ହରିୟାନାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ତାଙ୍କ ସହଯୋଗୀମାନେ ଅପରେସନ ସିନ୍ଦୁର ବେଳେ ମଧ୍ୟ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ । ଏପରିକି ବ୍ଲାକ ଆଉଟ ବେଳେ ମଧ୍ୟ ୟୁ-ଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକ ହ୍ୟାଣ୍ଡଲରଙ୍କ ସହ ମୋବାଇଲରେ ଯୋଗାଯୋଗ ରକ୍ଷା କରି କଥା ହେଉଥିଲେ।
ଜ୍ୟୋତି ଓ ତାଙ୍କ ସହଯୋଗୀଙ୍କ ଗୁପ୍ତଚରଗିରି ସମ୍ପର୍କରେ ତଦନ୍ତ କରୁଥିବା ଟିମ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି ଯେ, ଗତ ୬ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଜ୍ୟୋତି ଦିଲ୍ଲୀ ଯାଇ ପାକ ଦୂତାବାସର ଜଣେ କର୍ମଚାରୀ ଡାନିସ ସହ ଯୋଗାଯୋଗ ରକ୍ଷା କରି କଥା ହୋଇଥିଲେ। ପରବର୍ତ୍ତୀ ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟ ଜ୍ୟୋତି ମାଲହୋତ୍ରା ଏବଂ ତାଙ୍କର ୩ ସହଯୋଗୀ ଉତ୍ତରପ୍ରଦେଶର ନୌମାନ ଇଲାହି, ଦେବେନ୍ଦ୍ର ସିଂହ ଧିଲନ ଏବଂ ଅରମାନ ପ୍ରମୁଖ ପାକିସ୍ତାନୀ ହ୍ୟାଣ୍ଡଳରଙ୍କ ସହ ନିୟମିତ ଯୋଗାଯୋଗରେ ରହି ତଥ୍ୟ ଯୋଗାଉଥିଲେ। ନିଜ ୟ୍ୟୁ-ଟ୍ୟୁବ ଚାନେଲ ମାଧ୍ୟମରେ ସେମାନେ ପାକିସ୍ତାନ ସମର୍ଥନରେ ଖବର ପ୍ରସାରଣ କରୁଥିଲେ। ସେମାନେ ନିଜ ପାକ ବନ୍ଧୁମାନଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିଲେ। ହିସାର ଏସପିଙ୍କ ସୂଚନା ଅନୁଯାୟୀ ଜ୍ୟୋତି ମାଲହୋତ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ବିଭିନ୍ନ ସୂତ୍ରରୁ ତାଙ୍କ ଆୟ ଜଣାପଡ଼ିଛି । ତାଙ୍କ ଆୟ ତୁଳନାରେ ବ୍ୟାଙ୍କରେ ଢେର ଅଧିକ ଟଙ୍କା ରହିଛି। ଏହା କେଉଁ ସୂତ୍ରରୁ ଆସିଛି ସେ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି କାଶ୍ମୀର ଯାଇଥିଲେ
ପାକିସ୍ତାନ ଗୁପ୍ତଚର ସନ୍ଦେହରେ ଗିରଫ ହୋଇଥିବା ହରିୟାନାର ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ଏଥି ମଧ୍ୟରେ ହିସାର ପୋଲିସର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି କାଶ୍ମୀର ଯାଇଥିଲେ। ଏଠାରେ ସେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ସମସ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଯାହା ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଥିବା ଭିଡିଓଗୁଡ଼ିକରୁ ନିଶ୍ଚିତ କରାଯାଇଛି।
ପହଲଗାମ ବ୍ୟତୀତ, ଜ୍ୟୋତି ଯେଉଁ ସ୍ଥାନଗୁଡ଼ିକ ପରିଦର୍ଶନ କରିଛନ୍ତି ସେଥିରେ ଗୁଲମାର୍ଗ, ଡାଲ ହ୍ରଦ ଏବଂ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅନ୍ତର୍ଭୁକ୍ତ ରହିଛି। ପାଙ୍ଗୋଙ୍ଗ ଅଞ୍ଚଳ ଚୀନ ସହିତ ଥିବା ଏଲଏସି ନିକଟରେ ଅବସ୍ଥିତ। ତେବେ ଜ୍ୟୋତି ପ୍ରଥମ ଥର ଲାଗି ୨୦୨୪ ମସିହାରେ ଏବଂ ତା’ପରେ ଚଳିତ ବର୍ଷ ୫ ଜାନୁଆରୀରେ କାଶ୍ମୀର ଯାଇଥିଲେ । ସେ ତାଙ୍କ ଭିଡିଓରେ ପଞ୍ଜାବ ଓ ରାଜସ୍ଥାନର ସୀମା ମଧ୍ୟ ଦେଖାଇଛନ୍ତି। ଏଥିମଧ୍ୟରେ ଅଟାରୀ-ୱାଘା ଏବଂ ରାଜସ୍ଥାନର ଥର ମଧ୍ୟ ରହିଛି । ସେ ୟୁଟ୍ୟୁବର ଏହି ଭିଡିଓଗୁଡ଼ିକ ସେୟାର କରିଥିଲେ। ହିସାର ପୋଲିସର ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ସେ ମାର୍ଚ୍ଚ ମାସରେ ପାକିସ୍ତାନ ଯାଇଥିଲେ । ତେବେ ଏପରି ପରିସ୍ଥିତିରେ, ସନ୍ଦେହ ବୃଦ୍ଧି ପାଉଛି ଯେ ସେ କାଶ୍ମୀର ଏବଂ ସୀମାନ୍ତ ରାଜ୍ୟଗୁଡ଼ିକୁ ବୁଲିବା ଲାଗି ଯାଇଥିଲେ ନା ପାକିସ୍ତାନର ଗୁପ୍ତଚର ହୋଇ ଏଠାକୁ ଆସିଥିଲେ ଯାହାକୁ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ନିକଟରେ ପହଞ୍ଚାଇଛନ୍ତି । ଏ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ହିସାର ଆସି ଆତଙ୍କବାଦୀ ଲିଙ୍କ୍ ସମ୍ପର୍କରେ ଜ୍ୟୋତିଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି ।