୨୦୧୭ରୁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପାକ୍ସ କମ୍ପୁଟରୀକରଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନରେ ସାମିଲ ନହୋଇ ସିବିଏସ ପ୍ଲାର୍ଟଫର୍ମରେ କମ୍ପୁଟରୀକରଣ କରିଥିଲା । ଦୀର୍ଘ ୭ ବର୍ଷ ପରେ ଏବେ ଉକ୍ତ ବ୍ୟବସ୍ଥାରେ ତୃଟି ରହିଛି, ଯେଉଁଥିପାଇଁ ସେବାପ୍ରଦାନରେ ବାଧା ଉପୁଜୁଛି ବୋଲି ଦର୍ଶାଯାଉଛି । ଆଉ କେନ୍ଦ୍ର ସରକାରଙ୍କ ଏନଏଲପିଏସ ପ୍ଲାର୍ଟଫର୍ମରେ ରାଜ୍ୟର ସମସ୍ତ ୪୨୫୩ ପାକ୍ସକୁ ଯୋଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ପାକ୍ସ କମ୍ପୁଟରୀକରଣ (ସିଏସପିସିପି) ଅନ୍ତର୍ଭୁକ୍ତ ହେବା ପାଇଁ ପ୍ରସ୍ତାବ ରାଜ୍ୟ ସମବାୟ ସମିତି ନାବାର୍ଡ ମୁଖ୍ୟ ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି । ତେବେ ଏଠାରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଯଦି ସଫ୍ଟୱେରରେ ସମସ୍ୟା ଥିଲା, ତାହା କଣ ୭ ବର୍ଷ ପରେ ଜଣାପଡିଲା ? ସିବିଏସ ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜ୍ୟ ରାଜସ୍ବରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିବା । ଏଥିରୁ ପାକ୍ସ କମ୍ପୁଟରୀକରଣରେ ବିଭାଗର ବିଫଳତା ପଦାରେ ପଡିଛି । ତେବେ ଦୀର୍ଘ ବର୍ଷ ଧରି ପାକ୍ସ କମ୍ପୁଟରୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଏବେ ବିଭାଗ ପୁଣି ସେଥିରେ ସମସ୍ୟା ଥିବା ଦର୍ଶାଇ କେନ୍ଦ୍ର ସରକାର ଏକୀକୃତ ସଫ୍ଟୱେର ପ୍ଲାର୍ଟଫର୍ମରେ ଯୋଡି ହେବା ପାଇଁ ନିଷ୍ପତ୍ତି ନେବା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି ।
ରାଜ୍ୟ ସମବାୟ ସମିତି ରେଜିଷ୍ଠାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପଠାଯାଇଥିବା ପ୍ରସ୍ତାବରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ସମସ୍ତ ୪ ହଜାର ୨୫୩ ପାକ୍ସକୁ ଭାରତ ସରକାରଙ୍କ ଏନଏଲପିଏସ ପ୍ଲାର୍ଠଫର୍ମରେ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ନେବାର କାରଣଗୁଡିକରେ ଦର୍ଶାଯାଇଛି ଯେ, ପୂର୍ବରୁ ବ୍ୟବହୃତ ସଫ୍ଟୱୋର ପ୍ଲାର୍ଟଫର୍ମ ୨୦୧୭ରୁ ଆରମ୍ଭ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଅନେକ ସମସ୍ୟା ରହିଛି, ଯାହା କାର୍ଯ୍ୟକ୍ଷମ ଦକ୍ଷତାକୁ ପ୍ରଭାବିତ କରୁଛି। ସେହିଭଳି ପୁରୁଣା ସଫ୍ଟୱାର ଲାଗି ଅର୍ଥାତ ବହୁତ ପୂର୍ବରୁ ବିକଶିତ ହୋଇଥିବାରୁ ଏହା ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହାର ପରିବର୍ତ୍ତନ ଆବଶ୍ୟକ ପଡୁଛି । ଆହୁରି କୁହାଯାଇଛି ଯେ, ନାବାର୍ଡ ମୁଖ୍ୟ କାର୍ଯ୍ୟାଳୟ ଦଳ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ବର୍ତ୍ତମାନ କାର୍ଯ୍ୟକ୍ଷମ ବ୍ୟବସ୍ଥା ଏବଂ ଏନଏଲପିଏସ ପ୍ଲାଟଫର୍ମରୁ ସୃଷ୍ଟି ହୋଇଥିବା ରିପୋର୍ଟ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟକୁ ରହୁଥିବା ଜଣାପଡୁଛି । ଏଗୁଡ଼ିକୁ ସମାନ କରିବା ପାଇଁ ପ୍ରମୁଖ ତଥ୍ୟ ପରିବର୍ତ୍ତନର ଆବଶ୍ୟକ ହେବ।
କେନ୍ଦ୍ର ସରକାର ଏନଏଲପିଏସ ପ୍ଲାର୍ଟଫର୍ମ ଲାଗୁ କରିବା ଦ୍ବାରା ସମସ୍ତ ପାକ୍ସ ଏକକ ପ୍ଲାଟଫର୍ମରେ କାର୍ଯ୍ୟ କରିପାରିବେ। ଏହି ପଦ୍ଧତି କାର୍ଯ୍ୟରେ ସ୍ଥିରତା ସୁନିଶ୍ଚିତ କରିବ, ତାଲିମକୁ ସରଳ କରିବ, ତଥ୍ୟ ଅଖଣ୍ଡତାକୁ ବୃଦ୍ଧି କରିବ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସହଜ ହେବ । ଏହି ସବୁବିଷୟକୁ ଦୃଷ୍ଟିରେ ରଖି, ଏହି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ।
ବିଭାଗୀୟ ସୂଚନା ଅନୁସାରେ, ୨୦୧୭ରେ ଯେତେବେଳେ କେନ୍ଦ୍ର ସରକାରଙ୍କ ଦେଶର ସମସ୍ତ ପାକ୍ସକୁ ଏକୀକୃତ ସଫ୍ଟୱେର ମାଧ୍ୟମରେ ଯୋଡିବା ପାଇଁ କୁହାଯାଇଥିଲା, ସେତେବେଳେ ରାଜ୍ୟ ସମବାୟ ବିଭାଗ ଓଡିଶା କୋର ବ୍ୟାଙ୍କିଙ୍ଗ ସୋଲ୍ୟୁସନ(ସିବିଏସ)ରେ ରାଜ୍ୟର ପାକ୍ସ କମ୍ପୁରଟୀକରଣ ଡିସେମ୍ବରରେ ଶେଷ ହେବ ବୋଲି କହିଥିଲେ । ରାଜ୍ୟ ପକ୍ଷରୁ ଏନେଇ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡିଶା ଯେଉଁ ସଫ୍ଟୱେର କାର୍ଯ୍ୟକାରୀ କରିଛି, ତାହା କେନ୍ଦ୍ର ସରକାରଙ୍କ ସବୁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁଛି । କେନ୍ଦ୍ର ସଫ୍ଟୱେର ସହ ଏହାକୁ ସଂଯୋଗୀକରଣ କରାଯାଇପାରିବ ବୋଲି ଦର୍ଶାଇଥିଲେ ।