ଜୁନ୍ ପ୍ରଥମ ସପ୍ତହରେ ଓଡ଼ିଶା ଛୁଇଁବ ମୌସୁମୀ

ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମୟ ପୂର୍ବରୁ କେରଳ ଛୁଇଁବ । ସାଧାରଣତଃ ଏହା ମେ ମାସ ଶେଷ ନଚେତ୍ ଜୁନ୍ ପ୍ରଥମ ସପ୍ତହ ମଧ୍ୟରେ କେରଳ ଛୁଇଁଥାଏ । ଚଳିତବର୍ଷ ମେ ୨୭ ତାରିଖ (୪ ଦିନ ଆଗ ପଛ ହୋଇପାରେ) ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ପୂର୍ବାନୁମାନ କରିଥିବା କେନ୍ଦ୍ରୀୟ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବା ନେଇ ମଧ୍ୟ ପୂର୍ବାକଳନ କରାଯାଇଛି । ୨୦୨୪ରେ ମେ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ସେହିପରି ୨୦୨୦ରେ ଜୁନ୍ ୫, ୨୦୨୧ରେ ମେ ୩୧, ୨୦୨୨ରେ ମେ ୨୭ ଓ ୨୦୨୩ରେ ଜୁନ୍ ୪ରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ୨୦୦୫-୨୪ ମଧ୍ୟରେ ୨୦୧୫କୁ ବାଦ୍ ଦେଲେ ଅନ୍ୟ ସବୁ ଥରର ଆକଳନ ସଠିକ୍ ହୋଇଥିବା ଆଇଏମଡି କହିଛି ।
ସାଧାରଣତଃ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ । ୨୭ ସୁଦ୍ଧା ଏହା କେରଳ ଛୁଇଁଲେ ଜୁନ୍ ପ୍ରଥମ ସପ୍ତାହ କିମ୍ବା ୧୦ ତାରିଖ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି । ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ପ୍ରାକ୍ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ।  ଏପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ ବର୍ଷା ହୋଇ ନଥିବାବେଳେ ପ୍ରବଳ ଖରା ହେଉଛି । ଫଳରେ ବିଲରେ ବିହନ ଅନୁକୂଳ ହୋଇ ନାହିଁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁସାରିଥିବାବେଳେ କେରଳ ଛୁଇଁବାକୁ ପାଗ ଅନୁକୂଳ ଥିବା ଆଇଏମଡି କହିଛି ।
ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ । ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ । ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିବ । ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ।  ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତର-ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।  ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର-ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।
ପାଣିପାଗ ବିଭାଗ ସ୍ବାଭାବିକ ବର୍ଷା ହେବ ବୋଲି ଆକଳନ କରୁଥିଲେ ମଧ୍ୟ ଗତ କିଛି ବର୍ଷ ହେବ ମୌସୁମୀଜନିତ ବର୍ଷା ରାଜ୍ୟରୁ କମି କମି ଗଲାଣି । ୨୦୨୪ରେ ମୌସୁମୀ ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଇଥିଲା । କିନ୍ତୁ ୩୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା । ସେହିପରି ୨୦୨୨-୨୩ରେ ମଧ୍ୟ ସ୍ଥିତି ଏକପ୍ରକାର ନିଅଣ୍ଟିଆ ହିଁ ଥିଲା।  ମୌସୁମୀରେ ଲଗାଣ ବର୍ଷା ବଦଳରେ ବିକ୍ଷିପ୍ତ ବର୍ଷା ହେଉଥିଲା।  ଜୁଲାଇ-ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା।  ତେବେ ଚଳିତ ବର୍ଷ ମୌସୁମୀର କୃପା ଦୃଷ୍ଟି ରହୁଛି କି ନାହିଁ ତାହା ଆଗମନ ପରେ ଜଣାପଡ଼ିବ।