କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି  ।

Exit mobile version