ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲରେ ଅଧିକ ହିଟ୍ ୱେଭ୍ ଅନୁଭୂତ ନହୋଇଥିଲେ ମଧ୍ୟ ମେ ମାସରେ ଗରମ ଗୁଳୁଗୁଳି କଲବଲ କରୁଛି । ଶନିବାର ଅପେକ୍ଷା ରବିବାର ରାଜ୍ୟରେ ତାତି ବଢ଼ିଥିବାବେଳେ ଉପକୂଳ ଅଞ୍ଚଳରେ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିଛି । ଏହି ସ୍ଥିତି ଆଗାମୀ ୧୫ ତାରିଖ ଯାଏଁ ଲାଗି ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ରବିବାର ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହାଛଡ଼ା ଟିଟଲାଗଡ଼ ୪୨.୫, ବଲାଙ୍ଗୀର ୪୨, ସୁନ୍ଦରଗଡ଼ ୪୧.୮, ଅନୁଗୁଳ ୪୧.୭, ଝାରସୁଗୁଡ଼ା ଓ ହୀରାକୂଦ ୪୧.୬, ସୋନପୁର ୪୧.୪, ବୌଦ୍ଧ ଓ ପାରଳାଖେମୁଣ୍ଡି ୪୧.୨, ଭୁବନେଶ୍ବର ଓ ଢ଼େଙ୍କାନାଳ ୪୦.୭, ଭବାନୀପାଟଣା ୪୦.୬, ଖୋର୍ଦ୍ଧା ୪୦.୫, ବାରିପଦା, ରାଉରକେଲା ଓ ବରଗଡ଼ ୪୦.୪, ନୂଆପଡ଼ା ଓ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏହାଛଡ଼ା ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି ।
ବାଲେଶ୍ବର, ଚାନ୍ଦବାଲି ୩୯.୭, ଜଗତସିଂହପୁର ୩୯.୬, ଯାଜପୁର ଓ କଟକ ୩୯.୪ ଡିଗ୍ରୀ ଥିବାବେଳେ ଭଦ୍ରକରେ ୩୯ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି ଉପକୂଳରେ ତାତି ଅପେକ୍ଷା ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରାଉଛି । ରବିବାର କୋରାପୁଟରେ ସର୍ବାଧିକ ବର୍ଷା ୧୫.୨ ମିମି ରେକର୍ଡ କରାଯାଇଛି । ଏବେ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ । ପାଗ ଶୁଖିଲା ରହିବା ସହ ଦିନ ତାପମାତ୍ରା ବୃଦ୍ଧି ପାଇବ ।
ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ଉଷ୍ଣ ଆଦ୍ର ପାଣିପାଗ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ମଙ୍ଗଳବାରଠାରୁ ରାଜ୍ୟରେ ତାତି ଆହୁରି ବଢ଼ିବ । ମଙ୍ଗଳବାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ଖୋର୍ଦ୍ଧା, କଟକ, କଳାହାଣ୍ଡି ଓ ବାଲେଶ୍ବର ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ରହିଛି ।
ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଉଷ୍ଣ ଆଦ୍ର ପାଣିପାଗ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ନେଇ ସତର୍କତା ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି ।