ଦିଲ୍ଲୀରେ ବିଜୁ ନବୀନ ଟ୍ରଷ୍ଟ ଗଠନକୁ ନେଇ ବିଜେପି ବିଧାୟକମାନେ ବିରୋଧୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ଓଡିଶା ନେତାଙ୍କୁ ଛାଡି ତାମିଲ ବାବୁଙ୍କୁ କାହିଁକି ସର୍ବେସର୍ବା କଲେ ଉତ୍ତର ଦିଅନ୍ତୁ । ବିକ୍ରମ ବେତାଳ ସାଜି ବିଜେଡି-କଂଗ୍ରେସ ଏକାଠି, ମେଣ୍ଟକୁ ତାଙ୍କ ବିଧାୟକମାନେ ଗ୍ରହଣ କରୁନାହାନ୍ତି । ବିଧାନସଭାର ଶୂନ୍ୟକାଳରେ ବିଜେପି ବିଧାୟକମାନେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ଏଭଳି ସମାଲୋଚନା କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ପରାଜୟ ଓ ଦିଲ୍ଲୀରେ ପଞ୍ଜିକୃତ ‘ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ୍’ ଟ୍ରଷ୍ଟକୁ ନେଇ ସେମାନେ ପ୍ରଶ୍ନ ଉଠାଇ ବିଜେଡି ନେତୃତ୍ୱକୁ ଉତ୍ତର ଦେବାକୁ ଆହ୍ୱାନ କରିଛନ୍ତି । ଏହା ସହ ବିରୋଧୀ ଦଳର ଗୃହ ଅଚଳ କରିବା ରଣନୀତିକୁ ବିଜେପି ବିଧାୟକମାନେ ରାଜ୍ୟର ସ୍ୱାର୍ଥ ବିରୋଧୀ ଓ ରାଜନୈତିକ ଅଭିସନ୍ଧି ବୋଲି କଟାକ୍ଷ କରିଛନ୍ତି ।
ବୁଧବାର ଶୂନ୍ୟକାଳରେ ବିରୋଧୀ ଦଳର ସଦସ୍ୟମାନେ ଏସସିବି ଘଟଣାକୁ ନେଇ ତୁମୁଳ ହଟ୍ଟଗୋଳ କରୁଥିବା ବେଳେ ବିଜେପି ବିଧାୟକ ବିଜୟ ଦଳ ବେହେରା କହିଥିଲେ ଯେ, ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ରାଜ୍ୟସଭା ଫଳାଫଳ ହତାସ କରିଛି । ତାଙ୍କ ଦଳର ବିଧାୟକମାନେ ମୁଖିଆମାନଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖାନ କଲେ । ଏବେ ସେମାନଙ୍କୁ ବେଇମାନ ବୋଲି କହୁଛନ୍ତି । ନିଜ ବିବେକ ଅନୁସାରେ ସେମାନେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ବିରୋଧୀ ଦଳ ରାଜ୍ୟର ସ୍ବାର୍ଥ କଥା ଚିନ୍ତା କରୁନାହାନ୍ତି । ଔେଷଧ ବିକଳରେ ତାଟିଆ କାମୁଡୁଛନ୍ତି । ମୁଲତବୀ ପ୍ରସ୍ତାବ ଆଣି ଆଲୋଚନାକୁ ଆସୁନାହାନ୍ତି । ରାଜନୈତିକ ଅଭିସନ୍ଧି ରଖି ପ୍ରତିବାଦ କରୁଛନ୍ତି । ବିଧାନସଭାକୁ ଅଚଳ କରୁଛନ୍ତି । ସାଧାରଣ ଲୋକଙ୍କ ଟିକସ ଅର୍ଥରୁ ବିଧାନସଭା ଚାଲୁଛି । ଆଲୋଚନା କରି ସରକାରଙ୍କୁ ସୁଚିନ୍ତିତ ପରାମର୍ଶ ଦେଇପାରିବେ । ହେଲେ ତାହା ନକରି ଅଯଥା ବିଧାନସଭାର ସମୟ ଅପଚୟ କରୁଛନ୍ତି ।
ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ ଯେ, ରାଜ୍ୟସଭା ନିର୍ବାଚନରେ ବିଜେଡିର ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏବେ ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ ନାଁରେ ଏକ ଟ୍ରଷ୍ଟ ଗଠନ ହୋଇଥିବା ନେଇ ଖରବ ଗଣମାଧ୍ୟମ ଶୀରୋନାମା ପାଲଟିଛି । ତାହା ପୁଣି ଦୀଲ୍ଲିରେ ପଞ୍ଜିକରଣ ହୋଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡିଶାର ସମ୍ପତ୍ତି, ସେ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ନବୀନ ପଟ୍ଟନାୟକଙ୍କୁ ଦୀର୍ଘ ବର୍ଷ ଧରି ଓଡିଶାବାସୀ ଭଲପାଇବା ଦେଲେ । ତାଙ୍କୁ ଶାସନ ଭାର ଦେଇଥିଲେ । ଓଡିଶାର ହିତ ପାଇଁ ଏଠାରେ ଟ୍ରଷ୍ଟ ନ କରି ଦିଲ୍ଲୀରେ କରିଛନ୍ତି । ସେଥିରେ ସଭାପତି ସର୍ବେସର୍ବା, ସେ ପୁଣି ତାମିଲ ବାବୁ । ବର୍ତ୍ତମାନର ରାଜ୍ୟସଭା ସାଂସଦ ଓ ଅନ୍ୟ ଜଣଙ୍କୁ ଆଜୀବନ ସଦସ୍ୟ ଭାବେ ସାମିଲ କରାଇଛନ୍ତି । ଏହା ପଛରେ କଣ ରହସ୍ୟ ଓ ଚକ୍ରାନ୍ତ ଅଛି ସେନେଇ ବିରୋଧୀ ଦଳ ସ୍ପଷ୍ଟ କରନ୍ତୁ । ଶୁଣିବାକୁ ମିଳିଛି ତାଙ୍କ ଦଳର କିଛି ବିଧାୟକ ସଭାପତିଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ଟ୍ରଷ୍ଟର ବାଇ ଲ ରେ ଯାହାକୁ କ୍ଷମତା ଦିଆଯାଇଛି, ସେ ରାଜନୀତିରୁ ସନ୍ୟାସ ନେଇ ସାରିଛନ୍ତି । ଏହି ଟ୍ରଷ୍ଟ ପଛର ଉଦ୍ଦେଶ୍ୟ କଣ ସେମାନେ କୁହନ୍ତୁ । ଏହି ଟ୍ରଷ୍ଟ ମାଧ୍ୟମରେ କଉଁଠୁ ପାଣ୍ଠି ଆସୁଛି । ଏହାକୁ କିଭଳି ବ୍ୟବହାର କରାଯିବ ସେନେଇ ବିଜେଡି ସ୍ପଷ୍ଟ କରୁ । ଏତେ ଓଡିଶା ନେତା ଥାଉ ଥାଉ ତାମିଲ ବାବୁଙ୍କୁ କାହିଁକି ସବୁ ଦାୟିତ୍ବ ନବୀନ ପଟ୍ଟନାୟକ ଟେକି ଦେଇଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଥିଲେ ।
ବିଜେପି ବିଧାୟକ ବାବୁ ସିଂ କହିଥିଲେ ଯେ, ଏସସିବିରେ ଘଟିଥିବା ଦୁର୍ଘଟଣା ଆକସ୍ମିକ ଥିଲା । ସରକାରଙ୍କ ସହ ବିରୋଧୀ ଦଳର ମଧ୍ୟ ରାଜ୍ୟର ସମସ୍ୟା ପ୍ରତି ଗୁରୁଦାୟିତ୍ବ ରହିଛି । ତାହା ନିର୍ବାହ ନକରି ଗୃହ ଅଚଳ କରୁଛନ୍ତି । ଦୁଇ ଦିନ ତଳେ ୧୧ ଜଣ ବିଧାୟକ ବିରୋଧୀ ଦଳର ସଭାପତିମାନଙ୍କ ମୁହଁରେ କଳା ବୋଳିଛନ୍ତି । ଲୁଙ୍ଗି ପିନ୍ଧି ତାମିଲ ରାଜନୀତି ଓଡିଶାରେ କରିବାକୁ ଚେଷ୍ଠା କରୁଥିଲେ । ତାଙ୍କ ମୁଖା ଖୋଲିଯାଇଛି । ବର୍ତ୍ତମାନର ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀ ଥିବା ବେଳେ ସମ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୨ ମୂଲ୍ୟବାନ ଜୀବନ ଯାଇଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳକୁ ଯିବା ପାଇଁ ଗୋଟିଏ ମିନିଟ ବି ସମୟ କାଢିପାରିନଥିଲେ । ଆମ ମୁଖ୍ୟମନ୍ତ୍ରୀ ଭୋରରୁ ଘଟଣାସ୍ଥଳକୁ ଯାଇଥିଲେ । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିରୋଧୀ ତାହାକୁ ପ୍ରସଙ୍ଗ କରି ଗୃହ ଅଚଳ କରୁଛନ୍ତି । ଦିଲ୍ଲୀରେ ଟ୍ରଷ୍ଟ ଗଠନ କରି ଓଡିଶାରୁ କୋଟି କୋଟି ଟଙ୍କା ଟ୍ରଷ୍ଟ ନାଁରେ କିଭଳି ନେଇଯିବେ, ସେନେଇ ଯୋଜନା ହୋଇଛି । ଏକଥା ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାରୁ, ସେଥିରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଏଭଳି ପ୍ରତିବାଦ କରୁଛି । କାଳେ ତାଙ୍କ ମୁଖା ଖୋଲିଯିବ ସେଥିପାଇଁ ଗୃହକୁ ବନ୍ଦ କରୁଛନ୍ତି । ବିଜେଡି ସହ କଂଗ୍ରେସ ଗୋଡାଣିଆ ହେଉଛି । ବିକ୍ରମ ବେତାଳ ସାଜି ଏକାଠି ଦୁଇ ଦଳ ବୁଲୁଛନ୍ତି । ଏମାନେ ରାଜ୍ୟ ବିକାଶ ବିରୋଧୀ ।
ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ୨୪ ବର୍ଷ ଶାସନ କାଳରେ ବିଜେଡି ନୀତିକୁ ମାରି ଦେଇଥିଲା । ଏବେ ଗୃହରେ ଶବ ପ୍ରତିକାତ୍ମକ ପ୍ରତିବାଦ କରି ନୈତିକତାକୁ ମଧ୍ୟ ମାରି ଦେଲେଣି । ମଣିଷ ଜୀବନ ଯିବା ପରେ ସମ୍ମାନ ସ୍ବରୂପ ତାଙ୍କୁ କୋକେଇ ସଜା ହୁଏ, ଆଉ ସେଥିରେ ତାଙ୍କୁ ସ୍ମଶାନକୁ ନିଆଯାଏ । ବିଜେଡି ବିଧାନସଭା ଗୃହରେ କୋକେଇ ସାଙ୍ଗରେ ମାନବିକତା ଓ ସମ୍ବେଦନଶୀଳତାକୁ ମଧ୍ୟ ଟେକି ଦେଲେଣି । ସମୟ ଥିଲା ରାଜନୈତିକ ଅଭିସନ୍ଧୀ ରଖି ତାଙ୍କ ଦଳର ମୁଖିଆ ସୁସ୍ଥ ଥିବାର ପ୍ରମାଣ ଦେଉଥିଲେ । ମୁଁ ସୁସ୍ଥ ଅଛି ମୋତେ ଭୋଟ ଦିଅ ବୋଲି କହୁଥିଲେ । ସେମାନେ ଆଗ ଇସ୍ତଫା ଦେବା ଆବଶ୍ୟକ । ଏସସିବି ଦୂର୍ଘଟଣାରେ ତଦନ୍ତ କରାଯାଉଛି । ବିରୋଧୀ ଅସ୍ଥିର ହେଉଛନ୍ତି ବୋଲି କହିଥିଲେ ।
ସେହିଭଳି ବିଜେପି ବିଧାୟକ ସନାତନ ବିଜୁଳି ବିଜେଡି ବିଜେପି ଭାଇ ଭାଇ ବୋଲି କହି କଡା ସମାଲୋଚନା କରିଥିଲେ । ତାଙ୍କ ମେଣ୍ଟକୁ ତାଙ୍କ ଦଳର ବିଧାୟକମାନେ ଗ୍ରହଣ କରୁନାହାନ୍ତି । ରାଜ୍ୟସଭା ନିର୍ବାଚନର ଅପମାନକୁ ଲୁଚାଇବାକୁ ଏଭଳି ନୌଟଙ୍କୀ କରୁଛନ୍ତି ବୋଲି କହି କଟାକ୍ଷ କରିଥିଲେ । ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଜଲେନ ନାଏକ, ବିଭୁତି ଭୂଷଣ ପ୍ରଧାନ. ସରୋଜ କୁମାର ପାଢୀ, ମାନସ ଦତ୍ତ ପ୍ରମୁଖ ରାଜ୍ୟସଭା ନିର୍ବାଚନ ଓ ବିଜୁ ନବୀନ ଟ୍ରଷ୍ଟ କଥା ଉଠାଇ ଶୂନ୍ୟକାଳରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ କଟୁ ସମାଲୋଚନା କରିଥିଲେ ।
