Utkala Mirror I Odisha News, Latest Odia News

କୋରାପୁଟ ମେଡିକାଲ କଲେଜରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତେଜନା

ଭୁଲ ଇଞ୍ଜେକ୍ସନ୍ ୬ ରୋଗୀଙ୍କ ମୃତ୍ୟୁ ଘଟଣା । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଂଚିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ
ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।

କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଭୁଲ୍ ଇଞ୍ଜେକସନ୍ ଯୋଗୁ ୬ ଜଣ ରୋଗୀଙ୍କ ଜୀବନ ଯାଇଛି । ମଙ୍ଗଳବାର ରାତିରେ ଆଇସିୟୁରେ ଚିକିତ୍ସିତ ୩ ଓ ୱାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ବୁଧବାର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି ।
କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ମଙ୍ଗଳବାର ରାତିରେ ଅଳ୍ପ ସମୟ ମଧ୍ୟରେ ୫ ଜଣ ରୋଗୀଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ । ହଠାତ୍ ରାତି ୧୧ରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୂରେ ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଭଗବାନ ପରିଜା ଓ ବତୀ ଖରା ନାମକ ୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।
ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା । ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଅପରେସନ ପରେ ଆଇସିୟୁରେ ରୋଗୀ ଠିକ୍ ଥିଲେ । ରାତ୍ରୀକାଳୀନ ଦାୟିତ୍ବରେ ଥିବା କର୍ମଚାରୀ ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ୩ ରୋଗୀଙ୍କ ମୃତ୍ୟୁ ହୋଇଥିଲା।  ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଭୁଲ ଇଞ୍ଜେକ୍ସନ ଦେଇଦେବାରୁ ଏପରି ହୋଇଛି।  କିନ୍ତୁ ବେଡ଼ରେ ଥିବା ରୋଗୀଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟତା ମିଳି ପାରିନାହିଁ । ତେବେ ଅଳ୍ପ ସମୟ ଭିତରେ ରାତି ରାଉଣ୍ଡର ଶେଷ ଡୋଜରେ ଆଇସିୟୁରେ ତିନି ଏବଂ ବେଡ଼ରେ ଦୁଇ ରୋଗୀଙ୍କ ମୃତ୍ୟୁ ନେଇ ପରିବାର ପ୍ରଶ୍ନ ଉଠାଇଛନ୍ତି । ଟାଉନ୍ ପୋଲିସ ମୃତକଙ୍କ ଶବ ଜବତ୍ କରି ଅଧିକ ଅନୁସନ୍ଧାନ ଚଳାଇଛି ।

Exit mobile version