ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଲାଗି ରହିଛି । ଆଗାମୀ ୫ ଦିନ ଯାଏଁ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୫୦ରୁ ୬୦ କିମି ବେଗରେ ବହିବ । ସେହିପରି କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥÒବା ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।

ଏବେ ରାଜ୍ୟରେ ଦିନ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଉପକୂଳରୁ ଉପାନ୍ତ ସବୁଠି ଲଗାଣ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ରେକର୍ଡ ହୋଇଛି ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ବରଗଡ଼, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଭାରି ବର୍ଷା ରେକର୍ଡ ହୋଇଛି । ସେହିପରି ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ଦେଓଗଡ, ଅନୁଗୋଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇଛି ।
ଶନିବାର ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ କୁଆପଥର ବର୍ଷା ହେବ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ ଓ ଯାଜପୁର ଏହି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଏହାସହ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ସେହିପରି ରାୟଗଡା, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ, ଢେଙ୍କାନାଳ, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୮ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସହ ସ୍ଥାନେ ସ୍ଥାନେ କୁଆପଥର ପଡ଼ିବା ନେଇ ସତର୍କତା ଜାରି ହୋଇଛି । ସେପଟେ ରାଜ୍ୟକୁ ପୁଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ଫେରିବ । ୫ ଦିନ ରାଜ୍ୟରେ ଦିନ ତାପମାତ୍ରାର କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ୭ ତାରିଖ ପରେ ୨ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଅସମ୍ଭାଳ ତାତି ଅନୁଭବ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।