ମୁଖ୍ୟମନ୍ତ୍ରୀ ବସସେବା ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟବସାୟ ସ୍ଥଳ, ଶିକ୍ଷା ଓ ସ୍ବାସ୍ଥ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନକୁ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଏବଂ ଦକ୍ଷ ସାର୍ବଜନୀନ ପରିବହନ ବସ୍ ସେବାର ସଂଯୋଗ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବସ୍ ଚଳାଚଳରେ ଦକ୍ଷତା ଓ ସଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବସସେବାର ସମ୍ପୂର୍ଣ ନବୀକରଣ ନିଷ୍ପତ୍ତି ନିଆଯାଇଛି । ଏହାର ତଦାରଖ ଓ ନିୟନ୍ତ୍ରଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)କୁ ଦାୟିତ୍ବ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ଏହି ପ୍ରସ୍ତାବକୁ ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନବୀନକରଣ କରାଯାଇ ବସଗୁଡ଼ିକରେ ସିସିଟିଭି କ୍ୟାମେରା, ଲାଇଭ୍ ଭ୍ୟାନ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ଓ ପାନିକ୍ ବଟନ୍ ଇତ୍ୟାଦି ପରି ଅଧୁନିକ ବନ୍ଦୋବସ୍ତ କରାଯିବ । ବସରେ ମହିଳା ତଥା ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ । ଅଭିନବ ସଡକ ସୁରକ୍ଷା ବ୍ୟବସ୍ଥା ଭାବରେ ସମସ୍ତ ଏମବିଏସ ବସରେ ଉନ୍ନତ ଡ୍ରାଇଭର ସହାୟତା ପ୍ରଣାଳୀ ରହିବ । ମହିଳା, ଟ୍ରାନ୍ସଜେଣ୍ଡର, ଛାତ୍ର, ଭିନ୍ନକ୍ଷମ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଏସି ଓ ନନ୍-ଏସି ବସ୍ ଭଡ଼ାରେ ୫୦% ରିହାତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଏକ ସୁରକ୍ଷିତ, ନିର୍ଭରଯୋଗ୍ୟ, ସୁଲଭ ଏବଂ ଅଧିକ ଦକ୍ଷ ପରିବହନ ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଗ୍ରାମୀଣ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ସେବା ରାଜ୍ୟର ପ୍ରତ୍ୟେକ ବ୍ୟବସାୟ କେନ୍ଦ୍ର, ଶିକ୍ଷା ଏବଂ ସ୍ବାସ୍ଥ୍ୟନୁଷ୍ଠାନ ତଥା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସହିତ ସଂଯୁକ୍ତ ହେବ । ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ସରକାର ଅଧିକ ସଂଖ୍ୟକ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ସାଙ୍ଗକୁ ସୁସମନ୍ବିତ ପରିବହନ ବ୍ୟବସ୍ଥା ମାଧ୍ୟମରେ କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛନ୍ତି । ଭାରତ ସରକାରଙ୍କ ନୀତି ଆୟୋଗର ମାର୍ଗଦର୍ଶିକା ତଥା ଭାରତ ସରକାରଙ୍କ ସଡ଼କ ପରିବହନ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବସ୍ ସେବା ମୋଟ ମୂଲ୍ୟ ଚୁକ୍ତିନାମା ମଡେଲ ଅଧୀନରେ କାର୍ଯ୍ୟକ୍ଷମ ହେବ I ସାର୍ବଜନୀନ ପରିବହନ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ ସହ ରାଜ୍ୟବାସୀଙ୍କ ଉନ୍ନତିରେ ମୁଖ୍ୟମନ୍ତ୍ରୀ ବସସେବା ସହାୟକ ହେବା ଲକ୍ଷ୍ୟରେ ଏହାକୁ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ସେହିଭଳି କ୍ୟାବିନେଟ ବୈଠକରେ ଅନ୍ୟାନ୍ୟ ନିଷ୍ପତ୍ତି କ୍ରମେ ପ୍ରାଣୀ ଚିକିତ୍ସା ବୈଷୟିକ ସେବା( ନିଯୁକ୍ତି ଓ ସର୍ତ୍ତାବଳୀ) ନିୟମ ,୨୦୨୪ ଏବଂ ଓଡିଶା ବେସାମରିକ ସେବା (ପେନସନ) ନିୟମାବଳୀ ୧୯୯୨ରେ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।